୩-୪ ଡଲାରରେ ଟିକା ଯୋଗାଇବ ସେରମ୍‌

ନୂଆଦିଲ୍ଲୀ, ୫।୧(ପି.ଟି.): ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଅଷ୍ଟ୍ରାଜେନିକା ଦ୍ୱାରା ବିକଶିତ ତଥା ଭାରତର ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ପ୍ରସ୍ତୁତ କରୋନା ଟିକା ‘କୋଭିଶିଲ୍ଡ’ ସରକାରଙ୍କୁ ସ୍ବତନ୍ତ୍ର ମୂଲ୍ୟ ୩ରୁ ୪ ଡଲାର (୨୧୯ରୁ ୨୯୨ ଟଙ୍କା)ରେ ଯୋଗାଇ ଦିଆଯିବ ବୋଲି ସେରମ୍‌ ସିଇଓ ଆଦର ପୁନାଓ୍ବାଲା ସୋମବାର କହିଛନ୍ତି। ଘରୋଇ ବଜାରରେ ଉକ୍ତ ଟିକା ବିକ୍ରି ପାଇଁ ଅନୁମତି ମିଳିଲେ ଦାମ୍‌ ଦୁଇଗୁଣ ହେବ। ଏହି କମ୍ପାନୀ ବର୍ତ୍ତମାନ ସୁଦ୍ଧା କୋଭିଶିଲ୍ଡର ୫ କୋଟି ଡୋଜ୍‌ ପ୍ରସ୍ତୁତ କରିସାରିଲାଣି। ତେବେ ପ୍ରଥମ ପର୍ଯ୍ୟାୟରେ ଭାରତ ସରକାର ଏବଂ ଜିଏଭିଆଇ (ଗ୍ଲୋବାଲ ଆଲିଆନ୍ସ ଫର୍‌ ଭାକ୍ସିନ୍ସ ଆଣ୍ଡ ଇମ୍ୟୁନାଇଜେଶନ) ଦେଶଗୁଡ଼ିକୁ ଯୋଗାଇ ଦିଆଯିବ। ପରେ ଘରୋଇ ବଜାରକୁ ଛଡ଼ାଯିବ ବୋଲି ପୁନାଓ୍ବାଲା କହିଛନ୍ତି।
ଭାରତର ଔଷଧ ନିୟନ୍ତ୍ରକ ରବିବାର କୋଭିଶିଲ୍ଡ ଏବଂ ଭାରତ ବାୟୋଟେକ୍‌ ପ୍ରସ୍ତୁତ କୋଭାକ୍ସିନ୍‌କୁ ଜରୁରୀ ବ୍ୟବହାର ଲାଗି ମଞ୍ଜୁରୀ ପ୍ରଦାନ କରିଥିଲେ। ଟିକା ଯେପରି ସୁଲଭ ମୂଲ୍ୟରେ ମିଳିବ ଓ ସମସ୍ତଙ୍କ ପାଖରେ ପହଞ୍ଚତ୍ପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି। ଭାରତ ସରକାର ବିପୁଳ ପରିମାଣରେ ଟିକା କିଣିବାକୁ ଥିବାରୁ ୩ରୁ ୪ ଡଲାରରେ ଯୋଗାଇଦିଆଯିବ। ଭାରତ ଓ ଜିଏଭିଆଇ ଦେଶଗୁଡ଼ିକର ଆବଶ୍ୟକତା ପୂରଣ ହେବା ପରେ ଘରୋଇ ବଜାରରେ ଟିକା ବିକ୍ରି ହେବ। ଘରୋଇ ବଜାର ମୂଲ୍ୟ ୬ରୁ ୮ ଡଲାର ରହିବ ବୋଲି ସେ କହିଛନ୍ତି।

୧୨ ବର୍ଷରୁ ଊର୍ଦ୍ଧ୍ୱ ପିଲାଙ୍କ ଉପରେ କୋଭାକ୍ସିନ୍‌ ପରୀକ୍ଷା ଲାଗି ଅନୁମତି

ଭାରତ ବାୟୋଟେକ୍‌ ପ୍ରସ୍ତୁତ କୋଭାକ୍ସିନ୍‌ ଟିକାକୁ ୧୨ ବର୍ଷରୁ ଊର୍ଦ୍ଧ୍ୱ ପିଲାଙ୍କଠାରେ ପରୀକ୍ଷା କରାଇବା ଲାଗି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ) ସୋମବାର ଅନୁମୋଦନ କରିଛନ୍ତି। ସେହିପରି ଅକ୍ସଫୋର୍ଡ-ଅଷ୍ଟ୍ରାଜେନିକା ପ୍ରସ୍ତୁତ କୋଭିଶିଲ୍ଡକୁ ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କଠାରେ ପରୀକ୍ଷା କରାଇବାକୁ ଅନୁମତି ମିଳିଛି।
ଡିସିଜିଆଇ ରବିବାର ଉଭୟ ଟିକାକୁ ଜରୁରୀ ବ୍ୟବହାର ଲାଗି ଅନୁମତି ପ୍ରଦାନ କରିଥିଲେ। ତେବେ କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ପରୀକ୍ଷା କରି ନ ଥିବାରୁ ଏହାକୁ ଅନୁମତି ଦିଆଯିବା ଉପରେ କଂଗ୍ରେସ ପ୍ରଶ୍ନ ଉଠାଇଥିଲା। ପରେ ଭାରତ ବାୟୋଟେକ୍‌କୁ କୋଭାକ୍ସିନ ଉତ୍ପାଦନ ପାଇଁ ଡିସିଜିଆଇ ରବିବାର ସନ୍ଧ୍ୟାରେ ଲାଇସେନ୍ସଯୁକ୍ତ ଅନୁମତି ପ୍ରଦାନ କରିଥିଲେ ଏବଂ ତିନି ପର୍ଯ୍ୟାୟ ପରୀକ୍ଷାର ସବିଶେଷ ତଥ୍ୟ ଦାଖଲ କରିବାକୁ କହିଥିଲେ।

Share