Categories: ଜାତୀୟ

ବିହାରରେ ବଢ଼ିଲା ରାଜନୈତିକ ହଲଚଲ: ଶାହାବୁଦ୍ଦିନଙ୍କ ପୁଅ ଓସାମା RJDରେ ସାମିଲ, କ୍ରିକେଟର ଈଶାନଙ୍କ ବାପା ଧରିଲେ ‘ନୀତୀଶ’ଙ୍କ ହାତ

ପାଟନା,୨୭।୧୦: ରାଜନୀତିର ପାଠଶାଳା କୁହାଯାଉଥିବା ବିହାରରେ ୨ ବଡ଼ ଘଟଣା ସାମ୍ନାକୁ ଆସିଛି। ସ୍ବର୍ଗତ ଏମ୍‌ପି ତଥା ଆର୍‌ଜେଡିର ବରିଷ୍ଠ ନେତା ଥିବା ମହମ୍ମଦ ଶାହାବୁଦ୍ଦିନଙ୍କ ପୁଅ ଓସାମା ରବିବାର ଆର୍‌ଜେଡିରେ ସାମିଲ ହୋଇଛନ୍ତି। ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ତେଜସ୍ବୀ ଯାଦବ ତାଙ୍କୁ ଦଳର ସଦସ୍ୟତା ପ୍ରଦାନ କରିଛନ୍ତି। ଓସାମାଙ୍କ ବ୍ୟତିତ ତାଙ୍କ ମା’ ହିନା ଶହାବ ମଧ୍ୟ ଆଜି ଆର୍‌ଜେଡିରେ ସାମିଲ ହୋଇଛନ୍ତି। ତେବେ ଓସାମା ଦଳରେ ସାମିଲ ହେବା ପରେ କର୍ମୀ ଏକଜୁଟ ଏବଂ ମଜଭୂତ ହେବ ବୋଲି ଲାଲୁ କହିଛନ୍ତି। ସେହିଭଳି କ୍ରିକେଟର ଈଶାନ କିଶନଙ୍କ ବାପା ପ୍ରଣବ ପାଣ୍ଡେ ମଧ୍ୟ ରାଜନୈତିକ କ୍ୟାରିୟର ଆରମ୍ଭ କରିଛନ୍ତି। ସେ ଜେଡିୟୁରେ ସାମିଲ ହେବେ ବୋଲି ଜଣାପଡ଼ିଛି।

ବିହାରରେ ଏହି ୨ ରାଜନୈତିକ ଘଟଣାକ୍ରମ ପରେ ନିର୍ବାଚନୀ ହଲଚଲ ଆରମ୍ଭ ହୋଇଛନ୍ତି। ବିହାରରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଆରମ୍ଭ ହେବ। ଏମିତିରେ ଓସାମା ଆର୍‌ଜେଡିରେ ସାମିଲ ହେବାକୁ ଏକ ପ୍ରମୁଖ ଘଟଣାକ୍ରମ ବୋଲି କୁହାଯାଉଛି, କାରଣ ଶାହାବୁଦ୍ଦିନ ଆର୍‌ଜେଡିର ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ ସାମିଲ ଅଛନ୍ତି। ତାଙ୍କ ପତ୍ନୀ ହିନା ମଧ୍ୟ ଆର୍‌ଜେଡିରେ ସାମିଲ ଅଛନ୍ତି। ତେବେ ୨୦୨୪ ଲୋକ ସଭା ନିର୍ବାଚନ ପରେ ସେ ଦଳ ଛାଡ଼ିଥିଲେ। ଏବେ ସେମାନେ ପୁଣିଥରେ ଆର୍‌ଜେଡିରେ ସାମିଲ ହୋଇଛନ୍ତି। ଜେଡିୟୁ ମଧ୍ୟ ଈଶାନ କିଶନଙ୍କ ବାପାଙ୍କୁ ଦଳରେ ସାମିଲ କରି ବଡ଼ ଗୋଟି ଚାଳନା କରିଛି। ଏହାଦ୍ୱାରା ଯୁବ ଭୋଟର ପ୍ରଭାବିତ ହେବେ ବୋଲି ଦଳ ଆଶା କରିଛି।

Share