
ରାଉରକେଲା,୨।୪(ଦିନେଶ ମିଶ୍ର):ରାଉରକେଲା ଝିରପାଣି ଥାନା ଅନ୍ତର୍ଗତ ଜଗଦା ଅଞ୍ଚଳରେ ଥିବା ଏକ ଭଡ଼ାଘରେ ଚାଲିଥିବା ସେକ୍ସ ର଼୍ୟାକେଟ୍କୁ ପୋଲିସ ମଙ୍ଗଳବାର ଠାବ କରିଛି। ଏହି ଘଟଣାରେ ପୋଲିସ ଜଣେ ଗ୍ରାହକଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି। ଏଥିସହ ଦେହ ବ୍ୟବସାୟରେ ଲିପ୍ତ ୫ ଯୁବତୀଙ୍କୁ ଉଦ୍ଧାର କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗ୍ରାହକ ଉମେଶ ବିଶ୍ୱାଳ(୩୬) ଏବଂ ସେକ୍ସ ର଼୍ୟାକେଟ ଚଳାଉଥିବା ଉପେନ୍ଦ୍ର ବିଶ୍ୱାଳ(୭୫) ଓ ଜ୍ୟୋତ୍ସ୍ନା ବିଶ୍ୱାଳ(୬୬)। ସେମାନଙ୍କଠାରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି। ଏନେଇ ପୋଲିସ ଏକ ମାମଲା (୫୦/୨୫) ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତମାନେ ଜଗଦା ଅଞ୍ଚଳରେ ଏକ ଘର ଭଡ଼ାରେ ନେଇ ସେଠାରେ କିଛିଦିନ ହେବ ସେକ୍ସ ର଼୍ୟାକେଟ୍ ଚଳାଇ ଆସୁଥିଲେ। ବିଶେଷ ସୂତ୍ରରୁ ଖବର ପାଇ ରାଉରକେଲା ଏସ୍ପି ନିତେଶ ୱାଧୱାନିଙ୍କ ନିର୍ଦ୍ଦେଶକ୍ରମେ ଝିରପାଣି ଥାନା ପୋଲିସ ଏକ ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ କରି ମଙ୍ଗଳବାର ସେଠାରେ ଚଢ଼ାଉ କରିଥିଲା। ଚଢ଼ାଉବେଳେ ପୋଲିସ ଘର ଭିତରେ ଅସଂଯତ ଅବସ୍ଥାରେ ଥିବା ୫ ଯୁବତୀଙ୍କୁ ଉଦ୍ଧାର କରିଥିଲା। ପରେ ଉକ୍ତ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଚଢ଼ାଉରେ ଝିରପାଣି ଥାନାଧିକାରୀ ପ୍ରଦୀପ ନାୟକ, ଏସ୍ଆଇ ଏସ୍.ଏନ୍. ଆପଟ୍ଟ, ଏସ୍. ବାରୁଆ, ଏସ୍. ନାୟକ, ଜୋ, ଜୋଜୋ ପ୍ରମୁଖ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ, ଗିରଫ ଅଭିଯୁକ୍ତମାନେ ପୂର୍ବରୁ ଦେହ ବ୍ୟବସାୟରେ ଗିରଫ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡିଛି।