ଭାରତ, ଆମେରିକା ସମେତ ୭ ଦେଶ ଚାଇନା ଉପରେ ଲଗାଇଲେ ଯାତ୍ରା ପ୍ରତିବନ୍ଧକ

ୱାଶିଂଟନ/ନୂଆଦିଲ୍ଲୀ,୩୦ ।୧୨: ଚାଇନାରେ ବେଳକୁ ବେଳ ଅଣାୟତ୍ତ ହୋଇଛି କୋଭିଡ ସଂକ୍ରମଣ । କେବଳ ଡିସେମ୍ବର ମାସରେ ଚାଇନାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୩୫ କୋଟି ବୋଲି କୁହାଯାଉଛି । ଚାଇନାର ଏହି ସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଓ ଆମେରିକା ସମେତ ୭ଟି ଦେଶ ଚାଇନା ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଛନ୍ତି । ଏହି ପ୍ରତିବନ୍ଧକ ଅନୁଯାୟୀ, ଚାଇନାରୁ ଆସୁଥିବା ଯାତ୍ରୀମାନେ କୋଭିଡ ନେଗେଟିଭର ପ୍ରମାଣ ଦେବା ଜରୁରୀ । ଏସବୁ ଦେଶ ମଧ୍ୟରେ ରହିଛନ୍ତି ଜାପାନ, ଦକ୍ଷିଣ କୋରିଆ, ତାଇୱାନ, ଇଟାଲୀ ଓ ମାଲେସିୟା ।

ସୂଚନାଯୋଗ୍ୟ, ଏବେ ପର୍ଯ୍ୟନ୍ତ ଇଟାଲୀ କରୋନା ସଂକ୍ରମଣ ଯୋଗୁ ହୋଇଥିବା କ୍ଷତିକୁ ଭରଣା କରିପାରି ନ ଥିବା ବେଳେ ପୁଣିଥରେ କରୋନାର ଲେଉଟାଣି ଇଟାଲୀର ଚିନ୍ତା ବଢାଇଛି । ବୁଧବାର ଚାଇନାରୁ ଆସିଥିବା ଦୁଇଟି ବିମାନରେ ୨୧୨ ଜଣ ଯାତ୍ରୀ ଥିବା ବେଳେ ସେଥିରୁ ୧୦୦ ଜଣ କରୋନା ସଂକ୍ରମିତ ଥିବା ଚିହ୍ନଟ ହୋଇଛନ୍ତି । ଏହାପରେ ତୁରନ୍ତ ଇଟାଲୀ ସରକାର ଚାଇନାରୁ ଆସୁଥିବା ଯାତ୍ରୀଙ୍କ ପାଇଁ କରୋନା ଟେଷ୍ଟ କରିବା ବାଧ୍ୟତାମୂଳକ କରି ଦେଇଛନ୍ତି । ଜର୍ମାନୀ ମଧ୍ୟ ବିମାନ ବନ୍ଦରରେ ସ୍ୱାସ୍ଥ୍ୟକର୍ମୀଙ୍କୁ ସଜାଗ ରହିବାକୁ କହିଛି ହେଲେ କୌଣସି ପ୍ରତିବନ୍ଧକ ଲଗାଇନାହିଁ ।

Share