Categories: ଖେଳ

ବ୍ୟାଟରଙ୍କ ଉପରକୁ ବଲ ଫୋପାଡ଼ିବା ପଡ଼ିଲା ମହଙ୍ଗା

ଢାକା,୨୧।୧୧: ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ପାକିସ୍ତାନ ପେସର ଶାହୀନ ଶାହା ଆଫ୍ରିଦୀଙ୍କ ଥ୍ରୋରେ ଆହତ ହୋଇଥିଲେ ବାଂଲାଦେଶ ବ୍ୟାଟର ଅଫିଫ ହୋସେନ। ମ୍ୟାଚ୍‌ ପରେ ଏଭଳି ଆଚାରଣ ଲାଗି ଅଫିଫଙ୍କୁ ବ୍ୟକ୍ତିଗତ ଭାବେ କ୍ଷମା ମାଗିଥିଲେ ଆଫ୍ରିଦୀ। ଏହାସତ୍ତ୍ୱେ ତାଙ୍କୁ ଦଣ୍ଡିତ କରିଛି ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି)। ଦଣ୍ଡ ବାବଦକୁ ତାଙ୍କ ମ୍ୟାଚ୍‌ ଫି’ର ୧୫ ପ୍ରତିଶତ କାଟ କରାଯାଇଛି।

ଶନିବାର ଖେଳାଯାଇଥିବା ମ୍ୟାଚ୍‌ର ୩ୟ ଓଭରରେ ଅଫିଫ ପାକିସ୍ତାନୀ ପେସର ଆଫ୍ରିଦୀଙ୍କୁ ଫାଇନ ଲେଗ୍‌ ଅଞ୍ଚଳରେ ଛକା ଲଗାଇଥିଲେ। ଏହାର ପରବର୍ତ୍ତୀ ବଲରେ ସେ ଡିଫେନ୍ସିଭ ଶଟ୍‌ ଖେଳିଥିଲେ। କିନ୍ତୁ ଛକା ରାଗ ସୁଜାଇବା ପାଇଁ ଶାହୀନ ଫଲୋଥ୍ରୁରେ ବଲ ଧରି ଡାଇରେକ୍ଟ ଫୋପାଡ଼ିଥିଲେ ଅଫିଫଙ୍କ ଉପରକୁ। ବଲ ଅଫିଫଙ୍କ ଗୋଇଠିରେ ବାଜିଥିଲା। ଏହାର ତୁରନ୍ତ ପରେ ଅଫିଫଙ୍କ ନିକଟକୁ ଯାଇ କ୍ଷମା ମାଗିଥିଲେ ଶାହୀନ।

Share