୩ ଦିନ ମଧ୍ୟରେ ଦାବି ପୂରଣ କର

କେସିଙ୍ଗା,୨୪।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକ ଯୋଗାଣ ସହାୟକ ସଙ୍ଘ ସଭାପତି ଚମାରୁ ସୁନା, ସମ୍ପାଦକ ଦୁର୍ଗା ପ୍ରସାଦ ମିଶ୍ରଙ୍କ ନେତୃତ୍ୱର ଗୁରୁବାର ୬ ଦଫା ସମ୍ବଳିତ ଏକ ଦାବିପତ୍ର ଶାସନ ସଚିବ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଉଦ୍ଦେଶ୍ୟରେ କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁଙ୍କୁ ପ୍ରଦାନ କରାଯାଇଛି।

କେସିଙ୍ଗା ବ୍ଳକର ୨୬ ପଞ୍ଚାୟତରେ ୨୧ଜଣ ଯୋଗାଣ ସହାୟକଙ୍କୁ ଓଡ଼ିଶା ସରକାର ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗ ପତ୍ର ସଂଖ୍ୟା ୭୦୪୦/୨୧-୪-୨୦୧୨ ଅନୁସାରେ କେସିଙ୍ଗା ବ୍ଳକରେ ନିଯୁକ୍ତି ଦିଆଯାଇଛି।

୨୦୧୩ରେ ଜିଲାପାଳଙ୍କ ଅନୁମୋଦନ କ୍ରମେ ପ୍ରତ୍ୟେକ ପଞ୍ଚାୟତରେ ନିଯୁକ୍ତି ପାଇଥିବା ଯୋଗାଣ ସହାୟକ ସୂଚାରୁପେ ଚାଉଳ ବଣ୍ଟନ କରି ଆସୁଛନ୍ତି। ହେଲେ ସ୍ନାତକ ଡିଗ୍ରୀଧାରୀଙ୍କୁ ସ୍ବଳ୍ପ ବେତନ ଦିଆଯାଉଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ଯୋଗାଣ ସହାୟକଙ୍କ ଚାକିରି ସ୍ଥାୟୀ କରିବା, ମାସିକ ୨୫ ହଜାର ଟଙ୍କାକୁ ବୃଦ୍ଧି ଏହିପରି ୬ ଦଫା ସମ୍ବଳିତ ଏକ ଦାବିପତ୍ର କେସିଙ୍ଗା ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି। ଆସନ୍ତା ୩ ଦିନ ଭିତରେ ଦାବି ପୂରଣ କରା ନ ଗଲେ ଯୋଗାଣ ସହାୟକ ସଙ୍ଘ କେସିଙ୍ଗା ପକ୍ଷରୁ ଶାନ୍ତି ପୂର୍ଣ୍ଣ ଭାବେ ଅନିର୍ଦ୍ଦିଷ୍ଟ କାଳ ଆନ୍ଦୋଳନ କରାଯିବ ବୋଲି ସଙ୍ଘର ସଭାପତି ଚମାରୁ ସୁନା ଓ ସମ୍ପାଦକ ଦୁର୍ଗା ପ୍ରସାଦ ମିଶ୍ର ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି।