ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଶେହଓ୍ବାଜ

ଇସ୍‌ଲାମାବାଦ୍‌,୧୧।୪: ପିଏମ୍‌ଏଲ୍‌-ଏନ୍‌ର ଅଧ୍ୟକ୍ଷ ୭୦ ବର୍ଷୀୟ ଶେହଓ୍ବାଜ ଶରିଫ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସୋମବାର ବିଳମ୍ବିତ ରାତିରେ ରାଷ୍ଟ୍ରପତି ଭବନରେ କାର୍ଯ୍ୟକାରୀ ରାଷ୍ଟ୍ରପତି ତଥା ସିନେଟର ଅଧ୍ୟକ୍ଷ ସାଦିକ ସଞ୍ଜରାନି ଶେହଓ୍ବାଜଙ୍କୁ ତାଙ୍କ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଅବସରରେ ପିପିପି ଅଧ୍ୟକ୍ଷ ବିଲାଓ୍ବଲ ଭୁଟ୍ଟୋ, ପିଡିଏମ୍‌ ମୁଖ୍ୟ ମୌଲାନା ଫଜଲୁର ଓ ପୂର୍ବତନ ପ୍ରଧାନମନ୍ତ୍ରୀ ୟୁଶୁଫ ରଜା ଗିଲାନୀ ଉପସ୍ଥିତ ଥିଲେ। ସୂଚନା ମୁତାବକ ଦେଶର ରାଷ୍ଟ୍ରପତି ଆରିଫ ଅଲଓ୍ବି ଶେହଓ୍ବାଜଙ୍କୁ ଶପଥ ଗ୍ରହଣ କରାଇବାରଥିଲା। କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଆରିଫ ଅଲଓ୍ବି ଛୁଟିରେ ପଳେଇଯାଇଥିଲେ। ତେଣୁ ପାକିସ୍ତାନ ସିନେଟ୍‌ ଅଧ୍ୟକ୍ଷ ସାଦିକ୍‌ ସଞ୍ଜରାନୀ କାର୍ଯ୍ୟକାରୀ ଶେହଓ୍ବାଜ୍‌ଙ୍କୁ ଶପଥ ପାଠ କରାଇଥିଲେ। ସୂଚନାଯୋଗ୍ୟ, ରେହମାନ ଶେହଓ୍ବାଜ୍‌ ଶରିଫ୍‌ ସୋମବାର ବିନା ପ୍ରତିଦ୍ୱନ୍ଦ୍ୱିତାରେ ୧୭୪ ଭୋଟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି। ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ୍‌ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ୍‌ ଖାନ୍‌ ଅନାସ୍ଥା ଭୋଟରେ ହାରି ଶାସନରୁ ବିଦା ହେବା ପରେ ବିରୋଧୀ ମେଣ୍ଟ ଶେହଓ୍ବାଜ୍‌ଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ମନୋନୀତ କରିଥିଲା।

Share