Categories: ଜାତୀୟ

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ନାଁରେ ଯୌନ ଶୋଷଣ ମାମଲା: ଉଭୟ କେନ୍ଦ୍ର, ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ, ୨୦।୭: ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ କରିଥିବା ରାଜଭବନର ମହିଳା କର୍ମଚାରୀଙ୍କ ଆବେଦନକୁ ଭିତ୍ତିକରି ସୁପ୍ରିମକୋର୍ଟ ଶୁକ୍ରବାର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି।

ଭାରତୀୟ ସମ୍ବିଧାନର ଅନୁ୍‌ଚ୍ଛେଦ ୩୬୧ ଅନୁଯାୟୀ କୌଣସି ଆପରାଧିକ ମାମଲାରେ ରାଜ୍ୟପାଳଙ୍କ ବିରୋଧରେ ତଦନ୍ତ ହୋଇପାରିବ ନାହିଁ। ତେଣୁ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷଙ୍କ ବିରୋଧରେ ତଦନ୍ତ କରିବାକୁ କୋଲକାତା ପୋଲିସକୁ ଅନୁମତି ଦେବା ପାଇଁ ପୀଡ଼ିତା ମହିଳାଙ୍କ ପକ୍ଷରୁ ଏକ ଆବେଦନ ସର୍ବୋଚ୍ଚ କୋର୍ଟଙ୍କ ନିକଟରେ ଦାଖଲ କରାଯାଇଥିଲା।

ଶୁକ୍ରବାର ଏହି ଆବେଦନର ଶୁଣାଣି କରିଛନ୍ତି ମୁଖ୍ୟ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଜେ.ବି ପାର୍ଦିଓ୍ବାଲା ଓ ଜଷ୍ଟିସ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ। କୌଣସି ଆପରାଧିକ କାର୍ଯ୍ୟାନୁଷ୍ଠାନରୁ ରାଜ୍ୟପାଳଙ୍କୁ ରକ୍ଷା ଦେଉଥିବା ସାମ୍ବିଧାନିକ ବ୍ୟବସ୍ଥାକୁ ଯାଞ୍ଚ କରିବାକୁ ଏହି ଖଣ୍ଡପୀଠ ସହମତି ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟ ଏହି ମାମଲାରେ ଆଟର୍ନି ଜେନେରାଲ ଆର୍‌ ଭେଙ୍କଟରମଣୀଙ୍କ ସହାୟତା ଲୋଡ଼ିଛନ୍ତି।

Share