ସ୍ଫୁଟନିକ୍‌-ଭି ଉତ୍ପାଦନ ସେପ୍ଟେମ୍ବରରୁ

ନୂଆଦିଲ୍ଲୀ,୧୩।୭: ଭାରତରେ କରୋନା ଭାଇରସ୍‌ ସଂକ୍ରମଣର ପ୍ରକୋପକୁ ରୋକିବା ପାଇଁ ଦେଶବ୍ୟାପି ଟିକାକରଣ ଅଭିଯାନ କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୩୮କୋଟି ୧୪ଲକ୍ଷ ୬୭ହଜାର ୬୪୬ଜଣ ଲୋକଙ୍କୁ ଟିକା ଦିଆଯାଇସାରିଛି। ସେଥିମଧ୍ୟରେ ୩୦କୋଟି ୬୬ ଲକ୍ଷ ୧୨ହଜାର ୭୮୧ଜଣ ବ୍ୟକ୍ତିଙ୍କୁ କରୋନା ଟିକାର ପ୍ରଥମ ଡୋଜ୍‌ ଦିଆସରିଥିବା ବେଳେ ୭ କୋଟି ୪୮ଲକ୍ଷ ୫୪ହଜାର ୮୬୫ଜଣ ଲୋକ ଟିକାର ଦ୍ୱିତୀୟ ଡୋଜ ନେଇସାରିଲେଣି। ସ୍ବଦେଶୀ କମ୍ପାନୀ ଦ୍ୱାରା ନିର୍ମିତ ହୋଇଥିବା କୋଭାକ୍ସିନ ଓ କୋଭିସିଲ୍ଡ ଟିକା ବର୍ତ୍ତମାନ ଟିକାକରଣ ଅଭିଯାନରେ ସାମିଲ ହୋଇଛି। ଇତିମଧ୍ୟରେ ଟିକାକରଣ ଅଭିଯାନରେ ଖୁବ୍‌ଶୀଘ୍ର ସ୍ଫୁଟନିକ୍‌-ଭି ମଧ୍ୟ ସାମିଲ ହେବାକୁ ଯାଉଛି। ସୂଚନା ମୁତାବକ ରୁଷିଆ ଟିକା ସ୍ଫୁଟନିକ୍‌-ଭିର ଉତ୍ପାଦନ ଖୁବ୍‌ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଯାଉଛି। କୁହାଯାଉଛି, ପୁଣେ ସ୍ଥିତ ସେରମ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ ସେପ୍ଟେମ୍ବରରୁ ରୁଷିଆର କରୋନା ଟିକା ସ୍ଫୁଟନିକ୍‌-ଭିର ଉତ୍ପାଦନ ଆରମ୍ଭ କରିବ। ଅନ୍ୟ କେତେକ ନିର୍ମାତା ମଧ୍ୟ ଭାରତରେ ଏହି ଟିକା ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ବୋଲି ରୁଷିଆର ପ୍ରତ୍ୟେକ୍ଷ ନିବେଶ ପାଣ୍ଠି(ଆରଡିଆଇଏଫ୍‌)ର ସିଇଓ କିରିଲ ଦିମିତ୍ରିବ ସୂଚନା ଦେଇଛନ୍ତି। ଅନ୍ୟପଟେ ସ୍ଫୁଟନିକ୍‌- ଭି ବିଶ୍ୱର ସବୁଠାରୁ ବଡ଼ ଭାକ୍ସିନ ନିର୍ମାଣକାରୀ କମ୍ପାନୀ ସେରମ ସହିତ ବର୍ଷକୁ ୩୦କୋଟି ଡୋଜ୍‌ ଉତ୍ପାଦନ କରିବାକୁ ଚୁକ୍ତି କରିଛି। ଏଥିସହ ସେପ୍ଟେମ୍ବରର ପ୍ରଥମ ପର୍ଯ୍ୟାୟରେ ଭାରତରେ ବାର୍ଷିକ ୩୦କୋଟି ଟିକା ଉତ୍ପାଦନ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି ବୋଲି ଆରଡିଆଇଏଫ୍‌ କହିଛି। ଏଥିପାଇଁ ସେରମ ରୁଷର ଗାମଲେଆ କେନ୍ଦ୍ରରୁ ସେଲ୍‌ ଓ ଭେକ୍ଟର ନମୁନା ସଂଗ୍ରହ କରିଛି।

 

Share