Categories: ଜାତୀୟ

୨ ବର୍ଷରେ ୪୦ ହଜାର ଶିଶୁଙ୍କୁ ଯୌନ ନିର୍ଯାତନା…

ନୂଆଦିଲ୍ଲୀ, ୩୧।୩ : ଦେଶରେ ଶିଶୁ ନିର୍ଯାତନା ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ଡିଏମକେ ନେତା ତିରୁଚି ଶିବ ରାଜ୍ୟ ସଭାରେ କହିଛନ୍ତି ଯେ ଶିକ୍ଷାର୍ଥୀ ଓ ଶିକ୍ଷକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଦ୍ୟାଳୟରେ କର୍ମଶାଳା ନିୟମିତ ଆୟୋଜନ କରାଯିବା ଉଚିତ।

ଶୂନ୍ୟକାଳରେ ରାଜ୍ୟ ସଭାରେ ଏହି ପ୍ରସଙ୍ଗ ଉଠାଇ ଡିଏମକେ ଏମ୍‌ ପି ତିରୁଚି କହିଛନ୍ତି ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ରିପୋର୍ଟ ଅନୁଯାୟୀ, ୨୦୧୮ ରୁ ୨୦୨୦ମଧ୍ୟରେ ଶିଶୁଙ୍କୁ ଯୌନ ନିର୍ଯାତନ ସମ୍ପର୍କିତ ୪୦ ହଜାର ମାମଲା ପଞ୍ଜିକୃତ ହୋଇଛି। ଅନେକ ମାମଲା ରହିଛି ଯାହା ପଞ୍ଜିକୃତ ହୋଇନାହିଁ।

କୋଭିଡ ମହାମାରୀ ସମୟରେ ୨୦୨୦ ରେ ପିଲାମାନଙ୍କ ଉପରେ ଯୌନ ନିର୍ଯାତନ ମାମଲାରେ ହ୍ରାସ ଘଟିଥିଲା। କିନ୍ତୁ ବର୍ତ୍ତମାନ ଏହା ପୁଣି ବୃଦ୍ଧି ପାଇବାରେ ଲାଗିଛି। ଶିବ କହିଛନ୍ତି ଯେ ଆମ ସମାଜରେ ପିଲାମାନେ ବହୁତ ଦୁର୍ବଳ। ସେମାନଙ୍କ ପ୍ରତି ଯୌନ ନିର୍ଯାତନା ଦ୍ୱାରା ସେମାନଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ବହୁତ ପ୍ରଭାବ ଅନୁଭୁତ ହୋଇଥାଏ। ବେଳେବେଳେ ଏପରି ଯନ୍ତ୍ରଣାଦାୟକ ସ୍ମୃତି ସୃଷ୍ଟି ହୋଇଥାଏ, ଯାହା ପିଲାମାନେ ସେମାନଙ୍କର ସମଗ୍ର ଜୀବନରେ ବି ଭୁଲି ପାରି ନଥାନ୍ତି।

ଏକ ସର୍ବେକ୍ଷଣକୁ ଦର୍ଶାଇ ତିରୁଚି କହିଛନ୍ତି ଯେ ଅଧିକାଂଶ ଭାରତୀୟ ବିଦ୍ୟାଳୟରେ ଏଭଳି ପରିସ୍ଥିତିର ମୁକାବିଲା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଏଥିରେ ସରକାରଙ୍କ ହସ୍ତକ୍ଷେପ କରିବା ଜରୁରୀ ବୋଲି ସେ କହିଛନ୍ତି। ଅନ୍ୟ ଦଳର ଏମ୍‌ପିମାନେ ଏହି ପ୍ରସଙ୍ଗରେ ତିରୁଚିଙ୍କୁ ସମର୍ଥନ ମଧ୍ୟ କରିଛନ୍ତି।

Share