Advertisement

ମଦ ବିକ୍ରିକୁ ବିରୋଧ, ଏକାଠି ହେଲେ ୫ ଗ୍ରାମର ଏସ୍‌ଏଚ୍‌ଜି ମହିଳା

ଦଶମନ୍ତପୁର,୧।୧୦ (ଅରବିନ୍ଦ ନାୟକ): ଗ୍ରାମାଞ୍ଚଳରେ ଦେଶୀ ମଦ ବିକ୍ରିକୁ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ମହିଳାମାନେ ଶନିବାର ବିରୋଧ କରିଛନ୍ତି। ୫ ଗ୍ରାମର ଏସ୍‌ଏଚ୍‌ଜି ମହିଳାମାନେ ଏକାଠି ହୋଇ ମଦଭାଟି ଭାଙ୍ଗିବା ସହ ମଦ ରନ୍ଧା ପାଇଁ ରହିଥିବା ଜାଳେଣିକାଠକୁ ସେମାନେ ନିଆଁ ଲଗାଇ ପୋଡ଼ିଦେଇଛନ୍ତି। ଏପରି ଦେଖିବାକୁ ମିଳିଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ୩ ପଞ୍ଚାୟତ ମୁର୍କାର, ଚଣାବାଡ଼ ଓ ଦଶମନ୍ତପୁର ପଞ୍ଚାୟତରେ ଥିବା ୫ଟି ଗ୍ରାମରେ। ଏହି ମୁର୍କାର ପଞ୍ଚାୟତର ପଝାର ଗ୍ରାମ, ଚଣାବାଡ଼ ପଞ୍ଚାୟତ ଅଧୀନର ଏସ୍‌.ଦଣ୍ଡାବାଡ଼ ଏବଂ ଦଶମନ୍ତପୁର ପଞ୍ଚାୟତର ପରଜା ବାରିକଣ୍ଟା, ମାଛପୁଟ ଓ ଡୁର୍କାଗୁଡ଼ା ଗ୍ରାମରେ ୨୦ରୁ ଊର୍ଦ୍ଧ୍ୱ ଏସ୍‌ଏଚ୍‌ଜି ମହିଳାମାନେ ଏକାଠି ହୋଇ ଦେଶୀମଦ କାରବାରକୁ ବିରୋଧକରି ଏପରି ଘଟାଇଛନ୍ତି। ମୁର୍କାର ପଞ୍ଚାୟତର ଟାମକିଆ ଗୁଡ଼ାରେ ପହଞ୍ଚତ୍ ସେମାନେ ମଦ ବ୍ୟବସାୟୀଙ୍କ ଘରେ ଚଢ଼ାଉ କରିଥିଲେ। ଏହି ସମୟରେ ସମ୍ପୃକ୍ତ ମଦ ବ୍ୟବସାୟୀ ଏସ୍‌ଏଚ୍‌ଜି ମହିଳାଙ୍କୁ ଦେଖି ଖସି ଚାଲିଯାଇଥିଲେ। ଅପେକ୍ଷା ପରେ ସେ ଆସିବାରୁ ମହିଳାମାନେ ଯୋଡ଼ିକାଡ୍ଡା ନଦୀଠାରେ ଥିବା ତାଙ୍କ ମଦଭାଟିକୁ ଭାଙ୍ଗିଦେଇଥିଲେ। ମଦ ରାନ୍ଧିବା ପାଇଁ ଗଚ୍ଛିତ ଜାଳେଣି କାଠ ଜାଳି ଦେଇଥିଲେ। ମଦ ଆମ ସଂସାର ଉଜାଡ଼ି ଦେଉଛି। ସ୍ବାମୀମାନେ ଯାହା ରୋଜଗାର କରୁଛନ୍ତି ମଦ ପିଇ ସାରୁଛନ୍ତି। ଘରେ ଥିବା ଚାଉଳ, ମାଣ୍ଡିଆ ଏବଂ ଆସବାବପତ୍ର ଆଦି ବିକ୍ରିକରି ମଦ ପିଇ ଦେଉଛନ୍ତି। ଆମେ ପିଲାଛୁଆଙ୍କୁ ଚଳାଇବାରେ ବହୁ ଅସୁବିଧା ଭୋଗୁଛୁ ବୋଲି ଏହି ଅବସରରେ ସାଲମେ କାଞ୍ଜେକା, ପାଲାଇ ମିନିଆକା, ଆଲମେ, ଜୁଲମେ କାଞ୍ଜେକା, ତୁରୁଞ୍ଜି, ନିଲାଇ, କରାଈ, ଲକ୍ଷ୍ମୀ ହୀକକା, ସାଲମେ କୁଲିସିକା ପ୍ରକାଶ କରିଛନ୍ତି। ଗ୍ରାମାଞ୍ଚଳରେ ଚୋରା ମଦ କାରବାରକୁ ପ୍ରତି ଶନିବାର ରୋକାଯିବ ବୋଲି ମହିଳାମାନେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel