Categories: ଜାତୀୟ

ପରିବାର ଲୋକଙ୍କୁ ମଞ୍ଚୁରିଆନ ସୁପ୍‌ରେ ବିଷ ମିଶାଇ ପିଇବାକୁ ଦେଲେ ଚାକର ଦମ୍ପତି

ଜୟପୁର,୯।୧: ରାଜସ୍ଥାନର ଯୋଧପୁର ସହରରେ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଚାକର ଦମ୍ପତି ଏକ ପରିବାରର ୪ ସଦସ୍ୟଙ୍କୁ ମଞ୍ଚୁରିଆନ ସୁପ୍‌ରେ ବିଷ ଦେବାରୁ ସେମାନେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଘଟଣା ପରଠାରୁ ସେମାନେ କେଉଁଆଡ଼େ ଫେରାର ହୋଇଯାଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
ସୂଚନାଯୋଗ୍ୟ, ଯୋଧପୁର ସହରର ସର୍ଦ୍ଦାରପୁର ଥାନା ଅନ୍ତର୍ଗତ ଡି ରୋଡ୍‌ରେ ଘଟିଛି। ଯାଞ୍ଚରୁ ଜଣାପଡ଼ିଛି, ଚାକର ଦମ୍ପତି ମଞ୍ଚୁରିଆନ ସୁପ୍‌ରେ ବିଷ ମିଶାଇଥିଲେ। ଏହି ବିଷାକ୍ତ ଖାଦ୍ୟ ଖାଇ ପରିବାରର ସଦସ୍ୟ ଘନଶ୍ୟାମ, ସୁଭମ, ଜୟେଶ ଏବଂ ନେହା ଧୂତଙ୍କ ସ୍ବାସ୍ଥ୍ୟ ଗୁରୁତର ହୋଇପଡ଼ିଥିଲା। ତାଙ୍କୁ ନିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଥାନାଧିକାରୀ ହନୁମାନ ସିଂହ ପହଞ୍ଚି ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା କରି ଘଟଣାର ଅନୁସନ୍ଧାନ କରୁଛନ୍ତି। ପୋଲିସ ସିସିଟିଭି ଜରିଆରେ ଚାକର ଦମ୍ପତି ନେପାଳୀ ସମ୍ପ୍ରଦାୟର ବୋଲି ଜାଣିବାକୁ ପାଇଛି। ତେବେ ମୋହନ ଏବଂ କମଳାଙ୍କ ଫଟୋ ଚିହ୍ନଟ କରିଛି। ଯିଏ କି ତାଙ୍କ ଘରେ ଚାକର କାମ କରନ୍ତି। ଟଙ୍କା ପଇସା, ସୁନା ଅଳଙ୍କାର ଚୋରି କରିବା ଉଦ୍ଦେଶ୍ୟରେ ଏମାନେ ଏପରି କାଣ୍ଡ ଘଟାଇ ଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି। ବର୍ତ୍ତମାନ ଦୁଇଜଣଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ଅଛି। ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି। ଖୁବ୍‌ଶୀଘ୍ର ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି।

Share