Advertisement

୧୭ ପିଲା, ଶିକ୍ଷକ ଗୁରୁତର

ଦେବଗଡ଼, ୨୦ା୮(ଡି.ଏନ୍‌.ଏ.): ଦେବଗଡ଼ ଜିଲା ତିଲେଇବଣି ବ୍ଲକ କୁଟୁରାପସି ପ୍ରାଥମିକ ବିଦ୍ୟାଳୟ ଉପରେ ବଜ୍ରପାତ ହେବାରୁ ୧୭ ଛାତ୍ରୀଛାତ୍ରଙ୍କ ସମେତ ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି। ଶୁକ୍ରବାର ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଶ୍ରେଣୀ କୋଠରୀରେ ପାଠପଢ଼ା ଚାଲିଥିବାବେଳେ ଏହି ଘଟଣା ଘଟିଛି। ଆହତ ଛାତ୍ରୀଛାତ୍ର ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ଶ୍ରେଣୀର। ୬ଜଣ ଛାତ୍ରୀ ଓ ଜଣେ ଛାତ୍ରଙ୍କ ଅବସ୍ଥା ଅଧିକ ଗୁରୁତର ରହିଛି। ଗୁରୁତର ଥିବା ସମସ୍ତ ଛାତ୍ରୀଛାତ୍ରଙ୍କୁ ୧୦୮ଆମ୍ବୁଲାନ୍ସରେ ଅଣାଯାଇ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଚିକିତ୍ସାଧୀନ ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ଜଣାପଡ଼ିଛି। ବଜ୍ରପାତର ପ୍ରଭାବ ଏତେ ଅଧିକ ଥିଲା ଯେ, ଶ୍ରେଣୀ କୋଠରି ଛାତ କଣା ହୋଇଯାଇଥିବାବେଳେ ସିଲିଂରୁ ପ୍ଲାଷ୍ଟର ଖସି ପଡ଼ିଥିଲା। ଚଟାଣ ସବୁ ଫାଟି ଫାଳଫାଳ ହୋଇଯାଇଛି। ଏଥିସହ ବିଦ୍ୟୁତ୍‌ ଉପକରଣ ସବୁ ପୋଡ଼ି ନଷ୍ଟ ହୋଇଯାଇଛି।ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ, ଏସ୍‌ପି ପ୍ରମୋଦ କୁମାର ରଥ ମୁଖ୍ୟ ଚିକିତ୍ସାଳୟକୁ ଆସି ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଜିଲାପାଳ ସୌମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶରେ ଦେବଗଡ଼ ତହସିଲଦାର ପଲ୍ଲବୀ ନାୟକ, ତିଲେଇବଣି ବ୍ଲକ ଭାରପ୍ରାପ୍ତ ବିଡିଓ ସୁନୀଲ ଗୁରୁ, ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରାଙ୍କ ସମେତ ଶିକ୍ଷା ବିଭାଗର ବହୁ ଅଧିକାରୀ ଉପସ୍ଥିତ ରହି ଛାତ୍ରୀଛାତ୍ରଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share