Categories: ଜାତୀୟ

ଶାହା ଆସିପାରୁଛନ୍ତି, ରାହୁଲ କାହିଁକି ନୁହଁ

ଇମ୍ଫାଲ,୩୦ା୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ୨ ଦିନିଆ ମଣିପୁର ଗସ୍ତ କରିଛନ୍ତି। ମେ’ ୩ରୁ ଜାତିଆଣ ସଂଘର୍ଷ ଲାଗି ରହିଥିବା ଏହି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର ସର୍ବାଧିକ ହିଂସା ପ୍ରଭାବିତ ଚୂଡ଼ାଚାନ୍ଦପୁର ଜିଲାକୁ ରାହୁଲ କାର୍‌ରେ ଯାଉଥିବାବେଳେ ପୋଲିସ ଇମ୍ପାଲଠାରୁ ୨୦ କି.ମି. ଦୂର ବିଷ୍ଣୁପୁରରେ ତାଙ୍କୁ ଅଟକାଇଥିଲା। ସେ ଇମ୍ଫାଲକୁ ଫେରି ସେଠାରୁ ଏକ ସରକାରୀ ହେଲିକପ୍ଟରରେ ପୁଣି ଯାଇଥିଲେ। ମଣିପୁର ପୋଲିସର କହିବା ହେଉଛି, ରାହୁଲ ଯେଉଁ ରାସ୍ତା ଦେଇ ଯାଉଥିଲେ ସେହି ରୁଟ୍‌ରେ ମହିଳାମାନେ ବିକ୍ଷୋଭ କରୁଥିଲେ। ତେଣୁ ସୁରକ୍ଷା କାରଣରୁ ରାହୁଲଙ୍କୁ ଅଟକାଯାଇଥିଲା। ଅନ୍ୟପକ୍ଷରେ ରାହୁଲଙ୍କୁ ପୋଲିସ ଅଟକାଇବା ପରେ ଏହାର ପ୍ରତିବାଦରେ ମହିଳାମାନେ ବିକ୍ଷୋଭ କରିଥିଲେ। କାରଣ ରାହୁଲ ଚୂଡ଼ାଚାନ୍ଦପୁର ଓ ସେମାନଙ୍କ ଗଁାକୁ ଆସନ୍ତୁ ବୋଲି ମହିଳାମାନେ ଚାହୁଁଥିଲେ ବୋଲି କଂଗ୍ରେସ କହିଛି। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିଛି। ଜଣେ ବିକ୍ଷୋଭକାରୀ ମହିଳା କହିଛନ୍ତି, ମଣିପୁରରେ କ’ଣ ଚାଲିଛି ତାହା ଜାଣିବା ପାଇଁ ରାହୁଲ ଏଠାକୁ ଆସିଛନ୍ତି। ତାଙ୍କ ଉଦ୍ଦେଶ୍ୟ ରାଜନୀତି କରିବା ନୁହେଁ। ପୋଲିସ କାହିଁକି ରାସ୍ତା ଅବରୋଧ କରିଛି? ଆଉ ଜଣେ ମହିଳା ପ୍ରଶ୍ନ କରିଛନ୍ତି, ଯଦି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଚୂଡ଼ାଚାନ୍ଦପୁର ଆସିପାରୁଛନ୍ତି, ରାହୁଲଙ୍କୁ କାହିଁକି ଅଟକାଉଛ?
ଅଣଆଦିବାସୀ ମେଇତି ସମ୍ପ୍ରଦାୟର ଲୋକେ ତଫସିଲଭୁକ୍ତ ଜନଜାତି (ଏସ୍‌ଟି) ମାନ୍ୟତା ପ୍ରଦାନ ପାଇଁ ଦାବି କରୁଥିବାବେଳେ ପ୍ରାୟ ୨ ମାସ ତଳେ ମଣିପୁର ହାଇକୋର୍ଟ ସେମାନଙ୍କ ସପକ୍ଷରେ ରାୟ ଦେଇଥିଲେ। ଏହାର ପ୍ରତିବାଦରେ ମେ’ ୩ରେ ନାଗା ଓ କୁକି ଆଦିବାସୀମାନେ ‘ଟ୍ରାଇବାଲ ସୋଲିଡାରିଟି ମାର୍ଚ୍ଚ’ର ଆୟୋଜନ କରିଥିଲେ। ମେଇତି ସମ୍ପ୍ରଦାୟ ସେମାନଙ୍କୁ ଆକ୍ରମଣ କରିବା ପରେ ଜାତିଆଣ ସଂଘର୍ଷ ହୋଇଥିଲା, ଯାହାକି ଅଦ୍ୟାବଧି ଜାରି ରହିଛି। ଏହି ହିଂସାରେ ଏଯାଏ ୧୨୦ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଲେଣି। ଗୁରୁବାର ଭୋର ୫ଟା ୩୦ରେ କାଙ୍ଗ୍‌ପୋକ୍‌ପି ଜିଲା ହରାଓଥେଲ ଗ୍ରାମରେ ସଶସ୍ତ୍ର ଦଙ୍ଗାକାରୀମାନେ ଗୁଳି ଚଳାଇବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ କେତେଜଣ ଆହତ ହୋଇଛନ୍ତି। ଆଇନଶୃଙ୍ଖଳା ଅଣାୟତ୍ତ ହେବା ଆଶଙ୍କା ଥିବାରୁ ସମ୍ପୃକ୍ତ ଅଞ୍ଚଳରେ ସେନା ଯବାନଙ୍କୁ ମୁତୟନ କରାଯାଇଛି। ହିଂସା ଯୋଗୁ ବିସ୍ଥାପିତ ହୋଇଥିବା ଆଦିବାସୀମାନଙ୍କୁ ରିଲିଫ୍‌ କ୍ୟାମ୍ପ୍‌ରେ ରାହୁଲ ଭେଟିଛନ୍ତି।

Share