Categories: ଜାତୀୟ

ଆଜିଠୁ ନୂଆ ପାର୍ଲାମେଣ୍ଟ ବିଲ୍ଡିଂରେ ଅଧିବେଶନ

ନୂଆଦିଲ୍ଲୀ,୧୯ା୯: ରାଜ୍ୟ ସଭା ଏବଂ ଲୋକ ସଭା ଅଧିବେଶନ ମଙ୍ଗଳବାର ନୂଆ ପାର୍ଲାମେଣ୍ଟ ବିଲ୍ଡିଂରେ ଆରମ୍ଭ ହେବ। ନୂଆ ଚାମ୍ବରରେ ସଂଗଠିତ ବିଶୃଙ୍ଖଳା ଏବଂ ପ୍ଲାକାର୍ଡ ଦେଖାଇବାରୁ ଦୂରେଇ ରହିବାକୁ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ସଦସ୍ୟମାନଙ୍କୁ ନିବେଦନ କରିଛନ୍ତି। ନବନିର୍ମିତ ସଂସଦ ଭବନର ଉଚ୍ଚ ସଦନରେ ରାଜ୍ୟ ସଭା ଅଧିବେଶନ ଅପରାହ୍ନ ୨ଟା ୧୫ରେ ଆରମ୍ଭ ହେବାକୁ ଥିବାବେଳେ ନିମ୍ନ ସଦନରେ ଅପରାହ୍ନ ୧ଟା ୧୫ରେ ଲୋକ ସଭା ଅଧିବେଶନ ଆରମ୍ଭ ହେବ। ସୋମବାର ଉଭୟ ଗୃହର ସଦସ୍ୟମାନେ ପୁରୁଣା ସଂସଦ ଭବନକୁ ବିଦାୟ ଜଣାଇବା ଅବସରରେ ୭୫ ବର୍ଷର ସଂସଦୀୟ ଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ। ଅଧିବେଶନ ଶେଷ କରିବା ପୂର୍ବରୁ ବାଚସ୍ପତି ବିର୍ଲା କହିଥିଲେ, ଐତିହାସିକ ତଥା ମର୍ଯ୍ୟାଦାଜନକ ଚାମ୍ବରରେ ଶେଷ ଦିନରେ ଗଠନମୂଳକ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ଓ ସବୁ ଦଳର ନେତା ଦେଶର ଗଣତାନ୍ତ୍ରିକ ଯାତ୍ରା ଓ ଐତିହାସିକ ନିଷ୍ପତ୍ତି ସମ୍ପର୍କରେ ସେମାନଙ୍କ ମତାମତ ଓ ଅଭିଜ୍ଞତା କହିଥିଲେ। ଏହା ସମସ୍ତଙ୍କ ପାଇଁ ଏକ ଐତିହାସିକ ଏବଂ ଅଭୁଲା ମୁହୂର୍ତ୍ତ। ଆମେ ନୂଆ ଭବନରେ ପ୍ରବେଶ କରିବାକୁ ଯାଉଥିଲାବେଳେ ପୁରୁଣା ବିଲ୍ଡିଂର ସ୍ମୃତି ଆମ ହୃଦୟରେ ସବୁବେଳେ ରହିବ ବୋଲି ବିର୍ଲା କହିଥିଲେ। ନୂଆ ଭବନରେ ଆମେ ଆମର ସଂସଦୀୟ ଗଣତନ୍ତ୍ରର ଯାତ୍ରା ଆରମ୍ଭ କରିବା। ସେଠାରେ ଆମେ ନୂଆ ମାଇଲଖୁଣ୍ଟ ପ୍ରତିଷ୍ଠା କରିବା ନେଇ ବାଚସ୍ପତି ଆଶାବ୍ୟକ୍ତ କରିଥିଲେ। ସେଥିପାଇଁ ସଦସ୍ୟମାନେ କେତେକ ପୁରୁଣା କାର୍ଯ୍ୟ ଯଥା ପ୍ଲାକାର୍ଡ ଦେଖାଇବା, ସଂଗଠିତ ଭାବେ ଗୃହ କାର୍ଯ୍ୟରେ ବିଶୃଙ୍ଖଳା ସୃଷ୍ଟି କରିବାରୁ ଦୂରେଇ ରହି ସର୍ବୋଚ୍ଚ ଗଣତାନ୍ତ୍ରିକ ପରମ୍ପରା ସ୍ଥାପନ କରିବାକୁ ବାଚସ୍ପତି ଅନୁରୋଧ କରିଥିଲେ। ରାଜ୍ୟ ସଭା ଅଧିବେଶନ ନୂଆ ବିଲ୍ଡିଂରେ ଅପରାହ୍ନ ୨ଟା ୧୫ରେ ଆରମ୍ଭ ହେବ ବୋଲି ଅଧ୍ୟକ୍ଷ ଜଗଦୀପ୍‌ ଧନ୍‌କର କହିଛନ୍ତି।

Share