Categories: ଜାତୀୟ

ପେଟପୁରା ଖାଇବାକୁ ନ ଦେବାରୁ ମାଲିକାଣୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲେ ଚାକର

ଯମୁନାନଗର,୧୮।୫: ହରିଆଣାର ଯମୁନାନଗରରେ ଥିବା ନ୍ୟୁ ଜୈନ ନଗର କଲୋନୀରେ ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି। ପେଟପୁରା ଖାଇବାକୁ ନ ଦେବାରୁ ମାଲିକାଣୀଙ୍କୁ ହତ୍ୟା କଲେ ଚାକର। ସୂଚନାଯୋଗ୍ୟ, ସେହି କଲୋନୀରେ ରହୁଥିବା ରାଜେନ୍ଦ୍ର ସିକ୍କା ଜଣେ କ୍ରସର ମାଲିକ। ଗୁରୁବାର ଘରେ କେହି ନଥିବା ବେଳେ ତାଙ୍କ ବୋହୁ ରୋଜି ଏକୁଟିଆ ଥିଲେ। ଚାକର ରାଜେଶଙ୍କୁ ଭୋକ ଲାଗୁଥିବା ବେଳେ ତାଙ୍କ ସ୍ବାମୀ ଦିପାଂଶୁ ନ ଆସିବା ପର୍ଯ୍ୟନ୍ତ ରୋଷେଇ ନ କରିବାକୁ ରୋଜି କହିଥିଲେ। ଏଥିରେ ରାଜେଶ ଉତ୍‌କ୍ଷିପ୍ତ ହୋଇ ଘରେ କେହି ନ ଥିବାର ସୁଯୋଗ ନେଇ ତାଙ୍କୁ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଏହାପରେ ରାଜେଶ ସମସ୍ତଙ୍କୁ ଭ୍ରମରେ ପକାଇବା ପାଇଁ ରୋଜି କବାଟ ଖୋଲୁନାହାନ୍ତି ବୋଲି ଦିପାଂଶୁଙ୍କୁ ଫୋନ କରି କହିଥିଲେ। ତାଙ୍କ ସ୍ବାମୀ ଘରେ ପହଞ୍ଚିବା ପରେ ରୋଜି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି ରହିଥିଲେ। ଏନେଇ ଦିପାଂଶୁ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରାଥମିକ ତଦନ୍ତରୁ ରାଜେଶଙ୍କ ଉପରେ ସନ୍ଦେହ ଉପୁଜିଥିଲା। ପୋଲିସ ଶକ୍ତ ଭାବେ ପଚାରା କରିବାରୁ ନିଜ ଦୋଷ ସ୍ବୀକାର କରିଥିଲେ ରାଜେଶ। ରୋଜିଙ୍କ ବିବାହ ପୂର୍ବରୁ ରାଜେଶ ତାଙ୍କ ଘରେ ରହି କାମ କରୁଥିବା ବେଳେ ପୂର୍ବରୁ ସେ ପେଟପୁରା ଖାଉଥିଲେ। ହେଲେ ରୋଜି ଆସିବା ଦିନରୁ ତାଙ୍କୁ ଅଧା ପେଟ ଖାଇବାକୁ ପଡ଼ୁଥିଲା। ସେ ୭ରୁ ୮ ରୁଟି ଖାଇବାକୁ ଚାହୁଁଥିବା ବେଳେ ରୋଜି ତାଙ୍କୁ ୩ଟି ରୁଟି ଖାଇବାକୁ ଦେଉଥିଲେ ବୋଲି ରାଜେଶ ପୋଲିସ ନିକଟରେ ବୟାନ ଦେଇଛନ୍ତି। ଫଳରେ ସେ ବହୁ ଦିନରୁ ରାଗ ରଖି ନିଜର ପ୍ରତିଶୋଧ ନେଇଥିଲେ ବୋଲି ପୋଲିସ ସୂଚନା ଦେଇଛି। ରୋଜିଙ୍କ ୫ ମାସର ପିଲାଥିବା ଜଣାପଡ଼ିଛି।

Share