Categories: ଜାତୀୟ

ଇଚ୍ଛା ବିରୋଧରେ ସ୍ତ୍ରୀଙ୍କୁ ଯୌନ ନିର୍ଯାତନା ବଳାତ୍କାର

ନୂଆଦିଲ୍ଲୀ,୨୪।୩: ସ୍ତ୍ରୀଙ୍କୁ ତାଙ୍କ ଇଚ୍ଛା ବିରୋଧରେ ସ୍ବାମୀ ଯୌନ ନିର୍ଯାତନା ଦେବା ବଳାତ୍କାର ବୋଲି କର୍ନାଟକ ହାଇକୋର୍ଟ ବୁଧବାର କହିଛନ୍ତି। ବୈବାହିକ ବଳାତ୍କାର ମାମଲାରେ ଅଦାଲତ ତାଙ୍କ ରାୟରେ କହିଛନ୍ତି, ସ୍ବାମୀମାନେ ସ୍ତ୍ରୀଙ୍କ ଦେହ, ମନ ଓ ଆତ୍ମାର ଅଧିପତି ବୋଲି ବହୁବର୍ଷ ଧରି ରହିଆସିଥିବା ଚିନ୍ତାଧାରା ଓ ପରମ୍ପରାକୁ ହଟାଇଦିଆଯିବା ଆବଶ୍ୟକ। ବିବାହ ସମ୍ବିଧାନରେ ମହିଳାଙ୍କୁ ପୁରୁଷଙ୍କ ଅଧସ୍ତନ ବୋଲି କେଉଁଠି ଲେଖାଯାଇ ନାହିଁ। ସମ୍ବିଧାନରେ ଅଧିକାର ସମାନ, ସୁରକ୍ଷା ସମାନ ବୋଲି ହାଇକୋର୍ଟ କହିଛନ୍ତି।
ନିଜ ସ୍ତ୍ରୀ ଉପରେ ବୀଭତ୍ସ ଯୌନ ନିର୍ଯାତନା ତାଙ୍କର ମାନସିକ ସ୍ଥିତି ଉପରେ ଗମ୍ଭୀର ପ୍ରଭାବ ପକାଇଥାଏ। ବିବାହର ଅର୍ଥ ପୁରୁଷଙ୍କୁ କୌଣସି ସ୍ବତନ୍ତ୍ର ସୁବିଧା ମିଳିଲା ବୋଲି ବିବେଚନା କରିବା ଉଚିତ ନୁହେଁ କିମ୍ବା ଏକ ନୃଶଂସ ପଶୁକୁ ମୁକ୍ତ କରିଦେବା ଲାଗି ଲାଇସେନ୍ସ ନୁହେଁ।
ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିଲେ। ତାଙ୍କ ବିରୋଧରେ ଆଇପିସିର ଧାରା ୩୭୬ ଲାଗିଥିବାବେଳେ ଏହାକୁ ହଟାଇବା ପାଇଁ ସ୍ବାମୀ ଜଣକ କର୍ନାଟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୂଚନାଯୋଗ୍ୟ, ବୈବାହିକ ବଳାତ୍କାରକୁ ଅପରାଧ ବିବେଚନା କରିବା ଉପରେ ଦିଲ୍ଲୀ ହାଇକୋର୍ଟ ଗତ ଫେବୃୟାରୀରେ କେନ୍ଦ୍ର ସରକାରଙ୍କୁ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କହିଥିଲେ। ବୈବାହିକ ବଳାତ୍କାରକୁ ଅପରାଧୀକରଣ କରାଗଲେ ଦେଶରେ ଏହାର ସାମାଜିକ-ଆଇନଗତ ପ୍ରଭାବ ପଡ଼ିବ। ଏହା ପୂର୍ବରୁ ରାଜ୍ୟ ସରକାରଙ୍କ ସମେତ ବିଭିନ୍ନ ଷ୍ଟେକ୍‌ ହୋଲ୍ଡରଙ୍କ ସହ ଭାବପୂର୍ଣ୍ଣ ଓ ଗଠନମୂଳକ ପରାମର୍ଶ ପ୍ରକ୍ରିୟା ଆବଶ୍ୟକ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଥିଲା।

Share