କରାଚୀ, ୧୩ା୪- ଭାରତୀୟ ପେସର ଯଶପ୍ରୀତ ବୁମରାଙ୍କୁ ବିଶ୍ୱ କ୍ରିକେଟରେ ଅନ୍ୟତମ ଘାତକ ବୋଲର ଭାବେ ଗଣାଯାଏ। ହେଲେ ପାକିସ୍ତାନ ପେସର ଶାହିନ ଆଫ୍ରିଦୀ, ବୁମରାଙ୍କ ଠାରୁ ଭଲ ବୋଲର ବୋଲି କହିଛନ୍ତି ପୂର୍ବତନ ପେସର ଆବିକ ଜାଭେଦ୍। ୨୦୧୮ରେ ପଦାର୍ପଣ କରିଥିବା ଶାହିନ ଅନ୍ତର୍ଜାତୀୟ କ୍ରିକେଟରେ ୧୫ ଟେଷ୍ଟ, ୨୫ ଦିନିକିଆ ଓ ୨୦ ଟି୨୦ ମ୍ୟାଚ୍ ଖେଳିଛନ୍ତି। ସେହିଭଳି ଭାରତ ପାଇଁ ୧୯ ଟେଷ୍ଟ, ୬୭ ଦିନିକିଆ ଓ ୫୦ ଟି୨୦ ମ୍ୟାଚ୍ରେ ପ୍ରତିନିଧିତ୍ୱ କରିଛନ୍ତି ବୁମରା।
ବୁମରା ଜଣେ ଘାତକ ବୋଲର। ମ୍ୟାଚ୍ର ଯେ କୌଣସି ସ୍ଥିତିରେ ସେ ବୋଲିଂ କରିପାରିବେ। ବୁମରା ଓ ଶାହିନ ନୂଆ ବଲରେ ଭଲ ବୋଲିଂ କରନ୍ତି। କିନ୍ତୁ ମୁଁ ଭାବୁଛି, ଡେଥ୍ ବୋଲିଂରେ ବୁମରାଙ୍କ ଠାରୁ ଶାହିନ ଅଳ୍ପ ଆଗରେ ରହିବେ ବୋଲି କ୍ରିକେଟ ପାକିସ୍ତାନ ଚ୍ୟାନେଲରେ ଜାଭେଦ୍ କହିଛନ୍ତି। ପାକିସ୍ତାନର ଏହି ପୂର୍ବତନ ଖେଳାଳି ନିକଟରେ ବାବର ଆଜାମଙ୍କ ଠାରୁ ବିରାଟ କୋହଲି ଟେକ୍ନିକ୍ ଶିଖିବା ଦରକାର ବୋଲି କହି ଚର୍ଚ୍ଚାକୁ ଆସିଥିଲେ।