ଗୋଟିଏ ବର୍ଷରେ ୧୦୦୦ କୋଟିରୁ ଅଧିକ ଆୟ କରିଥିବା ଦ୍ୱିତୀୟ ଅଭିନେତା ହେଲେ ଶାହାରୁଖ

ମୁମ୍ବାଇ: ଶାହାରୁଖ ଖାଁଙ୍କ ଫିଲ୍ମ ଯବାନ ପ୍ରତିଦିନ ବକ୍ସ ଅଫିସରେ ନୂଆ ରେକର୍ଡ କରି ଚାଲିଛି। ଏହି ମୁଭିଟି ବର୍ତ୍ତମାନ ଓ୍ବାର୍ଲଡ ଓ୍ବାଇଡ ୧୦୦୦ କୋଟି ଟଙ୍କା କ୍ଲବରେ ଯୋଗଦେବା ପାଇଁ ଅତି ନିକଟତର ହୋଇଛି। ଏହି ଫିଲ୍ମ ଘରୋଇ ବକ୍ସ ଅଫିସରେ ୫୦୦ କୋଟିରୁ ଅଧିକ ଆୟ କରିଛି। ଏହା ସହ ଶାହାରୁଖ ଖାଁ ବର୍ତ୍ତମାନ ତାଙ୍କ ନାମରେ ଏକ ନୂଆ ରେକର୍ଡ କରିଛନ୍ତି।

ଶାହାରୁଖ ପ୍ରଥମ ବଲିଉଡ ତଥା ଦ୍ୱିତୀୟ ଭାରତୀୟ ଅଭିନେତା ହୋଇପାରିଛନ୍ତି ଯିଏକି ଗୋଟିଏ ବର୍ଷ ମଧ୍ୟରେ ଭାରତୀୟ ବକ୍ସ ଅଫିସରେ ୧୦୦୦ କୋଟି ଟଙ୍କା କଲେକଶନ କରିଛନ୍ତି। ଚଳିତ ବର୍ଷ (୨୦୨୩) ଶାହାରୁଖ ଖାଁଙ୍କ ଅଭିନୀତ ‘ପଠାନ’ ଏବଂ ‘ଯବାନ’ ମୁଭି ସିନେମା ହଲରେ ମୁକ୍ତିଲାଭ କରିଛି। ଉଭୟ ମୁଭିକୁ ଏକାଠି କରି ଅଭିନେତା ୧୦୦୦ କୋଟିରୁ ଅଧିକ ରୋଜଗାର କରିଛନ୍ତି ଏବଂ ଏହା କରିବାରେ ପ୍ରଥମ ବଲିଉଡ ଅଭିନେତା ହୋଇଯାଇଛନ୍ତି।
ଶାହାରୁଖଙ୍କ ଫିଲ୍ମ ପଠାନ ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗିଛି। ତାଙ୍କର ମୁଭି ଯବାନ ମଧ୍ୟ ଚମତ୍କାର ପ୍ରଦର୍ଶନ କରୁଛି। ଚଳିତ ବର୍ଷ ଜାନୟାରୀରେ ରିଲିଜ ହୋଇଥିବା ‘ପଠାନ’ର ମୋଟ କଲେକଶନ ୫୪୩ କୋଟି ହୋଇଥିବାବେଳେ ସେପ୍ଟେମ୍ବର ୭ରେ ମୁକ୍ତିଲାଭ କରିଥିବା ଯବାନ ମାତ୍ର ୧୫ ଦିନ ମଧ୍ୟରେ ୫୨୭.୩୮ କୋଟି ଟଙ୍କା ଆୟ କରିଛି। ଏହିପରି କିଙ୍ଗ ଖାଁ ଗୋଟିଏ ବର୍ଷରେ ୧୦୦୦କୋଟିରୁ ଅଧିକ ଆୟ କରି ତାଙ୍କ ନାମରେ ଏକ ନୂଆ ରେକର୍ଡ କରିଛନ୍ତି।
ସୂଚନା ଅନୁଯାୟୀ, ଘରୋଇ ବକ୍ସ ଅଫିସରେ ୧୦୦୦ କୋଟି ଟଙ୍କା କ୍ଲବରେ ଯୋଗ ଦେଇଥିବା ଶାହାରୁଖ ଖାଁ ଦ୍ୱିତୀୟ ଭାରତୀୟ ଅଭିନେତା ହୋଇଛନ୍ତି। ଏହା ପୂର୍ବରୁ ସାଉଥ ସୁପରଷ୍ଟାର ପ୍ରଭାସଙ୍କର ଏହି ରେକର୍ଡ ଥିଲା। ଅଭିନେତାଙ୍କ ମୁଭି ବାହୁବଳି ୨୦୧୭ରେ ରିଲିଜ ହୋଇଥିଲା, ଯାହା ଘରୋଇ ବକ୍ସ ଅଫିସରେ ୧୦୩୦.୪୨ କୋଟି ଟଙ୍କା କଲେକଶନ କରିଥିଲା । ଏସଏସ ରାଜାମୌଳିିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ମୁଭି ସାରା ବିଶ୍ୱରେ ଅନେକ ରେକର୍ଡ ଭାଙ୍ଗି ଖୁବ ଭଲ କଲେକଶନ କରିଥିଲା।

Share