ଗ୍ରୀଷ୍ମରେ ଛାୟାଦ୍ରୁମ

ଡ. ଶରତ ଚନ୍ଦ୍ର ପରିଡ଼ା

 

ପ୍ରଚଣ୍ଡ ଗ୍ରୀଷ୍ମରେ ଶୀତଳ ଛାଇ ଟିକିଏ ମିଳିଗଲେ ସତେ କି ଅମୃତ! ମଝିରେ ମଝିରେ ଝଡ଼ବତାସ ଆସି ପୁରୁଣାକାଳିଆ ଗଛବୃଚ୍ଛକୁ ମୂଳପୋଛ କରିଦେଉଛି। ଗାଁଗଣ୍ଡାର ମୁଣ୍ଡରେ ଥିବା ସାଂସ୍କୃତିକ କେନ୍ଦ୍ର, ତୋଟାମାଳ ଆଜି ଖାଁ ଖାଁ ଲାଗୁଛି। ରାସ୍ତାକଡ଼ରେ ଥିବା ଗଛର ଛାଇ ପଥିକ ମୁଣ୍ଡ ଉପରୁ ହଜିଗଲାଣି। ତାପତପ୍ତ ଧରିତ୍ରୀରେ ଅତି ବିକଳରେ ଛାଇ ଟିକିଏ ଖୋଜିଚାଲିଛନ୍ତି ପଶୁପକ୍ଷୀ, ଜୀବଜନ୍ତୁ ଓ ମଣିଷ। ଟାଣଖରାରେ ଥକିପଡ଼ିଲେ ଜୀବମାନେ ଗଛ ଛାଇରେ ବିଶ୍ରାମ ନେଉଥିଲେ ଓ ଟିକିଏ ଆରାମ ପାଉଥିଲେ। ଗଛମୂଳେ ଘାସରେ କିଏ ଗାମୁଛା ପାରି ଶୋଇପଡ଼ୁଥିଲା। ବିଲ ମଝିରେ ଗଛଟିଏ ଥିଲେ ଚଷାପୁଅ ବଳଦ ସହିତ ତା’ ତଳକୁ ଆସି ମୁଣ୍ଡ ଗୁଞ୍ଜୁଥିଲେ। ଚାଲି ଚାଲି ଥକିଗଲେ ବାଟୋଇ ଭାଇ ଗଛମୂଳରେ ଦଣ୍ଡେ ବସି ପଡ଼ୁଥିଲା। ଶୀତଳ ଛାଇରେ ତା’ ଆଖିକୁ ଆପେ ଆପେ ନିଦ ଚାଲିଆସୁଥିଲା। ପ୍ରଥମ ଶତକର ମହାକବି କାଳିଦାସ ଅଭିଜ୍ଞାନଶାକୁନ୍ତଳମ୍‌ ନାଟକରେ ପ୍ରକୃତି ବର୍ଣ୍ଣନାରେ ଲେଖନ୍ତି: ଗ୍ରୀଷ୍ମଋତୁରେ ନଦୀ ଓ ସରୋବରର ଶୀତଳ ଜଳରେ ସ୍ନାନକରି ଲୋକେ ସୁଖ ଅନୁଭବ କରନ୍ତି। ସ୍ଥଳ ପଦ୍ମ ସମ୍ପର୍କରେ ଆସି ପବନ ସୁଗନ୍ଧିତ ହୋଇଉଠେ, ଘନଛାୟାଯୁକ୍ତ ସ୍ଥଳରେ ସହଜରେ ନିଦ ଆସିଯାଇଥାଏ ଓ ଗ୍ରୀଷ୍ମର ସାୟଂକାଳ ରମଣୀୟ ହୋଇଉଠେ: ପ୍ରଚ୍ଛାୟସୁଲଭନିଦ୍ରା ଦିବସାଃ ପରିଣାମରମଣୀୟାଃ (୧/୩.ଖ)।
