ଢେଙ୍କାନାଳ ଅଫିସ, ୧୫।୩: କରୋନାକୁ ପୂରିଲାଣି ବର୍ଷେ। ତଥାପି ଶତପ୍ରତିଶତ ସ୍ବାଭାବିକ ହୋଇପାରିନି ଟ୍ରେନ୍ ଚଳାଚଳ। ହାତଗଣତି ରେଳ ସେବା ଯୋଗାଉଥିବାବେଳେ ଟ୍ରାକ୍ରେ ଗଡ଼ିନି ପାସେଞ୍ଜର ଟ୍ରେନ୍। ଏବେ ଅଧିକ ଶକ୍ତିଶାଳୀ ହୋଇ କୋଭିଡ୍ ବାହୁଡ଼ିଥିବାବେଳେ ଶସ୍ତା ଏବଂ ଜରୁରୀ ସେବା ଯୋଗାଉଥିବା ଏଭଳି ଟ୍ରେନ୍ କେବେ ଚାଲିବ ତାହାକୁ ନେଇ ଲାଗିରହିଛି ଦ୍ୱନ୍ଦ୍ୱ। ଅନ୍ୟପଟେ ଦୀର୍ଘଦିନ ଧରି ବନ୍ଦ ରହିବା ଏବଂ ପରିଚାଳନା ଅଭାବରୁ ଅବହେଳିତ ହୋଇପଡ଼ିଥିବା ପାସେଞ୍ଜର ରହଣି ଷ୍ଟେଶନଗୁଡ଼ିକ ଅସାମାଜିକଙ୍କ ଆଡ୍ଡା ପାଲଟିଲାଣି। ଢେଙ୍କାନାଳ ସହର ଉପକଣ୍ଠ ଶ୍ୟାମାଚରଣପୁରସ୍ଥିତ ପାସେଞ୍ଜର ହଲ୍ଟ ଏହାର ସଦ୍ୟତମ ଉଦାହରଣ।
ଢେଙ୍କାନାଳ ଜିଲା ଏବଂ ସହରବାସୀଙ୍କ ଟ୍ରେନ୍ ଯାତ୍ରାକୁ ଅଧିକ ସୁଗମ କରିବା ଲାଗି ୨୭ ବର୍ଷ ତଳେ କାର୍ଯ୍ୟକ୍ଷମ ହୋଇଥିଲା ଶ୍ୟାମାଚରଣପୁର ପାସେଞ୍ଜର ହଲ୍ଟ। ଏହି ଷ୍ଟେଶନରେ ପୁରୀ-ତାଳଚେର, ତାଳଚେର-ପୁରୀ, ଅନୁଗୋଳ-ପୁରୀ, ପୁରୀ-ଅନୁଗୋଳ, ରାଉରକେଲା-ପୁରୀ, ପୁରୀ-ରାଉରକେଲା ଆଦି ପାସେଞ୍ଜର ଟ୍ରେନ୍ ରହଣି କରିଥାଏ। ଭୁବନେଶ୍ୱରରେ କାର୍ଯ୍ୟରତ ୭୦୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଦୈନନ୍ଦିନ ସକାଳ ସାଢ଼େ ୭ଟାରେ ଅନୁଗୋଳ-ପୁରୀ ପାସେଞ୍ଜର ଟ୍ରେନ୍ରେ ଯାଇଥାନ୍ତି। ସନ୍ଧ୍ୟା ସାଢ଼େ ୭ଟାରେ ପୁଣି ଉକ୍ତ ଟ୍ରେନ୍ରେ ଫେରିଥାନ୍ତି। ବିଶେଷକରି ରାଜଧାନୀ ଭୁବନେଶ୍ୱରରେ ଚାକିରି କରୁଥିବା ଜିଲାର ଚାକିରିଆଙ୍କ ଲାଗି ଏହି ପାସେଞ୍ଜର ହଲ୍ଟର ଗୁରୁତ୍ୱ ଅନେକ। ଗତବର୍ଷ ମାର୍ଚ୍ଚରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟ୍ରେନ୍ ଚଳାଚଳ ବନ୍ଦ କରାଯାଇଥିଲା। ଅନ୍ଲକ୍ ପରେ ହାତଗଣତି ଦୂରଗାମୀ ଟ୍ରେନ୍ ଚଳାଚଳ କରୁଛି। ଅଦ୍ୟାବଧି ପାସେଞ୍ଜର ଟ୍ରେନ୍ ଚାଲୁ ନ ଥିବାରୁ ବର୍ଷେ ହେଲା ଏହି ଷ୍ଟେଶନ ଯାତ୍ରୀଙ୍କ ସେବାରେ ଆସୁନାହିଁ। ଟିକେଟ୍ କାଉଣ୍ଟରରେ ତାଲା ଝୁଲୁଛି। ବିଶ୍ରାମାଗାର ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଅନ୍ୟପଟେ ବାଧ୍ୟ ହୋଇ ଦୈନିକ ଟ୍ରେନ୍ ଉପରେ ନିର୍ଭରଶୀଳ ଯାତ୍ରୀମାନେ ଅଧିକ ଭଡ଼ା ଦେଇ ବସ୍ରେ ଯାଉଛନ୍ତି। ଗାଡ଼ିରେ ଅସମ୍ଭାଳ ଭିଡ଼ ଯୋଗୁ ସିଟ୍ ନ ପାଇ ଠିଆ ହୋଇ ଯାତ୍ରା କରିବାକୁ ପଡୁଛି। ଧୀରେ ଧୀରେ ସବୁ କିଛି ସ୍ବାଭାବିକ ହେଉଥିବାବେଳେ ସରକାରଙ୍କ ପକ୍ଷଣୁ ପାସେଞ୍ଜର ଟ୍ରେନ୍ ଚଳାଚଳକୁ ଅନୁମତି ଦିଆଯାଉନାହିଁ, ଯାହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।