Categories: ଜାତୀୟ

ଦିଲ୍ଲୀରେ ୪୦ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା: ଗଲାଣି ୧୨ ଜୀବନ

ନୂଆଦିଲ୍ଲୀ,୯।୭: ଗତ ଦୁଇଦିନ ହେଲା ଉତ୍ତର ଭାରତର ବିଭିନ୍ନ ଭାଗରେ ଲଗାଣ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁ ବର୍ତ୍ତମାନ ସୁଦ୍ଧା ୧୨ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏପରି କି ଆସନ୍ତା ଦୁଇଦିନ ଅଞ୍ଚଳରେ ବର୍ଷା ଲାଗି ରହିବ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଦିଲ୍ଲୀ, ହରିୟାଣା, ହିମାଚଳପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ, ପଞ୍ଜାବ ଏବଂ ଜମ୍ମୁ-କଶ୍ମୀରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଅନ୍ୟପକ୍ଷେ ପ୍ରବଳ ବର୍ଷା ଯୋଗୁ ରାଜଧାନୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ପାଣି ଜମି ରହି ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଛି। ଦିଲ୍ଲୀରେ ୨୪ ଘଣ୍ଟା ମଧ୍ୟରେ ୧୫୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହାକି ୪୦ ବର୍ଷର(୧୯୮୨) ରେକର୍ଡ ଭାଙ୍ଗିଛି। ରବିବାର ମଧ୍ୟ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁ ଗୁରୁଗ୍ରାମର ବିଭିନ୍ନ ସ୍ଥାନରେ ପାଣି ଜମି ରହି ନିଷ୍କାସନ ହୋଇପାରୁ ନାହିଁ। ଫଳରେ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି।

ଏପରି କି ଦିଲ୍ଲୀର ଏକ ଘରଛାତ ପ୍ଲାଷ୍ଟର ଖସିପଡିବାରୁ ୫୮ ବର୍ଷୀୟା ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ରାଜସ୍ଥାନରେ ବର୍ଷାଜନିତ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି। ରବିବାର ବର୍ଷାରେ ଉତ୍ତରପ୍ରଦେଶର ମୁଜାଫରନଗରରେ ଜଣେ ମହିଳା ଏବଂ ତାଙ୍କର ୬ ବର୍ଷର ଝିଅଙ୍କ ମୃତ୍ୟୁ ଘଟିଛି। ସେହିଭଳି ହିମାଚଳ ପ୍ରଦେଶର ଶିମ୍‌ଲାରେ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ଘଟିଛି। ଶନିବାର ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାରେ ହୋଇଥିବା ବନ୍ୟାରେ ୨ଜଣ ଯବାନ ପାଣିରେ ଭାସି ଯାଇଥିଲେ।

Share