ଭୁବନେଶ୍ୱର,୬ା୧(ବ୍ୟୁରୋ): ରାଜ୍ୟରେ ଶୀତର ପ୍ରକୋପ ସାମାନ୍ୟ ବୃଦ୍ଧି ପାଇଛି। ଶୁକ୍ରବାରଠାରୁ ଶୀତ ଆହୁରି ବଢ଼ିବ। ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ତଳକୁ ଖସିବ। ଆସନ୍ତା ୧୦ ତାରିଖ ଯାଏ ପାରଦ ତଳମୁହାଁ ରହିବ। ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ବାୟୁ ପ୍ରବାହ ହେଉଥିବାରୁ ଶୀତ ବଢ଼ିବ। ତେବେ ୧୧ ତାରିଖରୁ ପୁଣି କମିଯିବ। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ବାଲେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୧.୭ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିବା ବେଳେ ଢେଙ୍କାନାଳରେ ୧୨, ଭଦ୍ରକ ୧୩.୫, ଦାରିଙ୍ଗବାଡ଼ି ୧୩ ଏବଂ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ସେଲ୍ସିୟସ ଥିବା ଜଣାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ବଲାଙ୍ଗୀର, ସୋନପୁର, ଅନୁଗୋଳ, ଢେଙ୍କାନାଳ, କଟକ, ସମ୍ବଲପୁରରେ ହାଲ୍କା କୁହୁଡ଼ି ହେବାର ସମ୍ଭାବନା ରହିଛି।