Categories: ମେଟ୍ରୋ

ଖୋଲା ଆକାଶ ତଳେ ପିଲାଛୁଆ ଧରି ବସ୍ତିବାସିନ୍ଦା

ଭୁବନେଶ୍ୱର, ୨୨।୧୦ (ବ୍ୟୁରୋ): ନୋଟିସ୍‌ ନାହିଁ କି କିଛି ସୂଚନା ବି ନାହିଁ। ହଠାତ୍‌ ଆସିଲେ, ଆଉ ଆମ ଘର ଭାଙ୍ଗିଦେଲେ। ପିଲାଛୁଆ ଧରି ଗୁରୁବାର ରାତିରୁ ବାହାରେ ପଡିଛୁ। ଆମେ ସିନା ବଡ଼ ଲୋକ ଯାହା ଯେମିତି ରହିଯିବୁ, ହେଲେ କଅଁଳା ଛୁଆମାନେ ଖୋଲା ଆକାଶ ତଳେ କେମିତି ରହିବେ। ଆଗକୁ ବର୍ଷା ଆସୁଛି, ଏହା ଜାଣି ମଧ୍ୟ ଆମ ମୁଣ୍ଡ ଉପରୁ ପ୍ରଶାସନ ଛାତ ଛଡାଇ ନେଇଛି। କୋଳରେ ଛୋଟ ଛୁଆ ଧରି ଏବେ ଲୋକମାନେ କାନ୍ଦୁଛନ୍ତି। ହଠାତ୍‌ ଉଚ୍ଛେଦ ହୋଇଥିବାରୁ ଲୋକେ ଘରୁ ଜିନିଷ ବାହାର କରିବାକୁ ବି ସମୟ ପାଇ ନ ଥିବା କୋହଭରା କଣ୍ଠରେ ଅଭିଯୋଗ କରିଛନ୍ତି ସତ୍ୟକାଳୀ ବସ୍ତି ବାସିନ୍ଦା।
ସ୍ମାର୍ଟସିଟି ଲିମିଟେଡ୍‌ ପକ୍ଷରୁ ସତ୍ୟନଗର ଲେକ୍‌ ନ୍ୟୁଟ୍ରାଲ ପ୍ରକଳ୍ପ ଆରମ୍ଭ ହୋଇଛି। ଏଥିପାଇଁ ସ୍ମାର୍ଟସିଟିର ଅନୁରୋଧକ୍ରମେ ବିଡିଏ ପକ୍ଷରୁ ଗୁରୁବାର ସତ୍ୟକାଳୀ ବସ୍ତି ଉଚ୍ଛେଦ କରାଯାଇଥିଲା। ବସ୍ତି ବାସିନ୍ଦାଙ୍କ ତୀବ୍ର ବିରୋଧ ସତ୍ତ୍ୱେ ପ୍ରଶାସନ କିଛି ଶୁଣି ନ ଥିଲା। ପ୍ରତିରୋଧ କରିବାରୁ ପୋଲିସ ସେମାନଙ୍କୁ ମାଡ ମାରିଥିଲା। କେତେଜଣଙ୍କୁ ବଳପୂର୍ବକ ଉଠାଇ ନେଇଥିଲା। ପରେ ଗୋଟିଏ ପରେ ଗୋଟିଏ ଘର ଉପରେ ଡୋଜର ଚଢ଼ାଇ ମାଟିରେ ମିଶାଇ ଦିଆଯାଇଥିଲା। ଦିନ ୧୧ଟାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଭଙ୍ଗାରୁଜା ଚାଲିଥିଲା। ଘଟଣା ସମ୍ପର୍କରେ ବିଡିଏର ଜଣେ ଅଧିକାରୀ କହିଛନ୍ତି, ହଠାତ୍‌ କିଛି ହୋଇନାହିଁ। ପୂର୍ବରୁ ଆମେ ସେମାନଙ୍କୁ ନୋଟିସ୍‌ ଦେଇଥିଲୁ। ସେହି ବସ୍ତିରେ ପ୍ରଥମ କରି ଏହି ଉଚ୍ଛେଦ ହୋଇନାହିଁ। ପୂର୍ବରୁ ୫ଥର ପର୍ଯ୍ୟାୟକ୍ରମେ ଉଚ୍ଛେଦ ହୋଇଥିଲା। ଗୁରୁବାର ଶେଷଥର ପାଇଁ ସମ୍ପୃକ୍ତ ଅଞ୍ଚଳରୁ ଜବରଦଖଲ ହଟାଯାଇଛି। ରେ’ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ବସ୍ତି ବାସିନ୍ଦାମାନଙ୍କୁ ଘର ପ୍ରଦାନ କରାଯାଇଛି। ସେମାନେ ସେଠାକୁ ସ୍ଥାନାନ୍ତର ହୋଇପାରିବେ। ତେବେ ଥଇଥାନର ଦାୟିତ୍ୱ ବିଡିଏର ନୁହେଁ। ନନ୍‌ ରେ’ମାନଙ୍କ ଥଇଥାନ କଥା ବିଏମ୍‌ସି ବୁଝିବ।
ସୂଚନାଯୋଗ୍ୟ, ୨୦୦୧ରୁ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ପରିବାର ଏହି ଅଞ୍ଚଳରେ ଘର କରି ରହୁଥିଲେ। ସେମାନଙ୍କ ମଧ୍ୟରେ କେତେଜଣଙ୍କୁ ‘ରେ’ (ରାଜୀବ ଆବାସ ଯୋଜନା)ରେ ଘର ମିଳିଥିବାବେଳେ ଆଉ କେତେଜଣ ନନ୍‌ ରେ’ରେ ଅଛନ୍ତି। ବସ୍ତିରେ ରହୁଥିବା ପରିବାରର ପୁରୁଷମାନେ ମୂଲ ମଜୁରି କରୁଥିବାବେଳେ ମହିଳାମାନେ ପର ଘରେ ବାସନ ମାଜିବା ସହ ଅନ୍ୟ କାମ କରି ଗୁଜୁରାଣ ମେଣ୍ଟାଉଥିଲେ। ଦୀର୍ଘବର୍ଷ ଧରି ପିଲାଛୁଆ ପରିବାର ସହ ରହି ଆସୁଥିବାବେଳେ ହଠାତ୍‌ ପ୍ରଶାସନ ସେମାନଙ୍କୁ ବେଘର କରି ଦେଇଛି। ହେଲେ କିଛି ଥଇଥାନ ବ୍ୟବସ୍ଥା କରାଯାଇ ନ ଥିବାରୁ ସେମାନେ ସେମିତି ଭଙ୍ଗା ଘର ନିକଟରେ ଦିନରାତି କାଟୁଛନ୍ତି।

Share