ଆବୁଧାବି, ୧୦।୧୦: ଆଇପିଏଲ୍ ତ୍ରୟୋଦଶ ସଂସ୍କରଣରେ ଶନିବାର ଅନୁଷ୍ଠିତ ୨୪ତମ ମୁକାବିଲାରେ ବଲିଉଡ୍ ସୁପର୍ଷ୍ଟାର ଶାହରୁଖ ଖାନଙ୍କ ମାଲିକାନାରେ ଥିବା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ବିଜୟ ଲାଭ କରିଛି। ସ୍ଥାନୀୟ ଶେଖ୍ ଜାୟେଦ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍ରେ କୋଲକାତା ୨ ରନରେ କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ପରାସ୍ତ କରିଛି।
ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି କୋଲକାତା ଅଧିନାୟକ ଦୀନେଶ କାର୍ତ୍ତିକ (୫୮ ରନ, ୨୯ ବଲ୍) ଓ ଶୁବମନ ଗିଲ୍ (୫୭ ରନ, ୪୭ ବଲ୍)ଙ୍କ ଅର୍ଦ୍ଧଶତକ ବଳରେ ୬ ଉଇକେଟ୍ ହରାଇ ୧୬୪ ରନ କରିଥିଲା। ଜବାବରେ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ୍ ହରାଇ ୧୬୨ ରନ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଦୁଇ ଓପନର୍ ମୟଙ୍କ ଅଗ୍ରଓ୍ବାଲ୍ (୫୬ ରନ, ୩୯ ବଲ) ଓ ଅଧିନାୟକ ଲୋକେଶ ରାହୁଲ (୭୪ ରନ, ୫୮ ବଲ୍) ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ ମଧ୍ୟ ଦଳକୁ ବିଜୟୀ କରାଇ ପାରି ନ ଥିଲେ। ଏଥିସହ ପଞ୍ଜାବ ଲଗାତର ୪ଟି ମ୍ୟାଚ୍ ହାରିଛି। ୭ ମ୍ୟାଚ୍ରୁ ଗୋଟିଏ ବିଜୟ ଓ ୬ ପରାଜୟ ସହ ପଞ୍ଜାବ ଟେବୁଲର ସର୍ବନିମ୍ନ ସ୍ଥାନରେ ରହିଛି। ଅପରପକ୍ଷରେ କୋଲକାତା ୪ ବିଜୟ ସହ ୩ୟ ସ୍ଥାନକୁ ଉଠିଛି।