ଛାୟା ଏକ ପ୍ରାକୃତିକ ଓ ବଡ଼ ସବୁଜ ଆରାମଦାୟକ ଚାନ୍ଦୁଆ। ଏକ ଖୋଲାମେଲା ମୁକ୍ତଜାଗାରେ ଗ୍ରୀଷ୍ମକ୍ଳାନ୍ତ ପ୍ରାଣୀମାନଙ୍କୁ ତତ୍କାଳ ଶୀତଳ ଅନୁଭବ ସହିତ କିଛି ସମୟ ପାଇଁ ସୂର୍ଯ୍ୟଙ୍କ କ୍ଷତିକାରକ(ୟୁ.ଭି.) କିରଣରୁ ବିରତି ଦେଇଥାଏ ଛାୟା। ଚର୍ମକୁ ସୁରକ୍ଷା ମିଳେ। ମନରୁ ଉତ୍ତେଜନା ହ୍ରାସକରେ ଆଉ ଆତ୍ମାକୁ ଶାନ୍ତି ଆଶ୍ୱସ୍ତି ଦିଏ। ଅପୂର୍ବ ସଂଗୀତ ରଚନା କରେ। ବହଳିଆ ଛାଇରେ ଶବ୍ଦ ପ୍ରଦୂଷଣ କମିଥାଏ। ସିଧା ପଡ଼ୁଥିବା ସୂର୍ଯ୍ୟକିରଣର ପ୍ରଚଣ୍ଡତାକୁ ଗ୍ରହଣ କରିନିଏ, ତାପତୋପ କମାଇଦିଏ। ପାଖରେ ଗଛବୃଚ୍ଛ ଥିଲେ ଶୀତତାପ ନିୟନ୍ତ୍ରିତ ହୋଇ ରହେ। ଛାୟା ଘର ବାହାରେ ଗମନାଗମନକୁ ଆନନ୍ଦଦାୟକ କରେ। ଜଙ୍ଗଲ ହେଉଛି ପୃଥିବୀର ଫୁସ୍‌ଫୁସ୍‌, ଯିଏ ଦୂଷିତ ପବନକୁ ଶୁଦ୍ଧ କରେ ଓ ଆମର ଲୋକମାନଙ୍କୁ ସଦ୍ୟଶକ୍ତି ଯୋଗାଇଦିଏ। କଣ୍ବମୁନିଙ୍କ ଆଶ୍ରମରେ ତାପତପ୍ତ ମୃଗମାନେ ଦଳ ଦଳ ହୋଇ ବୃକ୍ଷଛାୟାରେ ବିଶ୍ରାମକରି ନିର୍ଭୟରେ ପାକୁଳି କରୁଥିଲେ : ଛାୟାବଦ୍ଧକଦମ୍ବକଂ ମୃଗକୁଳଂ..(୨/୬)ା କବିଙ୍କ ଏ ବର୍ଣ୍ଣନାଚିତ୍ର ଆଜି ବର୍ଦ୍ଧିଷ୍ଣୁ ପରିବେଶ ପ୍ରଦୂଷଣରେ ବିଚିତ୍ର ଲାଗୁଛି। ଛାୟାପ୍ରଦ ଗଛ ଏକ ଆବଶ୍ୟକତା। ଏହା ବିନା ଜୀବକୁଳ ବଞ୍ଚତ୍ପାରିବ ନାହିଁ। ରିଚାର୍ଡ ମେବେଙ୍କ ଭାଷାରେ,”ଗଛ ବିନା ରହିବା ଯାହା, ଆମେ ଆମ ମୂଳ ବିନା ରହିବା ତାହା।“ ଗଛକୁ ଓପାଡ଼ିଲେ ମଣିଷର ଚେର ଉପୁଡ଼ିଯାଏ। ପ୍ରକୃତି ସହିତ ଆମର ସଂଯୋଗସୂତ୍ର ଗଛ। ମଣିଷ ଛାଇ ପାଇଁ ହାଇଁପାଇଁ। ସୂର୍ଯ୍ୟଙ୍କ ପ୍ରଚଣ୍ଡ ପ୍ରକାଶକୁ ସାମୟିକ ଛେଦନ କରି ଶୀତଳତା ଦେଉଥିବା ଛାୟା ଦୁର୍ଲଭ। ସକାଳୁ ସଞ୍ଜଯାଏ ଅତ୍ୟନ୍ତ ଶୀତଳଛାୟା, ଯାହାର ତଳକୁ ଛାଡ଼ିଯାଏ ନାହିଁ ସେଭଳି ଛାୟାଦ୍ରୁମ ଆଜି ସାତସପନ।
