ତ୍ରିନିଦାଦ୍, ୯।୯: କାରୀବିୟାନ ପ୍ରିମିୟର ଲିଗ୍ (ସିପିଏଲ୍)ର ଫାଇନାଲ ଲାଇନ୍ ଅପ୍ ଚୂଡ଼ାନ୍ତ ହୋଇଯାଇଛି। ତ୍ରିନିବାଗୋ ନାଇଟ୍ ରାଇଡର୍ସ ଓ ସେଣ୍ଟ ଲୁସିଆ ଜୋକ୍ସ ମଧ୍ୟରେ ଫାଇନାଲ ମ୍ୟାଚ୍ ଗୁରୁବାର ଖେଳାଯିବ। ବଲିଉଡ୍ ସୁପର୍ ଷ୍ଟାର୍ ଶାହରୁଖ ଖାନଙ୍କ ମାଲିକାନାରେ ଥିବା ନାଇଟ୍ ରାଇଡର୍ସ ଦଳ ପ୍ରତିଯୋଗିତାର ପ୍ରଥମ ସେମିଫାଇନାଲରେ ୯ ଉଇକେଟ୍ରେ ଜାମାଇକା ତଲ୍ଓ୍ବାସକୁ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଛି। ଏହି ଲୋ-ସ୍କୋରିଂ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଜାମାଇକା ତଲ୍ଓ୍ବାସ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ୍ ହରାଇ ମାତ୍ର ୧୦୭ ରନ କରିଥିଲା। ଜବାବରେ ନାଇଟ୍ ରାଇଡର୍ସ ଓପନର୍ ଲେଣ୍ଡଲ୍ ସିମନ୍ସ (୫୪ ରନ) ଓ ଟିନୋ ଓ୍ବେବଷ୍ଟର (୪୪)ଙ୍କ ଅପରାଜିତ ଇନିଂସ ବଳରେ ୧୫ ଓଭରରେ ଗୋଟିଏ ଉଇକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ପୂର୍ବରୁ ଶାହରୁଖ ଖାନଙ୍କ ଦଳ ପ୍ରତିଯୋଗିତାର ଲିଗ୍ ପର୍ଯ୍ୟାୟରେ ସମସ୍ତ ୧୦ ମ୍ୟାଚ୍ ଜିତି ଅପରାଜେୟ ସହ ସେମିଫାଇନାଲରେ ପ୍ରବେଶ କରିଥିଲା।
ଅନ୍ୟ ଏକ ସେମିଫାଇନାଲରେ ସେଣ୍ଟ ଲୁସିଆ ଜୋକ୍ସ ୧୦ ଉଇକେଟ୍ରେ ଗୁଆନା ଆମାଜନ୍ ଓ୍ବାରିୟର୍ସକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲା।