Categories: ଜାତୀୟ

ବିପର୍ଯ୍ୟୟର ତାଣ୍ଡବ ଦେଖିବେ ଶାହା, ଯିବେ ଗୁଜରାଟ…

ଅହମଦାବାଦ,୧୭।୬ : ଦକ୍ଷିଣ ପୂର୍ବ ଆରବ ସାଗରରୁ ଉଠିଥିବା ସାଇକ୍ଲୋନିକ ଝଡ ବିପର୍ଯ୍ୟୟ ଶୁକ୍ରବାର ଗୁଜରାଟର ଉପକୂଳରେ ମାଡ଼ ହେବାପରେ ଆଗକୁ ବଢ଼ିଥିଲା। କିନ୍ତୁ ପଛରେ ଛାଡି ଦେଇଥିଲା ତାଣ୍ଡବର ଛାପ ଏବଂ ଧ୍ୱଂସାବଶେଷ । କ୍ଷୟକ୍ଷତିର ଆକଳନ କରିବା କଷ୍ଟକର, କିନ୍ତୁ ଭଙ୍ଗା ଘର, ଉପୁଡ଼ି ଯାଇଥିବା ବୈଦ୍ୟୁତିକ ପୋଲ ଝଡ଼ର ତାଣ୍ଡବ ବଖାଣୁଛି। ବିଭିନ୍ନ ରାସ୍ତାରେ ପ୍ରାୟ ୬୦୦ରୁ ଅଧିକ ଗଛ ପଡିଛି। ଏହି ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଭାରତ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ଝଡ଼ ରାଜ୍ୟର କଚ୍ଛ ଏବଂ ସୌରାଷ୍ଟ୍ରର ଆଠଟି ଜିଲାରେ ସର୍ବାଧିକ କ୍ଷତି ଘଟାଇଛନ୍ତି। ତଥାପି, ପ୍ରାରମ୍ଭିକ ଚେତାବନୀ ଏବଂ ବିସ୍ତୃତ ପ୍ରସ୍ତୁତି ଯୋଗୁ ସ୍ଥିତି ଭଲ ରହିଛି। ଏକ ଲକ୍ଷରୁ ଅଧିକ ଲୋକଙ୍କୁ ଝଡ ପୂର୍ବରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା।

ଶାହା ଝଡ଼ ଦ୍ୱାରା ପ୍ରଭାବିତ ଅଞ୍ଚଳରେ ପରିସ୍ଥିତିର ଅନୁଧ୍ୟାନ କରିବା ପାଇଁ ଗୁଜରାଟରେ ପହଞ୍ଚିବେ। ସେ କଚ୍ଛ ଏବଂ ଜାଖା ବନ୍ଦର ପରିଦର୍ଶନ କରିବେ। ପରେ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ ମଧ୍ୟ କରିବେ।

ଶାହା ପ୍ରଥମେ ପ୍ରଭାବିତ ଅଞ୍ଚଳର ଏକ ବିମାନ ସର୍ଭେ କରିବେ। ଏହି ସମୟରେ ସେ ଆଶ୍ରୟ ଗୃହ ପରିଦର୍ଶନ କରିବେ ଏବଂ ଲୋକଙ୍କୁ ଭେଟିବେ। ଏହା ପରେ ସେ ମାଣ୍ଡଭି ଯାଇ ପ୍ରଭାବିତ ଲୋକଙ୍କୁ ଭେଟିବେ। ପରେ ଭୁଜରେ ଥିବା ସ୍ବାମୀ ନାରାୟଣ ମନ୍ଦିର ପରିଦର୍ଶନ କରିବେ ଏବଂ ପ୍ରଭାବିତ ଲୋକଙ୍କ ପାଇଁ ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ସୁବିଧା ସମୀକ୍ଷା କରିବେ।

 

Share