ଆମ ଓଡ଼ିଶା ରାଜ୍ୟର ୪୫ ଭାଗ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ଯେଉଁ ଦେଶରେ ବନାଞ୍ଚଳ ଯେତେ ଅଧିକ ସେ ଦେଶ ସେତେ ସୁଖୀ। ଫିନ୍‌ଲାଣ୍ଡରେ ୭୫ ଭାଗ ଜଙ୍ଗଲ ଥିବାରୁ ସେ ଦେଶର ଅଧିବାସୀ ବିଶ୍ୱରେ ସବୁଠୁ ଅଧିକ ସୁଖୀ। ମଣିଷ, ଜୀବଜନ୍ତୁ, ଉଦ୍ଭିଦ ଥିଲେ ପ୍ରକୃତିର ମୁକ୍ତ ସନ୍ତାନ। ମାଟି ଆଉ ଆକାଶରେ ଲେଖୁ ନାହିଁ ବୃକ୍ଷର କବିତା କି ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସୁଗନ୍ଧ ଆଉ ପ୍ରସରୁନାହିଁ ବାୟୁମଣ୍ଡଳରେ।
ଉଷ୍ଣ ଜଳବାୟୁର ଛାୟାପ୍ରଧାନ ବୃକ୍ଷରାଜି ଓ ଲତାକୁଞ୍ଜ ପ୍ରକୃତିର ବରଦାନ। ଦେବସଦନ ଗଛର ସୁନ୍ଦର ଛାୟାରେ ଥାଏ ଜୀବର ଜୀବନ ଓ ପାରିବେଶିକ ସନ୍ତୁଳନ। ଛାୟା ପ୍ରାକୃତିକ ସୁରକ୍ଷାକବଚ। ପ୍ରଚଣ୍ଡ ରୌଦ୍ରତାପକୁ ହ୍ରାସକରି ପରିବେଶକୁ ଶୀତଳ ରଖେ ଓ ଶକ୍ତି ସଂରକ୍ଷଣ କରେ। ଦେବ, ଦାନବ, ଗନ୍ଧର୍ବ, କିନ୍ନର, ପଶୁପକ୍ଷୀ ଓ ମନୁଷ୍ୟ ସମସ୍ତେ ଆନନ୍ଦରେ ଗଛକୁ ଆଶ୍ରୟ କରିଥା’ନ୍ତି। ସୁରଗଣ ପୁଷ୍ପ, ପିତୃପୁରୁଷ ଫଳ ଓ ଛାୟା ଦ୍ୱାରା ମନୁଷ୍ୟ, ପଶୁପକ୍ଷୀମାନେ ପରିତୃପ୍ତ ହୋଇଥା’ନ୍ତି। ସେଦିନ କୋମଳାଙ୍ଗୀ ଶକୁନ୍ତଳା ନରେଶ ଦୁଷ୍ୟନ୍ତଙ୍କ ପାଖକୁ ଯିବା ଅବସରରେ ବାଟରେ ଛାୟାଦ୍ରୁମମାନେ ତାଙ୍କ ଉପରେ ପ୍ରଚଣ୍ଡ ସୂର୍ଯ୍ୟ କିରଣକୁ ପଡ଼ିବାକୁ ନ ଦେଇ ନିୟନ୍ତ୍ରଣ କରୁଥିଲେ: ଛାୟାଦ୍ରୁମୈ-ର୍ନିୟମିତାର୍କ-ମୟୂଖତାପଃ। ଆଜି ସହରର ଟ୍ରାଫିକ୍‌ ଛକରେ ଦ୍ରୁମଛାଇ ସ୍ଥାନରେ ସବୁଜ କୃତ୍ରିମ ଛାମୁଣ୍ଡିିଆ। ବାସ୍ତବରେ ପ୍ରାଣୀମାନେ ତ୍ୟାଗ କରୁଥିବା ଅଙ୍ଗାରକାମ୍ଳକୁ ଗ୍ରହଣକରି ଛାୟାବୃକ୍ଷ ତାପର ପ୍ରଚଣ୍ଡତାକୁ କମ୍‌ କରି ଦେଇଥାଏ। ତେଣୁ ବୃକ୍ଷ ଦେବତା। ଜୀବଜଗତକୁ ବଞ୍ଚାଇବାରେ ବିଫଳ ହେଲେ ପରିଶେଷରେ ବୃକ୍ଷ ଧରାତ୍ୟାଗ କରିଥାଏ।
ନିଜ ସୁଖରେ ଅଭିଳାଷୀ ନ ହୋଇ ଗଛ ଲୋକମାନଙ୍କର ମଙ୍ଗଳ ପାଇଁ ପ୍ରତିଦିନ କଷ୍ଟସହନ କରୁଥାଏ। ଗଛ ମଥାରେ ତୀବ୍ର ଉଷ୍ଣ ଅନୁଭବ କରି ତଳେ ଆଶ୍ରୟ ନେଇଥିବା ଜୀବମାନଙ୍କ ତାପକ୍ଳେଶ ଓ ସନ୍ତାପକୁ ଛାୟା ଦ୍ୱାରା ପ୍ରଶମିତ କରିଥାଏ। ମହାକବି କାଳିଦାସଙ୍କ ଭାଷାରେ: ଅନୁଭବତି ହି ମୂଧର୍‌ନା ପାଦପସ୍ତୀବ୍ରମୁଷ୍ଣଂ, ଶମୟତି ପରିତାପଂ ଛାୟୟା ସଂଶ୍ରିତାନାମ… (୫/୭)। ବଡ଼ ଓ ତୈଳାକ୍ତ ପତ୍ରରେ ଛାଇଦେବାରେ ଓ ଅମ୍ଳଜାନ ଯୋଗାଇବାରେ ଶ୍ରେଷ୍ଠ ବୋଲି ଭାରତ ଜାତୀୟ ବୃକ୍ଷର ନାଁ ବର। ଅଶ୍ୱ ଓ ପିପଲ ବା ବୋଧିବୃକ୍ଷ ଓ ପାଇନ୍‌ ପତ୍ରର ତାପସହନଶକ୍ତି ଅଧିକ। ନାଲି ରଙ୍ଗଭରା କୃଷ୍ଣଚୂଡ଼ା ଓ ପେନ୍ଥା ପେନ୍ଥା ହଳଦିଆ ଫୁଲର କାଶିଆ ପିସ୍ତୁଲାର ଗଛ ଛାଇ ସହିତ ଜନମନ ହରଣ କରେ। ଆସନ୍ତୁ ଗଛଟି ପୋତିବା। ୱାଘାଂରି ମାଥାଇ ଉକ୍ତିଟି ମନକୁ ଛୁଏଁ-”ଗୋଟିଏ ଗଛ ଲଗାଇବା ଅର୍ଥ ଆମେ ଶାନ୍ତି ଓ ଆଶାର ମଞ୍ଜି ପୋତୁ।“ ସତରେ ଫଳପୁଷ୍ପ ଭାରରେ ଗଛଟି ନଇଁପଡ଼େ ମଣିଷକୁ କୋଳେଇ ନେବାକୁ ଆଉ ତା’ ହୃଦୟରେ ଛାଇର ଶୀତଳତା ଭରିଦେବାକୁ। ଗଛ ଆମର ଆଦର୍ଶ, ସ୍ବପ୍ନ, ପ୍ରେରଣା ଓ ବାସ୍ତବତା। ଯେଉଁ ଗଛର ମୂଳ ଦୃଢ଼, ସେ ଝଡ଼କୁ ଦେଖିଲେ ହସେ। ତାସନିରନ୍‌ ହାର୍ନିଡ୍‌ କହନ୍ତି, ”ଗଛର ଚେରରୁ ଚରିତ୍ର ଓ ମୂଲ୍ୟବୋଧ ଓ ପତ୍ରରୁ ପରିବର୍ତ୍ତନ ଶିଖ।“
ମୋ: ୭୦୦୮୪୭୫୪୪୨


