ନୂଆଦିଲ୍ଲୀ,୧୭।୧୦ (ଆଇଏଏନ୍ଏସ୍): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ସବୁ ରାଜ୍ୟର ଗୃହମନ୍ତ୍ରୀମାନଙ୍କର ଏକ ଚିନ୍ତନ ଶିବିର ଡାକିଛନ୍ତି। ହରିୟାଣାର ସୂରଜକୁଣ୍ଡଠାରେ ଅକ୍ଟୋବର ୨୭ ଓ ୨୮ରେ ଏହି ଶିବିର ଅନୁଷ୍ଠିତ ହେବ। ଗୃହ ମନ୍ତ୍ରଣାଳୟକୁ ନିଜ ଅଧୀନରେ ରଖିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ମଧ୍ୟ ବୈଠକକୁ ନିମନ୍ତ୍ରଣ କରାଯାଇଛି।
ତେବେ ମମତା ଚିନ୍ତନ ଶିବିରରେ ଯୋଗଦେବେ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ଦୁଇଦିନିଆ ମାନସ ମନ୍ଥନ ବୈଠକରେ ବିଭିନ୍ନ ଆଭ୍ୟନ୍ତରୀଣ ସୁରକ୍ଷା ସମସ୍ୟା ସମ୍ପର୍କରେ ଆଲୋଚନା ହେବ। ରାଜ୍ୟଗୁଡ଼ିକ ମଧ୍ୟରେ ପାରସ୍ପରିକ ସମନ୍ବୟ ଆଧାରରେ କେତେକ ଆଭ୍ୟନ୍ତରୀଣ ସୁରକ୍ଷା ସମସ୍ୟାର ସମାଧାନ ହୋଇପାରିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବିଶ୍ୱାସ କରୁଛି। ଏହା ବ୍ୟତୀତ ରାଜ୍ୟଗୁଡ଼ିକର ନୀତି ନିର୍ଦ୍ଧାରଣ, ଜନସୁରକ୍ଷା, ଅଗ୍ନିଶମ ସେବା ଆଦି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ। ଏଥିରେ ରାଜ୍ୟ ଗୃହମନ୍ତ୍ରୀମାନଙ୍କ ସହ ଗୃହ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକମାନେ ମଧ୍ୟ ଯୋଗଦେବେ।