ରାୟପୁର,୨।୨: ଛତିଶଗଡ଼ରେ ସିଆରପିଏଫ୍ ଓ ପୋଲିସ ମିଳିତ ଭାବେ ମାଓବାଦୀ ବିରୋଧୀ ଅଭିଯାନ ଚଳାଉଛନ୍ତି। ଫରଓ୍ବାର୍ଡ ଅପରେଟିଂ ବେସ୍ ନିର୍ମାଣ ହେବା ପରେ ମାଓବାଦୀ ଗତିବିଧି ହ୍ରାସ ପାଇଛି। ସୁରକ୍ଷାକର୍ମୀ ମାଓବାଦୀଙ୍କୁ ନେଇ ଅଞ୍ଚଳରେ ସତର୍କତା ସହ କାମ କରୁଛନ୍ତି। ଇତିମଧ୍ୟରେ ଗୁରୁବାର ଛତିଶଗଡ଼ ପୋଲିସ ଓ ସିଆରପିଏଫ୍ଙ୍କୁ ବଡ଼ ସଫଳତା ମିଳିଛି। ସୁକମା ଜିଲାରୁ ୭ମାଓବାଦୀଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ଫେବୃଆରୀ ୧ ବିଳମ୍ବିତ ରାତିରେ ୧୪୧ ବାଟାଲିୟନ୍ ସିଆରପିଏଫ୍ ଏବଂ ଛତିଶଗଡ଼ ପୋଲିସ ମିଳିତ ଭାବେ ସୁକମାର କୋଣ୍ଡାବାଇ ଗ୍ରାମର ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ରାତିସାରା ଯବାନମାନେ ଉକ୍ତ ଅଞ୍ଚଳରେ କମ୍ବିଂ ଅପରେଶନ୍ ଚଳାଇଥିବା ବେଳେ ପେବୃଆରୀ ୨ ତାରିଖ ଅର୍ଥାତ୍ ଗୁରୁବାର ୭ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି। ଉକ୍ତ ମାଓବାଦୀ ନିମ୍ମଲଗୁଡେମର ରିଭଲୁସ୍ନାରୀ ପିପୁଲ୍ସ କାଉନସିଲ୍ (ଆରପିସି) ଏବଂ ପ୍ରତିବନ୍ଧ ସିପିଆଇ ମାଓବାଦୀର ସଦସ୍ୟ ବୋଲି ଜଣାପଡ଼ିଛି। ଗିରଫ ମାଓବାଦୀ ହେଲେ କଲ୍ମୁ ସତ୍ୟମ, କଲମୁ ଜୋଗା, କିକିଦି ଜୋଗା, ମଦିବି ମଙ୍ଗା ଏମାନେ ୩ବର୍ଷ ହେଲା ଆରପିସିର ସଦସ୍ୟ ଅଛନ୍ତି। ସେହିପରି ୨ବର୍ଷରୁ ଆରପିସିର ସଦସ୍ୟ ଥିବା ମଦକମ୍ ଏଥାଙ୍କ ସହ ଗତ ୧ବର୍ଷରୁ ସଦସ୍ୟ ଥିବା କଲମୁ ଭୀମାଙ୍କୁ ପୋଲିସ ଗିରଫ କରିଛି।