Categories: ଖେଳ

ମନ୍ଧାନା, ଶେଫାଳୀ ଜିତାଇ ଦେଲେ

ପାଲିକେଲ୍‌, ୫ା୭: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ୧୦ ଉଇକେଟରେ ବିଜୟ ଲାଭ କରିଛି। ଏଥିସହିତ ଦଳ ୩ ମ୍ୟାଚ୍‌ବିଶିଷ୍ଟ ସିରିଜ୍‌କୁ ଆଗୁଆ ଜିତିନେବା ସହ ୨-୦ରେ ଅଗ୍ରଣୀ ଲାଭ କରିଛି।

ଭାରତୀୟ ଓପ୍‌ନର ଦ୍ୱୟ ପ୍ରଥମ ଥର ପ୍ରଭାବୀ ବ୍ୟାଟିଂ କରିଛନ୍ତି। ସ୍ମୃତି ମନ୍ଧାନା ଓ ଶେଫାଳୀ ବର୍ମା ୧୭୪ ରନ୍‌ର ଅପରାଜିତ ପାର୍ଟନରଶିପ୍‌ ସହ ଭାରତକୁ ୨୫.୪ ଓଭରରେ ଜିତାଇଛନ୍ତିି। ଫଳରେ ଭାରତ ମହିଳା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ କୌଣସି ଉଇକେଟ ନ ହରାଇ ସର୍ବାଧିକ ବିଜୟ ଲକ୍ଷ୍ୟ ହାସଲ କରିବାର ସଫଳତା ହାସଲ କରିପାରିଛି।

ମନ୍ଧାନା ୮୩ ବଲ୍‌ରେ ୧୧ ଚୌକା ଓ ଗୋଟିଏ ଛକା ସହ ୯୪ ରନ୍‌ କରି ଅପରାଜିତ ରହିଥିଲେ। ସେହିପରି ଶେଫାଳୀ ୭୧ ବଲରୁ ୪ ଚୌକା ଓ ଗୋଟିଏ ଛକା ସହ ୭୧ ରନ୍‌ ସଂଗ୍ରହ କରିଥିଲେ। ପୂର୍ବରୁ ବୋଲର ଶ୍ରୀଲଙ୍କା ଇନିଂସ୍‌କୁ ୧୭୩ ରନ୍‌ରେ ସୀମିତ କରିଦେଇଥିଲେ। ଘରୋଇ ଦଳ ପକ୍ଷରୁ ଆମା କାଞ୍ଚନା ସର୍ବାଧିକ ୪୭ ରନ୍‌ କରି ଅପରାଜିତ ରହିଥିଲେ। ସଫଳ ଭାରତୀୟ ପେସ୍‌ ବୋଲର ରେଣୁକା ସିଂ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ୧୦ ଓଭର ବୋଲିଂରେ ୧ ମେଡେନ୍‌ ସହ ୨୮ରନ୍‌ ବିନିମୟରେ ୪ ଉଇକେଟ ଅକ୍ତିଆର କରିଥିଲେ। ରେଣୁକାଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ଦୀପ୍ତି ଶର୍ମା ଓ ମେଘନା ସିଂ ୨ଟିି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ।

Share