୧୭ ସହର ପ୍ରାକୃତିକ ବିପର୍ଯ୍ୟୟ କ୍ଷତିଗ୍ରସ୍ତ ଘୋଷିତ

ଢାକା/ୟାଙ୍ଗୋନ, ୧୬।୫ : ବାତ୍ୟା ମୋଚା ପ୍ରଭାବରେ ବାଂଲାଦେଶ ଓ ମ୍ୟାନ୍‌ମାରରେ ବହୁ କ୍ଷତି ଘଟିଛି। ବର୍ଷା ଓ ଭୀଷଣ ପବନ ଯୋଗୁ ବିଭିନ୍ନ ସ୍ଥାନରେ ଶୋଚନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ୫ ଝଡ଼ର ବଳ ରଖିଥିବା ମୋଚାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଏବେ ବାସହରା ହୋଇଛନ୍ତି। ବାଂଲାଦେଶରେ ଥିବା ବିଶ୍ୱର ସବୁଠୁ ବଡ଼ ଶରଣାର୍ଥୀ ଶିବିର ଅଧିକ ପ୍ରଭାବିତ ହୋଇଥିବାବେଳେ ୧୩୦୦ ଆଶ୍ରୟସ୍ଥଳୀ ଭାଙ୍ଗି ନଷ୍ଟ ହୋଇଯାଇଛି। ଲଗାଣ ବର୍ଷା ଯୋଗୁ ଅନେକ ସ୍ଥାନରେ ଭୂସ୍ଖଳନ ସାଙ୍ଗକୁ ବନ୍ୟାସ୍ଥିତି ଦେଖାଦେଇଛି।
ପ୍ରଭାବରେ ମ୍ୟାନ୍‌ମାର ରାଖିନେ ଜିଲାର ୧୭ ସହର କ୍ଷତିଗ୍ରସ୍ତ ହୋଇଥିବା କର୍ତ୍ତୃପକ୍ଷ କହିଛନ୍ତି। ଫିଉ, ମାନାଉଙ୍ଗ, ରାମରି, ଆନ, ସିଟଓ୍ବେ, ପାଉକଟ, ପୋନାଜିଅମ, ଗଓ୍ବା ଆଦି ଇଲାକାକୁ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ପ୍ରଭାବିତ ସ୍ଥାନରେ ବହୁ ଧନ ଜୀବନ ନଷ୍ଟ ହୋଇଛି।
ମୋଚା ରବିବାର ବାଂଲାଦେଶ-ମ୍ୟାନ୍‌ମାର ସୀମାରେ ଲ୍ୟାଣ୍ଡଫଲ କରିବା ପରେ ଏହି ସାମୁଦ୍ରିକ ଝଡ଼ ଉତ୍ତର ଏବଂ ଉତ୍ତର ପୂର୍ବ ଅଡ଼କୁ ଅଗ୍ରସର ହେବ। ଚାଇନା ଷ୍ଟେଟ୍‌ ଏବଂ ମାଗଓ୍ବେ ରେଜିଅନ୍‌ରେ ଏହାର ପ୍ରଭାବ ଦେଖିବାକୁ ମିଳିବ ବୋଲି ମ୍ୟାନ୍‌ମାର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ମାଗଓ୍ବେରେ ପ୍ରବଳ ବର୍ଷା ହୋଇଥିବାବେଳେ ଏହା ଗତ ୫୫ ବର୍ଷର ରେକର୍ଡ ଭାଙ୍ଗିଚି। ବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ସାମୁଦ୍ରିକ ଝଡ଼ ମୋଚା ପ୍ରଭାବରେ ଦକ୍ଷିଣ ଏସୀୟ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

Share