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ବେଢ଼ାରେ ଗଜାନନ

ଶ୍ରୀମନ୍ଦିର  ପଶ୍ଚିମ ପାର୍ଶ୍ୱରେ ଥିବା ସାକ୍ଷୀଗୋପାଳ ମନ୍ଦିର ନିକଟରେ ରହିଛି କାଞ୍ଚତ୍ ଗଣେଶ ମନ୍ଦିର। କାଞ୍ଚତ୍ ଗଣେଶଙ୍କୁ ତନ୍ତ୍ର ଗଣେଶ ମଧ୍ୟ କୁହାଯାଏ। ଭିତରଛୁ ମହାପାତ୍ର...

ଶକ୍ତ ବିରୋଧୀ, ସଶକ୍ତ ଗଣତନ୍ତ୍ର

ବିଗତ ଦିନରେ ଦେଶରେ ଏପରି କିଛି ଘଟଣା ଘଟିଛି, ଯାହା ଏନ୍‌ଡିଏ ୩.୦ ସରକାରଙ୍କ ଅସହାୟତାକୁ ପଦାରେ ପକାଇଛି। ଏହି ନିରୁପାୟ ଶକ୍ତ ବିରୋଧୀ ଦଳ...

ନିବେଶ ଲକ୍ଷ୍ୟରେ ଭଜନଲାଲ

ଡିସେମ୍ବର ୯ରୁ ୧୧ ଜୟପୁରରେ ‘ରାଇଜିଂ ରାଜସ୍ଥାନ’ ବୈଶ୍ୱିକ ନିବେଶ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଆଇଏଏସ୍‌ ଅଧିକାରୀଙ୍କ ଗୋଟିଏ ଟିମ୍‌ ସାରା...

ଗୃହ ବିଦ୍ୟାଳୟ

ଆଜି ସବୁଠି ଅଭିଯୋଗ ଯେ ପଞ୍ଚମ ଶ୍ରେଣୀରେ ପଢୁଥିବା ପିଲା ନିଜ ନାଁ ବି ଠିକ୍‌ ସେ ଲେଖି ପାରୁନି ଏବଂ ହାଇସ୍କୁଲରେ ପାଠ ପଢୁଥିବା...

ଓ୍ବିମ୍ବେଲଡନରେ ଜଳବାୟୁ ପ୍ରତିବାଦ

ଜଳବାୟୁ ପ୍ରଦର୍ଶନକାରୀମାନେ ୱିମ୍ବେଲଡନ ଟେନିସ୍‌ ପ୍ରତିଯୋଗିତାରେ ବାଧା ସୃଷ୍ଟି କରିଥିଲେ। ସେମାନେ ପ୍ରସିଦ୍ଧ ଚିତ୍ରକଳାକୁ ସୁରକ୍ଷା ଦେଉଥିବା ଗ୍ଲାସ୍‌ ଉପରକୁ ଟମାଟୋ ସସ୍‌ ପକାଇଥିଲେ। ଏହାସହ...

କଠୋର ଦଣ୍ଡବିଧାନ ଲୋଡ଼ା

ନାରୀଶକ୍ତିର ଦୁରବସ୍ଥା ଆଜି ଖବରକାଗଜ, ଟେଲିଭିଜନ ଖୋଲିଲେ ଜଣାପଡ଼େ। ୨୦୧୨ମସିହାରେ ନୂଆ ଦିଲ୍ଲୀ ରାଜରାସ୍ତାର ଚଳନ୍ତା ବସ୍‌ରେ ଘଟିଥିବା ନାରକୀୟ କାଣ୍ଡ ସମଗ୍ର ସଭ୍ୟସମାଜରେ ହଇଚଇ...

ଗୁରୁ ଚିର ନମସ୍ୟ

ଦେଶର ଅଗଣିତ ଶିଶୁମାନଙ୍କୁ ଶିକ୍ଷାଦାନ କରି ଜଣେ ସୁନାଗରିକ କରିବାରେ ଗୁରୁମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ ସମାଜରେ ଯଥେଷ୍ଟ ଉପରେ ରହିଛି। ଆମ ପୁଣ୍ୟ ଭୂମି...

ଗାନ୍ଧିଜୀଙ୍କ ଅନୁସୃତ ଚିକିତ୍ସା ପଦ୍ଧତି

ମନୁଷ୍ୟ ଶରୀର ପଞ୍ଚଭୂତରୁ ସୃଷ୍ଟି। ସେଗୁଡ଼ିକ ହେଉଛି- ଅଗ୍ନି, ବାୟୁ, ଜଳ, ଆକାଶ ଓ ପୃଥିବୀ। ତେଣୁ ମାଟି, ପାଣି, ବାୟୁ, ଆଲୋକ ଓ ଉତ୍ତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri