୨୮ରେ ନିମାପଡ଼ା ଆସିବେ ଶାହା

ନିମାପଡ଼ା,୨୭ା୫(ବିଚିତ୍ରାନନ୍ଦ ସାହୁ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ୨୮ ତାରିଖରେ ନିମାପଡ଼ା ଗସ୍ତରେ ଆସୁଛନ୍ତି। ଭାଜପା ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସାଧାରଣ ସଭାରେ ମନ୍ତ୍ରୀ ଶାହା ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଥିବା ଭାଜପା ନେତୃବୃନ୍ଦମାନଙ୍କ ସୂତ୍ରରୁ ଜଣାପଡ଼ିଛି। କେନ୍ଦ୍ର ଗୃହମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ପାଇଁ ଜିଲା ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହି କାର୍ଯ୍ୟକ୍ରମର ସଫଳତା, ତ୍ୱରାନ୍ବିତ ପାଇଁ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଏକ ବୈଠକ ପଞ୍ଚାୟତ ସମିତି ସଭାଗୃହରେ ରବିବାର ଅନୁଷ୍ଠିତ ହୋଇଥିଲା। ଅତିଥି ଭାବେ ଅତିରିକ୍ତ ଜିଲାପାଳ (ରାଜସ୍ବ) କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଏସ୍‌ପି ଦେବବ୍ରତ ଚକ୍ର, ପୋଲିସ ଏସ୍‌ଡିପିଓ ପ୍ରଭାତ ମଲ୍ଲିକ, ଆଇଆଇସି ବାମଦେବ ସ୍ବାଇଁ, ବିଡିଓ ଭୁବନାନନ୍ଦ ପଟ୍ଟନାୟକ, ତହସିଲଦାର ବସନ୍ତ ହାତୀ, ଅଗ୍ନିସେବା ସଂସ୍ଥା, ପୂର୍ତ୍ତ ବିଭାଗ ସମେତ ବିଭିନ୍ନ ବିଭାଗର ଅଧିକାରୀ, ଭାରତ ସରକାରଙ୍କ ପୋଲିସ ବିଭାଗର ପଦସ୍ଥ କେନ୍ଦ୍ରୀୟ ସୁରକ୍ଷା ଅଧିକାରୀମାନେ ଯୋଗଦେଇଥିଲେ। କେନ୍ଦ୍ର ସରକାରଙ୍କ ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ କେନ୍ଦ୍ରୀୟ ସୁରକ୍ଷା ଅଧିକାରୀ, ଜିଲା ଓ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ୨ଟି ହେଲିପ୍ୟାଡ ସ୍ଥଳ, କାରକେଡ୍‌ ପଥ, ସଭାସ୍ଥଳ, ହେଲିପ୍ୟାଡ୍‌ରୁ ସଭାସ୍ଥଳକୁ ଯାତାୟାତ ପଥ ଆଦି ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟର ତଦାରଖ କରିବା ସହ ଯାନବାହନ ପାର୍କିଂ, ଟ୍ରାଫିକ ନିୟନ୍ତ୍ରଣ ଦିଗରେ ପୋଲିସ ଅଧିକାରୀମାନେ ଗୁରୁତ୍ୱାରୋପ କରିଥିଲେ। ମନ୍ତ୍ରୀଙ୍କ କଡ଼ା ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାର କେନ୍ଦ୍ରୀୟ ସୁରକ୍ଷା ଅଧିକାରୀ, କମାଣ୍ଡାଣ୍ଟ, ସିକ୍ୟୁରିଟି ଉଇଙ୍ଗ୍‌ସ ବିଭାଗର ପ୍ରାୟ ୧୫ ଜଣିଆ ସେଣ୍ଟ୍ରାଲ ପୋଲିସ ଟିମ୍‌ ସ୍ବତନ୍ତ୍ର ଭାବେ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାର ତଦାରଖ କରିଥିଲେ। ଏହି ସମାରୋହରେ ଭାଜପାର ବହୁ ରାଜ୍ୟସ୍ତରୀୟ ବରିଷ୍ଠ ନେତା ଯୋଗଦେବେ ବୋଲି ଜଣାପଡ଼ିଛି।

Share