ଜାଗ ଭାରତ! ଉଠ! ଜାଗ! ଲକ୍ଷ୍ୟପ୍ରାପ୍ତି ନ ହେବା ପର୍ଯ୍ୟନ୍ତ କାର୍ଯ୍ୟରୁ ବିରତ ହୁଅ ନାହିଁ । ନିର୍ଭୀକ ହୁଅ, ସାହସୀ ହୁଅ, ତୁମେ ଜଣେ ଭାରତବାସୀ ବୋଲି ଗର୍ବିତ ହୁଅ ଏବଂ ଗର୍ବର ସହିତ ଘୋଷଣାକର- ‘ମୁଁ ଜଣେ ଭାରତବାସୀ, ପ୍ରତ୍ୟେକ ଭାରତବାସୀ ମୋର ଭାଇ।’ ଆମର ତେଜସ୍ବୀ ପ୍ରଜ୍ଞାବାନ୍ ଏବଂ ସାହସୀ ଯୁବକ ଆବଶ୍ୟକ। ଯେଉଁମାନେ ମୃତ୍ୟୁମୁଖକୁ ଲମ୍ଫ ଦେବାର ସାହସ କରିପାରନ୍ତି, ସନ୍ତରଣ କରି ମହାସମୁଦ୍ର ଅତିକ୍ରମ କରିବାକୁ ପ୍ରସ୍ତୁତ ଥାଆନ୍ତି, ଏପରି ଶହଶହ ସଂଖ୍ୟାରେ ଯୁବତୀ ଯୁବକ ଆମର ଆବଶ୍ୟକ। କେବଳ ଏହି ଲକ୍ଷ୍ୟରେ ଉପନୀତ ହେବା ପାଇଁ ତୁମେ ଯଥାସମ୍ଭବ ଚେଷ୍ଟିତ ହୁଅ। ନିଜ ଚାରିପଟେ ଥିବା ଲୋକମାନଙ୍କର ହୃଦୟ ପରିବର୍ତ୍ତନ କାର୍ଯ୍ୟରେ ଲାଗିପଡ଼ ଏବଂ ସେମାନଙ୍କୁ ଆମର ସଚରିତ୍ର ନିର୍ମାଣକାରୀ ଯନ୍ତ୍ରରେ ସନ୍ନିବେଶିତ କର। ଏମିତି ଅଜସ୍ର ମହତ୍ ବାଣୀ ଯାହା ବ୍ୟକ୍ତି ନିର୍ମାଣ ଏବଂ ରାଷ୍ଟ୍ର ଗଠନର ହିତ ପାଇଁ ପ୍ରେରଣା ଦେଇଥାଏ। ଏହା ଥିଲା ନବଭାରତର ମହାନ୍ ତପସ୍ବୀ ସ୍ବାମୀ ବିବେକାନନ୍ଦଙ୍କ ଆହ୍ବାନ, ଯେ କି ସମଗ୍ର ଭାରତବର୍ଷ ପରିଭ୍ରମଣ କରି ବିଭିନ୍ନ କ୍ଷେତ୍ରକୁ ଅନୁଭବ କରି ସତ୍ୟକୁ ପ୍ରକାଶ କରିବା ପାଇଁ ଉଦ୍ୟମ କରିଥିଲେ। ସେ ଦେଖିଥିଲେ, ଭାରତର ଗୌରବମୟ ଅତୀତକୁ, ଉଜ୍ଜ୍ୱଳମୟ ଭବିଷ୍ୟତକୁ ଏବଂ ଦୁଃଖଦୈନ୍ୟର ପରିସ୍ଥିତକୁ। ତେବେ ଏହି ମହାପୁରୁଷଙ୍କ ଆଦର୍ଶ ଜୀବନର କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇଥିବା ଅନେକ ଅନୁଷ୍ଠାନ ଓ ବ୍ୟକ୍ତିଙ୍କ ସଂଖ୍ୟା କିଛି କମ୍ ନୁହେଁ । ମାତ୍ର ଏମିତି କେତେ ଜଣଙ୍କ ସମ୍ପର୍କରେ…
ପୁସ୍ତକ ବଦଳାଇଦେଲା ଜୀବନର ଗତିପଥ: ଥରେ ସାଙ୍ଗମାନଙ୍କ ସହିତ ସେ ଏକ ଦର୍ଶନୀୟ ପୀଠକୁ ବୁଲିବାକୁ ଯାଇଥିଲେ। ମାତ୍ର ସେଠାରେ ଥିବା ପାଠାଗାରରେ ସ୍ବାମୀ ବିବେକାନନ୍ଦଙ୍କ ଜୀବନୀ ପୁସ୍ତକ ପଢ଼ି ସେ ବଦଳିଗଲେ। ସେବେଠାରୁ ସ୍ବାମୀଜୀଙ୍କ ବିଚାରଧାରାରେ ସେ କାର୍ଯ୍ୟରତ ହେଲେ। ସେ ହେଲେ ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ, ଜନ୍ମ ୧୯୬୪ ମସିହା ଜାନୁୟାରୀ ୧, ପିତା ଦେବରାଜ ପାଣିଗ୍ରାହୀ, ମା’ ଲାବଣ୍ୟବତୀ, ଘର ଗଞ୍ଜାମ ଜିଲାର ବ୍ରହ୍ମପୁରରେ । ସେ କୁହନ୍ତି- ସ୍ନାତକ ପରେ ଥରେ ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିଲି ରାମେଶ୍ୱର। ସେଠାରୁ କନ୍ୟାକୁମାରୀ ଦେଖିବା ପାଇଁ ମନରେ ଆଗ୍ରହ ସୃଷ୍ଟିହେଲା। ତା’ପରେ ଟି.