୭ ଶିଳ୍ପୀଙ୍କୁ ଧର୍ମପଦ ପୁରସ୍କାର

ଭୁବନେଶ୍ୱର(ବ୍ୟୁରୋ),୧୦ା୮- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡ଼ିଶା ଲଳିତକଳା ଏକାଡେମୀ ପକ୍ଷରୁ ଚିତ୍ରକଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟକଳା କ୍ଷେତ୍ରରେ ପ୍ରଦାନ କରାଯାଉଥିବା ରାଜ୍ୟର ସର୍ବୋଚ୍ଚ ସମ୍ମାନ ‘ଧର୍ମପଦ ପୁରସ୍କାର’ ସୋମବାର ପ୍ରଦାନ କରାଯାଇଛି। ଜୀବନବ୍ୟାପୀ ସାଧନା ଓ ରାଜ୍ୟର କଳାକ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ୭ଜଣ ବରିଷ୍ଠ ଶିଳ୍ପୀଙ୍କୁ ଏହି ପୁରସ୍କାର ଦିଆଯାଇଛି। ରାଜ୍ୟ ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପୁରସ୍କୃତ ଶିଳ୍ପୀଙ୍କ ବାସଭବନକୁ ଯାଇ ସମ୍ମାନ ପ୍ରଦାନ କରିଛନ୍ତି। ୨୦୦୯ ମସିହା ପାଇଁ ସ୍ବର୍ଗତ ଗୋକୁଳି ବିହାରୀ ପଟ୍ଟନାୟକ, ୨୦୧୦ ପାଇଁ ଚିତ୍ର ଓ ମଞ୍ଚଶିଳ୍ପୀ ସ୍ବର୍ଗତ ଅସୀମ ବସୁ, ୨୦୧୧ ପାଇଁ ଖଲ୍ଲିକୋଟ କଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ଦୁର୍ଗାପ୍ରସାଦ ଦାସ, ୨୦୧୨ ପାଇଁ ବିଶିଷ୍ଟ ଭାସ୍କର୍ଯ୍ୟଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ସାହୁ, ୨୦୧୩ ପାଇଁ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚିତ୍ରଶିଳ୍ପୀ ଯତୀନ ଦାସ, ୨୦୧୪ ପାଇଁ ଶିଳ୍ପୀ ଓ କଳା ସମାଲୋଚକ ସ୍ବର୍ଗତ ଡ. ଦୀନନାଥ ପାଠୀ ଓ ୨୦୧୫ ପାଇଁ ପଦ୍ମବିଭୂଷଣ ଡ. ରଘୁନାଥ ମହାପାତ୍ରଙ୍କୁ ସମ୍ମାନଜନକ ଧର୍ମପଦ ପୁରସ୍କାର ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ୨୦୦୯ ମସିହାରୁ କୋର୍ଟରେ ମାମଲା ସହ ବିଭିନ୍ନ ବାଦବିବାଦ ଯୋଗୁ ଏହି ପୁରସ୍କାର ସ୍ଥଗିତ ହୋଇ ରହିଥିଲା।

Share