ରାଜଧାନୀରେ ଘରେ ପଶିଲା ନର୍ଦ୍ଦମା ପାଣି

ଭୁବନେଶ୍ୱର, ୬ା୮(ବ୍ୟୁରୋ) : ଭୁବନେଶରରେ ଗତ ୨ଦିନ ହେବ ଲଗାଣ ବର୍ଷା ଯୋଗୁ ବହୁ ଅଞ୍ଚଳରେ ଲୋକେ ଜଳବନ୍ଦୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କେଉଁଠି ରାସ୍ତାରେ ପାଣି ଜମି ରହିଛି ତ ଆଉ କେଉଁଠି ଘରେ ପାଣି ପଶିଛି। ବିଶେଷକରି ନୟାପଲ୍ଲୀ ବେହେରା ସାହି ଅଞ୍ଚଳରେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। କିଛି ସ୍ଥାନରେ ଡ୍ରେନ ଭୁଶୁଡି ପଡିବାରୁ ବର୍ଷା ଓ ଆବର୍ଜନା ପାଣି ନିଷ୍କାସିତ ହୋଇ ନ ପାରି ଲୋକଙ୍କ ଘରେ ପଶିଥିବାବେଳେ ଆଉ କେତେକ ଡ୍ରେନ୍‌ରେ ପଙ୍କ ଭର୍ତ୍ତି ହୋଇ ରହିଥିବାରୁ ଆବର୍ଜନା ପାଣି ରାସ୍ତାରେ ଚାଲୁଛି। ଡ୍ରେନ୍‌ ସଫେଇ ଦାୟିତ୍ୱରେ ଘରୋଇ ସଂସ୍ଥା ରାମ୍‌କୀ ଓ ବିଏମ୍‌ସି ଡ୍ରେନେଜ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ରାଜଧାନୀବାସୀ ଏପରି ହଟହଟା ହେଉଛନ୍ତି। ଦୁଇଦିନର ବର୍ଷା ସବୁ ଅବହେଳାକୁ ପଦାରେ ପକାଇଦେଇଛି। ଇସ୍କନ ମନ୍ଦିର ନିକଟରେ ଜମା ହେଉଥିବା ପାଣି ୱାର୍ଡ ନଂ. ୩୭ ଅନ୍ତର୍ଗତ ବେହେରାସାହି ଦେଇ ଛୋଟ ଛୋଟ ଡ୍ରେନ୍‌ ମାଧ୍ୟମରେ ମୁଖ୍ୟ ଡ୍ରେନ୍‌କୁ ଯାଇଥାଏ। ମାତ୍ର ପୁରୁଣା ଡ୍ରେନ୍‌ର ଆବଶ୍ୟକ ମରାମତି ହେଉ ନାହିଁ କି ପଙ୍କ ଉଦ୍ଧାର କରାଯାଉ ନାହିଁ। ଫଳରେ ପୁରୁଣା ଡ୍ରେନର ୬୦ ଫୁଟରୁ ଊଦ୍ଧର୍‌ବ ଲମ୍ବର ପାଚେରି ଭାଙ୍ଗିଯାଇଛି। ଏପଟେ ନୂଆପଲ୍ଲୀର ପାଣି ନିଷ୍କାସନ ପାଇଁ ମୁଖ୍ୟ ଡ୍ରେନ କାମ କ୍ରିଷ୍ଣା ଟାୱାରଠାରୁ ଦମୟନ୍ତୀ ଆପାର୍ଟମେଣ୍ଟ ଯାଏ ଚାଲିଛି। ଉକ୍ତ କମାରେ ମନ୍ଥରତା ଓ ସଂଯୋଗ କରୁଥିବା ପୁରୁଣା ଡ୍ରେନରୁ ମାଟି କଢ଼ା ନ ଯିବା ଯୋଗୁ ପାଣି ବେହେରାସାହି ଛକରୁ ଆଗକୁ ନ ଯାଇ ଅଟାକଳ ଗଳି ଦେଇ ମଙ୍ଗଳା ମନ୍ଦିର ତଳିଆ ଅଞ୍ଚଳର ଘରଗୁଡ଼ିକରେ ପଶୁଛି। ଏନେଇ ବିଏମ୍‌ସି ଡ୍ରେନେଜ ବିଭାଗ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସଫେଇ ସଂସ୍ଥା ରାମ୍‌କୀକୁ ଦୋଷ ଦେଉଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ଏପଟେ ରାମ୍‌କୀ ସଂସ୍ଥା ମନମୁଖି କାର୍ଯ୍ୟ କରୁଥିଲେ ବିଏମ୍‌ସି କିଛି ପଦକ୍ଷେପ ନେଉନି କାହିଁକି ବୋଲି ଅନ୍ୟଜଣେ ବାସିନ୍ଦା ଅର୍ଜୁନ ବେହେରା କହିଛନ୍ତି। ଅନ୍ୟପକ୍ଷରେ ସହରର ବିଭିନ୍ନ ସ୍ଥାନରେ ଡ୍ରେନ୍‌ ଓ ରାସ୍ତା କାମ ଚାଲିଛି। ହେଲେ ବର୍ଷା ପାଣି ନିଷ୍କାସନ ପାଇଁ କେହି ଗୁରୁତ୍ୱ ଦେଉ ନ ଥିବାରୁ ବିଭିନ୍ନ ସ୍ଥାନରେ ରାସ୍ତାରେ ପାଣି ଜମି ରହୁଛି। ଶ୍ରୀୟା ଟକିଜ୍‌ ଛକ, ବମିଖାଲ ଆଦି କେତେକ ସ୍ଥାନରେ ଦୁଇଦିନ ହେବ ପାଣି ଜମି ରହିଛି। ବିଏମ୍‌ସି ଠିକା ସଂସ୍ଥା ଉପରେ ଦାୟିତ୍ୱ ଦେଇ ଚୁପ୍‌ ବସିଥିବାରୁ ଅଳ୍ପଟିକେ କାର୍ଯ୍ୟ ପାଇଁ ହଜାର ହଜାର ଲୋକେ ହୀନସ୍ତା ଭୋଗୁଛନ୍ତି।

Share