ଜି. ନାଗରାଜଙ୍କ ଅନୁରୋଧକ୍ରମେ ୧୯୯୨ ମସିହାରେ କନ୍ୟାକୁମାରୀ ଯାଇଥିଲୁ। ସ୍ବାମୀ ବିବେକାନନ୍ଦଙ୍କ ଶିଳା ସ୍ମାରକୀ ଦେଖିଲି। ଏଠାରେ ୩ଦିନ ରହିଲି। ଏକ ପାଠାଗାରରେ ସ୍ବାମୀଜୀଙ୍କ ସମ୍ପର୍କରେ ଏକ ପୁସ୍ତକ ପଢ଼ିଥିଲି। ଯେଉଁଥିରେ ସ୍ବାମୀ ବିବେକାନନ୍ଦଙ୍କ ବାଣୀ ଥିଲା ସ୍ବୟଂ ପବିତ୍ର, ଚରିତ୍ରବାନ୍, ତେଜସ୍ବୀ ହୁଅ ଏବଂ ଅନ୍ୟମାନଙ୍କୁ ମଧ୍ୟ କରାଅ। ଏଠାରେ ଯୋଗଶିକ୍ଷା, ଗ୍ରାମୀଣ ବିକାଶ, ପ୍ରାକୃତିକ ସମ୍ପଦର ବିକାଶ, ଭାରତୀୟ ସଂସ୍କୃତିର ବିକାଶ, ଆଧ୍ୟାତ୍ମିକ ଓ ବ୍ୟକ୍ତିତ୍ୱର ବିକାଶ ବିଷୟରେ ଜାଣିପାରିଲି। ୧୯୯୪ ମସିହାରେ ପ୍ରାୟ ୨୧ ଦିନିଆ ଯୋଗ ଶିବିରରେ ଯୋଗଦେଲି। ମନସ୍ଥ କଲି ପୂରା ସମୟ ଦେଶ ପାଇଁ ଦେବି । ମାତ୍ର ଘରେ କିଛି ସମସ୍ୟା ଥିଲା। ଏପରିକି ଭଉଣୀର ବିବାହ କାର୍ଯ୍ୟ ସାରିଲି। ସେହିବର୍ଷ ଅର୍ଥାତ୍ ୧୯୯୪ ରୁ ବ୍ୟାଙ୍କ ଚାକିରିରୁ ଅବସର ନେଇଥିଲି। ତା’ପରଠୁ ମୋ ଜୀବନର ଗତିପଥ ବଦଳିଗଲା। ସ୍ବାମୀ ବିବେକାନନ୍ଦଙ୍କ ସେବା କାର୍ଯ୍ୟରେ ଅନୁପ୍ରାଣୀତ ହୋଇ ଆଜୀବନ କାର୍ଯ୍ୟକର୍ତ୍ତା ଭାବେ ସମ୍ପୃକ୍ତ ବର୍ଷ ଗୁରୁପୂର୍ଣ୍ଣିମାରେ ଟ୍ରେନିଂ ନେଲି। ସେଠାରୁ ଆମକୁ ପଠାଗଲା ଆସାମର ଏକ ଅଞ୍ଚଳକୁ, ଯେଉଁଠି ଗ୍ରାମୀଣ ବିକାଶ ପାଇଁ ୨ବର୍ଷ ରହି କାର୍ଯ୍ୟ କରିଲୁ। ୧୯୯୭ରୁ ଓଡ଼ିଶା ଫେରି ଭୁବନେଶ୍ୱରରେ ବିଧିବଦ୍ଧ ଭାବେ ସେବା, ସଂଗଠନ କାର୍ଯ୍ୟ ଚାଲିଛି। ବାଲେଶ୍ୱର, ବାରିପଦା, କେନ୍ଦୁଝର, ସମ୍ବଲପୁର ଓ ବ୍ରହ୍ମପୁର ସମେତ ପ୍ରାୟ ୧୧ଟି ଜିଲାରେ ସେବାକାର୍ଯ୍ୟ ଚାଲିଛି। ଓଡ଼ିଶା ସେବା ପ୍ରକଳ୍ପ, ସାଂଗଠନିକ, ଲୋକସମ୍ପର୍କ, ଲୋକ ସଂଗ୍ରହ, ଲୋକସଂସ୍କାର କାଯର୍ୟ କରାଯାଉଛି। ୨୦୦୬ ମସିହାରୁ ଘଟଗାଁରେ ଆନନ୍ଦାଳୟ ପ୍ରକଳ୍ପରେ ଅଧାରୁ ଶିକ୍ଷା ଛାଡ଼ୁଥିବା ପିଲାଙ୍କୁ ପାଠ ପଢ଼େଇବା ପାଇଁ ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ସଂସ୍କାର ଦିଆଯାଉଛି। ପରିବେଶ ସୁରକ୍ଷା, ଚିକିତ୍ସା ଶିବିର, ମା’ ଓ ଶିଶୁର ଯତ୍ନ ଆଦି କାର୍ଯ୍ୟକ୍ରମ କରାଯାଇଥାଏ। ୨୦୨୦ରେ ସ୍ବାମୀ ବିବେକାନନ୍ଦ କେନ୍ଦ୍ର, ଭୁବନେଶ୍ୱରଠାରେ ଏକ୍ୟମ୍ ଦ୍ୱାରା ପୂର୍ବ-ଭାରତର ଜନଜାତି ଜୀବନୀ ସମ୍ପର୍କରେ ଗବେଷଣା ଓ ଉତ୍ଥାନ ପାଇଁ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆନ୍ଧ୍ର, ଛତିଶଗଡ଼ ଆଦି ବିଭାଗର ଓଡ଼ିଶା ପ୍ରାନ୍ତ ପ୍ରକଳ୍ପ ସଂଗଠକ ଭାବେ କାର୍ଯ୍ୟ ତୁଲାଉଛି। ଯୋଗ-ଜୀବନୀର ଗବେଷଣା, ଯୋଗ ଶିକ୍ଷକଙ୍କୁ ଶିକ୍ଷାଦାନ, ନେତୃତ୍ୱ ବିକାଶ ଓ ପରିଚାଳନା ଆଦି ଯୁବପ୍ରେରଣା ଶିବିର ଆଦିର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।
ସ୍ବାମୀଜୀଙ୍କ ବିଚାରଧାରା ମତେ ପ୍ରରଣା ଦେଇଛି: କେବେ କାହାର ସେବା କରିଛନ୍ତି? ସେବାରୁ ମିଳୁଥିବା ଆତ୍ମତୃପ୍ତିକୁ ଅନୁଭବ କରିଛନ୍ତି? ଅସହାୟ ହୋଇପଡ଼ିଥିବା ଲୋକମାନଙ୍କ ସେବା କରିଥିବା ପରୋପକାରୀ ବ୍ୟକ୍ତିଙ୍କୁ ଅନ୍ୟମାନେ ନିଶ୍ଚୟ ଦେଖିଥିବେ। ତେବେ ଯୁବକ ସମୟରେ ନିଜ ଗାଁର ଯୁବକମାନଙ୍କୁ ନେଇ ସଂଘଦ୍ୱାରା ଗାଁର ମାଟିରାସ୍ତା ମରାମତି ହେଉ କି କାହାରି ଦେହ ଅସୁସ୍ଥ ହେଲେ ଡାକ୍ତରଖାନାକୁ ନେବା, ଗାଁରେ କେବେ କାହାରି ଘର ପୋଡ଼ିବେଳେ ଦରଦୀବନ୍ଧୁ ଭାବେ ସାହାଯ୍ୟ କରିପାରିଛନ୍ତି। ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟକ୍ରମରେ ସେ ଆଗଭର। ଏହିପରି ତାଙ୍କର ନିଆରା ପରିଚୟ ସୃଷ୍ଟି ହୋଇପାରିଛି। ସେ ହେଲେ ଶରତ ଚନ୍ଦ୍ର ସେନ। ପିତା ଚକ୍ରଧର ସେନ। ଘର ଖୋର୍ଦ୍ଧା ଜିଲାର ଟାଙ୍ଗି ବ୍ଲକ ଅନ୍ତର୍ଗତ ରତନପୁରରେ। ସେ କୁହନ୍ତି- ସ୍କୁଲ ସମୟରେ ବିଭିନ୍ନ ଜନସେବା କାର୍ଯ୍ୟରେ ସାମିଲ ହୋଇ ଖୁସ ହେଉଥିଲି। ସମୟକ୍ରମେ ଏହି ଅଭ୍ୟାସ ଜାରି ରହିଲା। ବାଙ୍କି ଅଞ୍ଚଳରେ ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ଗାଁ ଗାଁ ବୁଲି ଚୁଡ଼ା ଚାଉଳ ସଂଗ୍ରହ କରିଥିଲୁ। ପୁଣି ୧୯୯୯ ମହାବାତ୍ୟା ସମୟରେ ଅସ୍ତରଙ୍ଗ, ଏରସମା ଯାଇ ସେବାକାର୍ଯ୍ୟ କରିଥିଲୁ। ଗାଁରେ ମାଗଣା ଚିକିତ୍ସା ଶିବିର କରାଇ ଗରିବ ଲୋକଙ୍କ ସେବା କରିବାରେ ନିଆରା ଆନନ୍ଦ ମିଳିପାରିଛି। ମାତ୍ର ୨୦୦୦ ମସିହାରେ କନ୍ୟାକୁମାରୀ ଯାଇ ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବାରୁ କିପରି ଯୁବକମାନଙ୍କ ମଧ୍ୟରେ ସ୍ବାମୀଜୀଙ୍କ ବିଚାରାଧାରା ପ୍ରକଟ ହୋଇପାରିବ, ସେଥିପାଇଁ ଛାତ୍ରୀଛାତ୍ର ଯୁବକମାନଙ୍କ ଭିତରେ ରାଷ୍ଟ୍ର ଚେତନା ଜାଗ୍ରତ ପାଇଁ ସ୍ବାମୀଙ୍କ ରାଷ୍ଟ୍ରପ୍ରେମ ଓ ଭକ୍ତିର ବାର୍ତ୍ତାକୁ ନେଇ ଓଡ଼ିଶାର ବିଭିନ୍ନ ସ୍କୁଲ ଓ ଗାଁରେ କାର୍ଯ୍ୟ କରିବାର ପ୍ରୟାସ ରଖିଛି। ଯୁବକମାନେ ନିରାମୟ ଜୀବନ ଧାରଣ କରିବା ସହିତ ରାଷ୍ଟ୍ରୀୟ ବିଚାରଧାରାକୁ ବୁଝିବା ସହ ଭାରତକୁ ଜାଣନ୍ତୁ ଏହା ହିଁ ସ୍ବାମୀଙ୍କ ଆହ୍ବାନ।
ସ୍ବାମୀଜୀଙ୍କ ଚିନ୍ତାଧାରାରେ ୨୨ ବର୍ଷ:ସେ ବ୍ୟାଙ୍କ କର୍ମଚାରୀ ଥିବା ସମୟରେ କିଛି ଜନସେବା କରିବା ପାଇଁ ଚିନ୍ତାକଲେ। ଏପରିକି ସେ ଆଧାତ୍ମିକ ଚିନ୍ତାରେ ନିଜକୁ ପରିଚାଳିତ କଲେ। ତାଙ୍କର ଜଣେ ବନ୍ଧୁଙ୍କ ସହିତ ଶ୍ରୀରାମକୃଷ୍ଣ ମଠକୁ ବୁଲିବାକୁ ଯାଇଥିଲେ। ସେବେଠାରୁ ସେ ସ୍ବାମୀ ବିବେକାନନ୍ଦଙ୍କ ବିଚାରଧାରାରେ ଅନୁପ୍ରାଣିତ। ସେ ହେଲେ ରବି ନାରାୟଣ ମହାନ୍ତି। ଜଣେ ବ୍ୟାଙ୍କ କର୍ମଚାରୀ। ସେ କୁହନ୍ତି- ଡକ୍ଟର ଜଗନ୍ନାଥ ମିଶ୍ରଙ୍କ ସହିତ ୧୯୬୮ ମସିହାରେ ଶ୍ରୀରାମକୃଷ୍ଣ ମଠ, ଭୁବନେଶ୍ୱରକୁ ବୁଲିବାକୁ ଯାଇଥିଲି। ମା’ ଶାରଦା ଦେବୀଙ୍କ ଶିଷ୍ୟ ସ୍ବାମୀ ଅପୂର୍ବାନନ୍ଦଙ୍କ ସଂସ୍ପର୍ଶରେ ଆସିଥିଲି। ଶ୍ରୀରାମକୃଷ୍ଣ ମଠ ସନ୍ନ୍ୟାସୀ ଅଦ୍ୱୈତ୍ୟ ନନ୍ଦ, ଡକ୍ଟର ସୁକାନ୍ତ ମହାନ୍ତି ପ୍ରମୁଖ ଥିଲେ। ସେବେଠାରୁ ଶ୍ରୀରାମକୃଷ୍ଣ ଓ ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ। ଏଥିପାଇଁ କେତୋଟି ପୁସ୍ତକ ଛପାଯାଇଛି- ଯାହାର ନାଁ ସ୍ବାମୀ ବିବେକାନନ୍ଦଙ୍କ ଜୀବନ ଆଲୋକ ସଫଳତାର ପାହାଚ, ରାମନାମ ଦିବ୍ୟ ଭଜନ, ନରେନ୍ରୁ ବିବେକାନନ୍ଦ। ପ୍ରାୟ ୭୦୦ ସ୍କୁଲ କଲେଜରେ ପ୍ରାୟ ୨ଲକ୍ଷ ଛାତ୍ରୀଛାତ୍ରଙ୍କୁ ସ୍ବାମୀ ବିବେକାନନ୍ଦଙ୍କ ଫଟୋ ଓ ବହିକୁ ବଣ୍ଟନ କରିସାରିଛି। ୨୦୦୭ରେ ଶିଶୁପାଳଗଡ଼ରେ ଶ୍ରୀରାମକୃଷ୍ଣ ସେବାସଂଘ ଆଶ୍ରମ ପ୍ରତିଷ୍ଠା କରିଛୁ। ସେଠାରେ ପ୍ରତି ମାସର ପ୍ରଥମ ରବିବାର ଦିନ ଜପଯଜ୍ଞ, ଭଜନ ଆଦି କାର୍ଯ୍ୟ କରାଯାଇଥାଏ। ୧୯୯୨ରୁ ପ୍ରତିମାସ ଦ୍ୱିତୀୟ ରବିବାର ଦିନ ବିଭିନ୍ନ ମନ୍ଦିରରେ ବିଷ୍ଣୁ ସହସ୍ର ନାମ, ହନୁମାନ ଚାଳିଶା ପାଠ କରାଯାଉଛି। ଜାତୀୟ ଯୁବ ଦିବସକୁ ପାଳନ କରିଥାଉ। ଯୁବକମାନଙ୍କ ମଧ୍ୟରେ ସ୍ବାମୀଜୀଙ୍କ ବିଚାରଧାରାକୁ ଯୋଗ ଓ ସେବା ଶିବିର କରି ସାମିଲ କରାଯାଇଥାଏ। ଏମିତିରେ ପ୍ରାୟ ୨୨ବର୍ଷ ଧରି ଏହି କାର୍ଯ୍ୟ ଚାଲିଛି।
ପିଲାଦିନେ ବାପାଙ୍କଠାରୁ ପ୍ରେରଣା ପାଇଛି: ପିଲାଦିନେ ମହାପୁରୁଷଙ୍କ ଜୀବନୀ ପଢ଼ି ସ୍ବାମୀଜୀଙ୍କ ବିଷୟରେ ଅଧିକ ଜାଣିବା ପାଇଁ ତାଙ୍କୁ ଚିନ୍ତା ଘାରିଲା। ସମୟକ୍ରମେ ସ୍ବାମୀଜୀଙ୍କ ଜୀବନଦର୍ଶନର ବିଚାରରେ ଅନୁପ୍ରାଣିତ ହୋଇ କିଛି ସେବାକାର୍ଯ୍ୟ କରିପାରୁଥିବାରୁ ନିଜକୁ ଧନ୍ୟ ମନେକରନ୍ତି। ସେ ହେଲେ ଡକ୍ଟର ଅମୂଲ୍ୟ ରଞ୍ଜନ ମହାପାତ୍ର, ପିତା ମୁରଲୀ ମନୋହର ମହାପାତ୍ର, ମା’ ଗୋଲାପମଣି ମହାପାତ୍ର, ଜନ୍ମ ୧୯୪୭, ଜାନୁୟାରୀ୨୬। ସେ କୁହନ୍ତି, ଆମ ଘର ବାଲେଶ୍ୱର ଜିଲାର କୁସୁଡ଼ାରେ। ଏବେ ମୁଁ ରହୁଛି କୋରାପୁଟ ଜିଲାର ସଦର ମହକୁମାରେ। ସ୍କୁଲ ବୟସରେ ବାପାଙ୍କଠାରୁ ସ୍ବାମୀ ବିବେକାନନ୍ଦ, ଶ୍ରୀରାମକୃଷ୍ଣ ପରମହଂସ, ଶ୍ରୀଅରବିନ୍ଦଙ୍କ ଜୀବନୀ ଆଣି ପଢ଼ିବାରେ ମତେ ଖୁବ ଭଲ ଲାଗୁଥିଲା। ଯେତେବେଳେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଫିଲୋଶଫିରେ ପିଜି କଲି, ସେହି ସମୟରେ ଦର୍ଶନଶାସ୍ତ୍ରରେ ସ୍ବାମୀ ବିବେକାନନ୍ଦଙ୍କ ସେବା, ଧାର୍ମିକ ଚେତନା, ନୈତିକତା, ଚରିତ୍ର ଗଠନ, ଆଦର୍ଶ ଛାତ୍ର ଜୀବନ ବିଷୟରେ ମତେ ଖୁବ୍ ପ୍ରଭାବ ପକାଇଥିଲା। ସୌଭାଗ୍ୟକୁ ସେହିବର୍ଷ ଭୁବନେଶ୍ୱରର ଶ୍ରୀରାମକୃଷ୍ଣ ମଠରେ ପହଞ୍ଚତ୍ କେତୋଟି ପୁସ୍ତକ ପଢ଼ିବାର ସୁଯୋଗ ମିଳିଥିଲା। ସେଠାର ସନ୍ନ୍ୟାସୀ ତଥା ଅନ୍ୟ ବ୍ୟକ୍ତିମାନଙ୍କ ସହିତ ମୋର ପରିଚୟ ହେବାରୁ ସେମାନଙ୍କଠାରୁ କିଛି ଜାଣିବାର ସୁଯୋଗ ମିଳିଥିଲା। ଏମିତିରେ ପ୍ରାୟ ୪ବର୍ଷ ବିତି ଯାଇଥିଲା। ଲ’ ପଢ଼ିଥିଲି। ତା’ପରେ ୧୯୭୨ ମସିହାରେ କୋରାପୁଟ ଡିଏଭି କଲେଜରେ ଦର୍ଶନ ବିଭାଗର ଅଧ୍ୟାପକ ଭାବେ ନିଯୁକ୍ତି ପାଇଲି। ମାତ୍ର ଓଡ଼ିଶାରେ ଗରିବ, ଦଳିତ ଲୋକଙ୍କ କଥାକୁ ହୃଦଙ୍ଗମ କରି ସେମାନଙ୍କ ଉନ୍ନତି ନିମନ୍ତେ ସ୍ବାମୀଜୀଙ୍କ ଚିନ୍ତାଧାରାରେ କିପରି କାର୍ଯ୍ୟ ହୋଇପାରିବ ସେକଥା ଉପରେ ଗୁରୁତ୍ୱ ଦେଲି। ସେଥିପାଇଁ ଏକ ପାଠଚକ୍ର, ସାପ୍ତାହିକ ଗୀତା ପାଠ, ହନୁମାନ ଚାଳିଶା ଆଦି ଆଧାତ୍ମିକ କାର୍ଯ୍ୟ ପାଇଁ ନିକଟସ୍ଥ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପରିସରରେ ଏମିତି ଧର୍ମକାର୍ଯ୍ୟରେ କେତେଜଣ ସାମିଲ ହେଲୁ। ୧୯୮୬ରେ ଏଠାରେ ରାମକୃଷ୍ଣ ସତ୍ସଙ୍ଗ ଗଠନ ହେଲା। ମାତ୍ର ୧୯୭୧ରୁ ସକ୍ରିୟଭାବେ ସେବାକାର୍ଯ୍ୟ କଲି। କୋରାପୁଟର ଏକ ପାହାଡ଼ ଉପରେ ସ୍ବାମୀ ବିବେକାନନ୍ଦଙ୍କ ଶିଳାମଣ୍ଡପ ସ୍ଥାପିତ ହେଲା। ହସ୍ପିଟାଲ ରୋଡ଼ ପଛପଟ ରୋଡ଼କୁ ବିବେକାନନ୍ଦ ମାର୍ଗ କରାଗଲା। ୧୯୯୧ ମସିହାରେ ସ୍ବାମୀ ବିବେକାନନ୍ଦଙ୍କ ଏକ ଅଢ଼େଇ ଫୁଟର ପ୍ରତିମୂର୍ତ୍ତି ସ୍ଥାପନ କରାଗଲା। ୨୦୧୩ ମସିହାରେ ସ୍ବାମୀଜୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ସ୍ବାମୀଜୀଙ୍କ ଏକ ୯ଫୁଟର ପ୍ରତିମୂର୍ତ୍ତିକୁ ସ୍ଥାପନ କରାଯାଇଛି। ନିକଟସ୍ଥ ଆଦିବାସୀ ଗାଁର ଗରିବ ଲୋକଙ୍କୁ ବିଭିନ୍ନ ସମୟରେ ମାଗଣା ଖାଦ୍ୟ, ବସ୍ତ୍ର, ବଣ୍ଟନର ବ୍ୟବସ୍ଥା କରାଯାଇଥାଏ। ୧୯୯୦ରେ କୋରାପୁଟରୁ ଜୟପୁର ଯିବା ରାସ୍ତାରେ ବନ ଭାରତୀ ଅଞ୍ଚଳରେ ସ୍ବାମୀ ବିବେକାନନ୍ଦ ବିଦ୍ୟାପୀଠ ସ୍ଥାପିତ ହୋଇଛି। ଏବେ ଏହାର ସଭାପତି ଭାବେ କାର୍ଯ୍ୟ କରୁଛି। ସ୍ବାମୀଙ୍କ ବାଣୀ, ଆଦର୍ଶ ଜୀବନୀ, ନୈତିକତା, ଦେଶପ୍ରେମକୁ ପାଥେୟକରି ଆଗକୁ ଚାଲିଛି।
ସ୍ବାମୀଜୀଙ୍କ ବିଚାରଧାରାକୁ ବଖାଣୁଛି ବିବେକାନନ୍ଦ ଲୋକ ସଂସଦ: ସ୍ବାମୀ ବିବେକାନନ୍ଦଙ୍କ ଯୁଗାନ୍ତକାରୀ ଦର୍ଶନର କୃତିରୂପ ପ୍ରୟୋଗ ପାଇଁ ୧୯୮୯ରୁ ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ପ୍ରୟାସରତ। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକସ୍ଥିତ ନମକଣ ଗ୍ରାମରୁ ମୁଷ୍ଟିମେୟ ଯୁବକଙ୍କ ଦ୍ୱାରା ‘ବିବେକାନନ୍ଦ ଯୁବ ସଂସଦ’ ନାମରେ ଗଢ଼ି ଉଠିଥିବା ଏହି ସଂଗଠନଟି ୨୦୧୨ ବିଜୟାଦଶମୀ ତିଥିରେ କଟକଠାରେ ଆୟୋଜିତ ଏକ ବିଶେଷ ସମ୍ମିଳନୀରେ ରାଜ୍ୟସ୍ତରୀୟ ସଂଗଠନରେ ରୂପାନ୍ତରିତ ହୁଏ। ପ୍ରକାଶଯୋଗ୍ୟ, ସେହିବର୍ଷ ହିଁ ସ୍ବାମୀଜୀଙ୍କର ୧୫୦ତମ ଜନ୍ମବାର୍ଷିକୀ ପାଳିତ ହେଉଥାଏ। ଆଜୀବନ ସଦସ୍ୟଙ୍କ ନେତୃତ୍ୱରେ ପରିଚାଳିତ ଏହି ସଂଗଠନଟି ଏକ ନିଆରା କାର୍ଯ୍ୟଧାରା ନର୍ମାଣ କରିପାରିଛି। ଯେଉଁଥିରେ ପ୍ରତ୍ୟେକ ସଦସ୍ୟ ଟିମ୍ ପରିସରରେ ରହି ସାମୂହିକ ପ୍ରଚେଷ୍ଟାକୁ ବଳବତୀ କରିବା ପାଇଁ ନେତୃତ୍ୱ ନିଅନ୍ତି। ତଦନୁସାରେ ସାଂସ୍କୃତିକ ବିକାଶ, ବୌଦ୍ଧିକ ବିକାଶ, ଗ୍ରାମ ବିକାଶ ଓ ଯୁବ ବିକାଶ- ଏହିପରି ଚାରିଟି ପ୍ରଧାନ କାର୍ଯ୍ୟ ଯୋଜନାକୁ ନେଇ ଲୋକ ସଂସଦ ନିଜ ଛତ୍ରଛାୟାରେ ଯଥାକ୍ରମେ ଉତ୍କଳ କଳା ଓ ସଂସ୍କୃତି ପ୍ରତିଷ୍ଠାନ, ବିଚାରଧାରା, ମୋ ଗାଁ ଏବଂ ବିବେକାନନ୍ଦ ଯୁବ ସଂସଦ ନାମରେ ଚାରିଟି ଅନୁବନ୍ଧିତ ଶାଖା ପରିଚାଳନା କରୁଛି। ୧୫୦ ଜଣ ଆଜୀବନ ସଦସ୍ୟ ବିଶିଷ୍ଟ ଏହି ସଂଗଠନଟି ଭଦ୍ରକ ଜିଲାର ମଞ୍ଜୁରୀ ରୋଡଠାରେ ଏକ ପ୍ରାଥମିକ ବିଦ୍ୟାଳୟ, ଏକ ଚିତ୍ରାଙ୍କନ ବିଦ୍ୟାଳୟ ସହ ୧୬ଟି ଜିଲାରେ ମାସିକ ଇ- ପାଠଚକ୍ରମାଳା ଆୟୋଜନ କରୁଛି। ପ୍ରବୋଧନ ନାମରେ ଗୋଟିଏ ଇ- ପତ୍ରିକା ପ୍ରତି ମାସ ପହିଲାରୁ ପ୍ରକାଶ ପାଇ ଆସୁଛି। ଦୁର୍ବିପାକ ଓ ବିପତ୍ତି ସମୟରେ ସକ୍ରିୟ ରହୁଥିବା ଏହି ସଂଗଠନଟି ଅଦ୍ୟାବଧି କୌଣସି ସରକାରୀ ସହଯୋଗ ପାଇଁ କେବେବି ଦରଖାସ୍ତ କରିନି। ସ୍ବାମୀ ବିବେକାନନ୍ଦଙ୍କ ମାର୍ଗଦର୍ଶନରେ ନିୟମିତ ସେବାଭାବରେ ଲୋକ କଲ୍ୟାଣ ପାଇଁ ଆଗଭର ସଦସ୍ୟଗଣ ନିଜ ନିଜ ପରିବେଷ୍ଟନୀକୁ ଆଦର୍ଶ ସ୍ଥାନୀୟ କରି ଗଢ଼ି ତୋଳିବାକୁ ପ୍ରୟାସ କରୁଛନ୍ତି। ପ୍ରତ୍ୟେକ ଜିଲାରେ ସୁବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟ ବୃଦ୍ଧି ପାଇଁ ସଦସ୍ୟଗଣ ସକ୍ରିୟ ଅଛନ୍ତି। ବିଭିନ୍ନ କ୍ଷେତ୍ରରେ ସାଂଗଠନିକ ଦକ୍ଷତା ରଖିଥିବା ସ୍ବାମୀ ବିବେକାନନ୍ଦ ଲୋକସଂସଦର ସଦସ୍ୟଙ୍କ ମୂଳମନ୍ତ୍ର ରହିଛି- ସେବା, ସଂଗଠନ ଓ ସମୃଦ୍ଧି। ବ୍ୟକ୍ତିଠାରୁ ସଂଗଠନ ବଡ଼ ବୋଲି ଯେଉଁ ମହାନ୍ ଚିନ୍ତାଧାରା ରହିଆସିଛି, ତାହାକୁ ଠିକ୍ ଭାବେ ପାଳନ କରିବା ଲାଗି ସଂଗଠନର ସଭାପତିଙ୍କ ଠାରୁ ସାଧାରଣ ସଦସ୍ୟଙ୍କଯାଏ ଉଦ୍ୟମରତ ବୋଲି ଏହାର ସାଙ୍କେତିକ ଛବି ସୂଚିତ କରୁଛି।
