ଏହି ପ୍ରଶ୍ନର ଉତ୍ତର ଦେଲେ ମିଳିବ ଶାହାରୁଖ୍‌ ଖାନ୍‌ଙ୍କ ଘରେ ରହିବାର ସୁଯୋଗ

ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ଙ୍କର ଅନେକ ପ୍ରଶଂସକ ରହିଛନ୍ତି। ସେମାନେ ଶାହାରୁଖ୍‌ଙ୍କ ସହ ସେଲ୍‌ଫି ନେବା ପାଇଁ ଘଣ୍ଟା ଘଣ୍ଟା ତାଙ୍କ ଘର ସମ୍ମୁଖରେ ଛିଡା ହୋଇଥାନ୍ତି। ଖାଲି ସେତିକି ନୁହେଁ ମୁମ୍ବାଇ ସହ ଦିଲ୍ଲୀରେ ଥିବା ତାଙ୍କ ଘର ସମ୍ମୁଖକୁ ମଧ୍ୟ ଲୋକମାନେ ସେଲ୍‌ଫି ନେଇଥାନ୍ତି। ତେବେ ଅଧିକାଂଶ ଲୋକ ଶାହାରୁଖ୍‌ଙ୍କ ବଙ୍ଗଳାକୁ ଭିତରରୁ ଦେଖିବାକୁ ଚାହିଁଥାନ୍ତି। ଏ ନେଇ ସୋସିଆଲ ମିଡିଆରେ ଅଧିକାଂଶ ପ୍ରଶଂସକ ସେମାନଙ୍କ ଇଚ୍ଛାକୁ ପ୍ରକାଶ କରିଛନ୍ତି। ତେବେ ପ୍ରଶଂସକଙ୍କର ଏହି ଇଚ୍ଛା ଏବେ ପୂରଣ ହେବାକୁ ଯାଉଛି। ସେମାନେ ନିଜର ପ୍ରିୟ ଅଭିନେତା ଶାହାରୁଖ୍‌ଙ୍କ ଘରକୁ ଭିତରୁ ଦେଖିବା ସହ ସେଠାରେ ରହିବାର ସୁଯୋଗ ମଧ୍ୟ ପାଇପାରିବେ। ଏହି ସୁଯୋଗ ଶାହାରୁଖ୍‌ଙ୍କ ସ୍ତ୍ରୀ ଗୌରୀ ଖାନ୍‌ ୨୦୨୧ ଭାଲେଣ୍ଟାଇନ୍‌ ଡେ’ ଅବସରରେ ଦେଉଛନ୍ତି। ଯେଉଁଥିରେ ଶାହାରୁଖ୍‌ଙ୍କ ଦିଲ୍ଲୀସ୍ଥିତ ବଙ୍ଗଳାରେ ୨ ରାତି ଯେ କେହି ବି ବିତାଇ ପାରିବେ।
ଏକ ରିପୋର୍ଟ ଅନୁଯାୟୀ, ଶାହାରୁଖ୍‌-ଗୌରୀ ହୋମ୍‌ ଡେଲିଭରି ସଂସ୍ଥା ଏୟାରବିଏନ୍‌ବି ସହ ହାତ ମିଳାଇ ଏକ ପ୍ରତିଯୋଗିତାର ଆୟୋଜନ କରିଛନ୍ତି। ଲୋକଙ୍କୁ କେବଳ କହିବାକୁ ହେବ ‘ଓପର ଆର୍ମ ଓ୍ବେଲ୍‌କମ୍‌’ର ଅର୍ଥ କ’ଣ। ଏହାର ଉଚିତ୍‌ ଅର୍ଥ ଯିଏ ଦେଇପାରିବେ ତାଙ୍କୁ ୧୩ ଏବଂ ୧୪ ଫେବୃୟାରୀରେ ଦିଲ୍ଲୀରେ ଥିବା ଶାହାରୁଖ୍‌ଙ୍କ ଘରେ ରହିବାର ସୁଯୋଗ ମିଳିବ। ଶାହାରୁଖ୍‌ ତାଙ୍କର ଇନ୍‌ଷ୍ଟାଗ୍ରାମ୍‌ରେ ଦିଲ୍ଲୀ ଘର ଭିତରର କିଛି ଫଟୋ ମଧ୍ୟ ଶେୟାର କରିଛନ୍ତି। ଯାହାକି ବହୁତସୁନ୍ଦର ଏବଂ ଆକର୍ଷଣୀୟ ଦେଖାଯାଉଛି।

Share