ଇମ୍ରାନଙ୍କ ଆସନ ଟଳମଳ

ଇସଲାମାବାଦ୍‌,୧୮।୩: ପାକିସ୍ତାନର ଇମ୍ରାନ ଖାନ ସରକାର ଉପରେ ସଙ୍କଟର ବାଦଲ ଛାଇ ଯାଇଛି। ଇମ୍ରାନଙ୍କ ଗାଦିରୁ ହଟାଇବା ପାଇଁ ତାଙ୍କ ନିଜ ଦଳ ତେହେରିକ-ଇ-ଇନସାଫ (ପିଟିଆଇ)ର ଏମ୍‌ପିମାନେ ବି ଲାଗିପଡିଛନ୍ତି। ସେମାନେ ବିରୋଧୀ ସହ ହାତ ମିଳାଇଛନ୍ତି। ସରକାର ବିରୋଧରେ ସଂସଦରେ ଏକ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ବିପକ୍ଷ ପ୍ରସ୍ତୁତ ହେଉଛନ୍ତି। ଏହା ପୂର୍ବରୁ ପାକିସ୍ତାନ ତେହେରିକ-ଇ-ଇନସାଫର ୨୪ ଏମ୍‌ପି ଇସଲାମାବାଦର ସିନ୍ଧ ହାଉସରେ ଆଶ୍ରୟ ନେଇଛନ୍ତି।
ଅର୍ଥନୀତି ଏବଂ ବୈଦେଶିକ ନୀତିକୁ ଠିକ ଭାବରେ ପରିଚାଳନା କରୁ ନ ଥିବାରୁ ବିରୋଧୀଦଳ ଇମ୍ରାନଙ୍କୁ ବାରମ୍ବାର ଟାର୍ଗେଟ୍‌ କରୁଛନ୍ତି। ଇମ୍ରାନଙ୍କ ଦଳର ଏମ୍‌ପି ରାଜା ରିୟାଜ ଏକ ସାକ୍ଷାତକାରରେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ମତଭେଦ ରହିଛି। ରିୟାଜ ଦାବି କରିଛନ୍ତି ଯେ ୨୦ରୁ ଅଧିକ ଏମ୍‌ପି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଖୁସି ନାହାନ୍ତି। ଅବିଶ୍ୱାସ ପ୍ରସ୍ତାବ ସମୟରେ ସମସ୍ତ ଏମ୍‌ପି ନିଜ ବିବେକ ଅନୁଯାୟୀ ମତଦାନ କରିବେ।
ଅବିଶ୍ୱାସ ପ୍ରସ୍ତାବ ଜିତିବା ପାଇଁ, ସଂସଦର ନିମ୍ନ ଗୃହରେ ସମୁଦାୟ ୩୪୨ ଜଣ ସଦସ୍ୟଙ୍କ ମଧ୍ୟରୁ ୧୭୨ ଜଣ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ଜାତୀୟ ସଭାରେ ଇମ୍ରାନ ଖାନ ବହୁମତ ରହିଛି। ଏଠାରେ ତାଙ୍କ ପିଟିଆଇର ୧୫୫ ସଦସ୍ୟ ଏବଂ ମିଳିତ ସହଯୋଗୀ ଦଳର ୨୩ ସଦସ୍ୟ ଅଛନ୍ତି। ବିରୋଧୀ ଦଳର ୧୬୩ ସଦସ୍ୟ ଅଛନ୍ତି। ବିରୋଧୀ ଦଳ ଆଶା କରୁଛନ୍ତି ଯେ ଶାସକ ମିଳିତ ମଞ୍ଚର କିଛି ଅସନ୍ତୁଷ୍ଟ ବିଧାୟକ ତାଙ୍କ ସରକାରକୁ ହଟାଇବାରେ ସେମାନଙ୍କୁ ସମର୍ଥନ କରିବେ। ୨୦୧୮ ରେ କ୍ରିକେଟର-ରାଜନେତା ପାଲଟିଥିବା ଇମ୍ରାନ କ୍ଷମତାକୁ ଆସିଥିଲେ ଏବଂ ପରବର୍ତ୍ତୀ ସାଧାରଣ ନିର୍ବଚନ ୨୦୨୩ ରେ ହେବ।

Share