ବମ୍ବେ: ଦୀର୍ଘ ତିନି ସପ୍ତାହ ପରେ କିଙ୍ଗ ଖାନ୍ ଶାହାରୁଖଙ୍କ ପୁଅ ଆର୍ୟନଙ୍କୁ ମିଳିଛି ଜାମିନ। କ୍ରୁଜ୍ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଜେଲରେ ଥିଲେ ସେ। ନାମୀଦାମୀ ଓକିଲଙ୍କ ଦଲିଲ ପରେ କୋର୍ଟ ଶେଷରେ ଗୁରୁବାର ଜାମିନ ପ୍ରଦାନ କରିଥିଲେ। ଏହାକୁ ନେଇ ଶାହାରୁଖଙ୍କ ପ୍ରଶଂସକଙ୍କଠାରୁ ଆରମ୍ଭ କରି ଶୁଭଚିନ୍ତକ ଏବଂ ବନ୍ଧୁମାନେ ଖୁସି ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ସମସ୍ତେ ନିଜ ନିଜର ପ୍ରତିକ୍ରିୟା ରଖୁଛନ୍ତି। ଇତିମଧ୍ୟରେ ଶାହାରୁଖ ନିଜ ଘର ମନ୍ନତକୁ ଫେରିବେ ବୋଲି ଜଣାପଡ଼ିଛି।
ପୁଅ ଆର୍ୟନ ଗିରଫ ହେବା ଦିନଠାରୁ ଘରକୁ ଆସୁ ନ ଥିଲେ ଶାହାରୁଖ। ବମ୍ବେର ଟ୍ରାଇଡେଣ୍ଟ ହୋଟେଲରେ ସେ ରହୁଥିଲେ। ସେଠାରୁ ଯା’ଆସ ପାଇଁ ନିଜର ଦାମୀ ବିଏମ୍ଡବ୍ଲୁ କାର ପରିବର୍ତ୍ତେ ସାଧାରଣ କାର ବ୍ୟବହାର କରୁଥିଲେ। ଆଇନ ବ୍ୟବସ୍ଥା ଏବଂ ପରିସ୍ଥିତିକୁ ଦେଖି ସେ ଏଭଳି ନିଷ୍ପତ୍ତି ନେଇଥିଲେ। ହେଲେ ଏବେ ତାଙ୍କ ଚିନ୍ତାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସେ ଘରକୁ ଫେରିଛନ୍ତି।
ଅକ୍ଟୋବର ୩ରେ ଏନ୍ସିବି ଶାହାରୁଖଙ୍କ ପୁଅ ଆର୍ୟନଙ୍କୁ ଗିରଫ କରିଥିଲା। ଏହାପରଠାରୁ ତାଙ୍କର ଜାମିନ ପାଇଁ ବାରମ୍ବାର ଚେଷ୍ଟା କରାଯାଇଥିଲେ ହେଁ ତାହା ହୋଇପାରୁ ନ ଥିଲା। ଘଟଣାକୁ ନେଇ ଭାଙ୍ଗି ପଡ଼ିଥିଲେ କିଙ୍ଗ ଖାନ। ପ୍ରଶଂସକମାନେ ନିଜ ପ୍ରିୟ ଅଭିନେତାଙ୍କୁ ସାହାରା ଦେବାକୁ ଯାଇ ମନ୍ନତ ଆଗରେ ଜମା ହେଉଥିଲେ। ଏପରିକି ସେମାନେ ହାତରେ ପ୍ଲାକାର୍ଡ ଧରିବା ସହ ସ୍ଲୋଗାନ ଦେଇ ନିଜର ସମର୍ଥନ ଜଣାଉଥିଲେ।