ଛାତ୍ର ଜୀବନରୁ ପ୍ରଭାବ ପଡ଼ିଥିଲା: ବଡ଼ଭାଇ ଛାତ୍ର ଜୀବନରୁ ଶ୍ରୀରାମକୃଷ୍ଣ ଓ ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶ ଜୀବନଧାରାରେ ଅନୁପ୍ରାଣିତ ହେଲେ, ମାତ୍ର ଭଉଣୀ ବି ଏଥିରେ ଯୋଡ଼ି ହୋଇଗଲେ। ଏମିତିଭାବେ ଭାଇ ହେଲେ ସନ୍ନ୍ୟାସୀ ଏବଂ ଭଉଣୀ ଅବିବାହିତା ଭାବେ ସମାଜସେବାରେ ହେଲେ ବ୍ରତୀ। ସେହେଲେ-ନଳିନୀ ସାହୁ, ପିତା-ରାମଚନ୍ଦ୍ର ସାହୁ, ମା- ବେଙ୍ଗଦେବୀ, ଗଁା- ନୟାଗଡ଼ ଜିଲା ରଣପୁର ବ୍ଲକର ଗୋପାଳପୁରରେ। ବଡ଼ଭାଇ ଭାଗୀରଥି ସାହୁ ଯେ, କି ଶ୍ରୀରାମକୃଷ୍ଣ ଏବଂ ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପରବର୍ତ୍ତୀ ସମୟରେ ସେ ନିଜର ଶିକ୍ଷକତା ଚାକିରିକୁ ଅଧାରୁ ଛାଡ଼ି ଏବେ ସ୍ବାମୀ ଭାଗବତାନନ୍ଦ ପୁରୀଙ୍କ ନାମରେ ଘୋଷିତ। ନଳିନୀ କୁହନ୍ତି, ‘ରାମକୃଷ୍ଣ ସେବାକାର୍ଯ୍ୟ ପ୍ରତି ଆଗ୍ରହ ହୋଇ ମୁଁ ଶାରଦା ମଠକୁ ଯାଇଥିଲି। ସ୍ବାମୀଜୀଙ୍କ ଯୁବଶକ୍ତିକୁ ଆହ୍ବାନ ଭଲ ଲାଗିଥିଲା। ସମୟକ୍ରମେ ବୋଲଗଡ଼ ଅଞ୍ଚଳର ଟିକାତାଲଠାରେ ୧୯୯୦ ମସିହାରେ ସ୍ବାମୀ ବିବେକାନନ୍ଦ ସଂସ୍କୃତ ବିଦ୍ୟାପୀଠ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ସ୍ଥାପିତ ହୋଇଛି। ଏଥିରେ ଏବେ ସଂସ୍କୃତ ହେଡ ପଣ୍ଡିତ ଭାବେ ଦାୟିତ୍ୱ ତୁଲାଉଛି। ଏଥିରେ ସହକାରୀ ଶିକ୍ଷକ ବିମ୍ବାଧର ସାହୁଙ୍କ ସମେତ ଅନ୍ୟମାନେ ସହଯୋଗ କରିଥା’ନ୍ତି। ୨୦୧୮ରୁ ମାଗଣା ସିଲାଇ ଶିକ୍ଷା କେନ୍ଦ୍ର ପରିଚାଳନା, ପରିବେଶ ସୁରକ୍ଷା, ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶ ଛାତ୍ର ଜୀବନ ବିଷୟରେ ନୈତିକଶିକ୍ଷାକୁ ଗ୍ରହଣ କରି କାର୍ଯ୍ୟ କରୁଛି। ଟିକାତାଳସ୍ଥିତ ଶ୍ରୀରାମକୃଷ୍ଣ ସେବା ସଂଘଶ୍ରମରେ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଆସୁଛି। ସ୍ଥାନୀୟ ବରପାଲି, ସିନ୍ଦୁରିଆ, କୋଦଳାପଲ୍ଲୀ, ଆଦିଗାଁରେ ବିଭିନ୍ନ ସମୟରେ ଜନସେବା କାର୍ଯ୍ୟ କରିଥାଉ। ସ୍ବାମୀଜୀଙ୍କ ଆଦର୍ଶ ଜୀବନଧାରାରେ ଅନୁପ୍ରାଣିତ ହୋଇ ସମାଜର ଗଠନମୂଳକ କ୍ଷେତ୍ରରେ ସାମିଲ ହୋଇଥିବା ବହୁ ସଂଗଠନ ଓ ବ୍ୟକ୍ତି ଅଛନ୍ତି।’
– ବନବିହାରୀ ବେହେରା