Categories: ଜାତୀୟ

ଯୋଗ ଦେବାର ଘଣ୍ଟାକ ପରେ ଭାଜପାରୁ ତଡ଼ା ଖାଇଲେ ଶାହିନବାଗ ଶୁଟର

ନୂଆଦିଲ୍ଲୀ,୩୦ା୧୨- ନାଗରିକତା ଆଇନକୁ ନେଇ ଶାହିନବାଗରେ ଚାଲିଥିବା ବିରୋଧ ପ୍ରଦର୍ଶନସ୍ଥଳରେ ଗୁଳି ମାଡ଼ କରିଥିବା କପିଲ ଗୁରଜାର ବୁଧବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗ ଦେଇଥିଲେ। ହେଲେ ଘଣ୍ଟାକ ପରେ ଭାଜପା ପକ୍ଷରୁ ତାଙ୍କୁ ବହିଷ୍କୃତ କରାଯାଇଛି।

‘ ବିଏସ୍‌ପି (ବହୁଜନ ସମାଜବାଦୀ ପାର୍ଟି)ର କର୍ମକର୍ତ୍ତା କପିଲ ଗୁରଜାର ଭାଜପାରେ ଯୋଗ ଦେଇଥିଲେ। ହେଲେ ଶାହିନବାଗ ଘଟଣାରେ ତାଙ୍କ ସମ୍ପୃକ୍ତି ବିଷୟରେ ଅବଗତ ନ ଥିଲୁ ’ ବୋଲି ଗାଜିଆବାଦ ଭାଜପା ସଭାପତି ସଞ୍ଜୀବ ଶର୍ମା କହିଛନ୍ତି। ଉତ୍ତର ପ୍ରଦେଶର ଗାଜିଆବାଦଠାରେ ସ୍ଥାନୀୟ ନେତାଙ୍କ ଉପସ୍ଥିତିରେ ଗୁରଜାର ସାମିଲ ହୋଇଥିଲେ ଭାଜପାରେ। ଏହାକୁ ନେଇ ବିରୋଧିମାନେ ଟାର୍ଗେଟ କରିଥିଲେ ରାଜ୍ୟ ସରକାରଙ୍କୁ। ଆଉ ସୋସିଆଲ ମିଡିଆରେ ପାର୍ଟିକୁ ଟ୍ରୋଲର ସମ୍ମଖୀନ ହେବାକୁ ପଡ଼ିଥିଲା।

ଉଲ୍ଲେଖଥାଉ କି, ଚଳିତବର୍ଷ ଫେବୃୟାରୀ ୧ ତାରିଖରେ ଶାହିନବାଗଠାରେ ନାଗରିକତା ସଂଶୋଧିତ ଅଧିନିୟମ (ସିଏଏ)କୁ ବିରୋଧ ଚାଲିଥିବାବେଳେ ଗୁରଜାର ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ। ଏହି ଘଟଣାରେ ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ଆଉ ଏବେ ସେ ବେଲରେ ବାହାରେ ଅଛନ୍ତି।

Share