Advertisement

ସୀମାରେ ଆଣ୍ଟି ଡ୍ରୋନ ସିଷ୍ଟମ ନିୟୋଜିତ କରିବ ଭାରତ: ଶାହା

ନୂଆଦିଲ୍ଲୀ,୨୭।୯: ସୁରକ୍ଷାକୁ ମଜବୁତ କରିବା ପାଇଁ ଅନ୍ତର୍ଜାତୀୟ ସୀମାରେ ଆଣ୍ଟି ଡ୍ରୋନ ସିଷ୍ଟମ ନିୟୋଜିତ କରାଯିବ। ମଙ୍ଗଳବାର ଅମୃତସରରେ ଉତ୍ତର ଜୋନାଲ ପରିଷଦ ବୈଠକକୁ ସମ୍ବୋଧିତ କରିବାବେଳେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି। ଶାହା କହିଛନ୍ତି, ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବାକୁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ। ଆମ ଦେଶର ସୀମାରେ ଖୁବ୍‌ଶୀଘ୍ର ଆଣ୍ଟି ଡ୍ରୋନ ବ୍ୟବସ୍ଥା ନିୟୋଜିତ ହେବ।

ଏଥିସହ ସେ ଏହି ପରିଷଦର ସଦସ୍ୟମାନଙ୍କୁ ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ, ଦିଲ୍ଲୀ, ଜମ୍ମୁ- କଶ୍ମୀର, ଲଦାଖ ଏବଂ ଚଣ୍ଡିଗଡ଼କୁ ଏକ ଖୋଲା ମନ ସହିତ ଏବଂ ପାରସ୍ପରିକ ଆଲୋଚନା ମାଧ୍ୟମରେ ଜଳ ବଣ୍ଟନ ସମ୍ବନ୍ଧୀୟ ବିବାଦର ସମାଧାନ କରିବାକୁ ମଧ୍ୟ କହିଛନ୍ତି।

ଶାହା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି କହିଛନ୍ତି, ମୋଦି ସରକାର ଏହି ଅଞ୍ଚଳର ସୁରକ୍ଷା ତଥା ବିକାଶ ପାଇଁ ଉତ୍ସର୍ଗୀକୃତ। ଆମର ସୁରକ୍ଷା ଏଜେନ୍ସିଗୁଡ଼ିକର ନିରନ୍ତର ସଜାଗତା ଏହି ଅଞ୍ଚଳରେ ଆତଙ୍କବାଦୀ ତଥା ଡ୍ରଗ ଚୋରା ଚାଲାଣକାରୀଙ୍କ ବିରୋଧରେ ଅନେକ ସଫଳ ଅପରେଶନ କରିଛି। ଏହି ଅଞ୍ଚଳର ସୁରକ୍ଷା ନେଟୱାର୍କକୁ ଆହୁରି ମଜବୁତ କରିବା ପାଇଁ ଖୁବ୍‌ଶୀଘ୍ର ଆମ ଦେଶର ସୀମାରେ ଏକ ଡ୍ରୋନ ବିରୋଧୀ ବ୍ୟବସ୍ଥା ନିୟୋଜିତ ହେବ।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share