ପୁଣି ଥରେ ରିଲିଜ ହେଲା ଶାହିଦଙ୍କ ୧୭ ବର୍ଷ ପୁରୁଣା ହିଟ୍‌ ଫିଲ୍ମ

ବମ୍ବେ: ବଲିଉଡ୍‌ ଅଭିନେତା ଶାହିଦ କପୁର ସଦ୍ୟ ରିଲିଜ ହୋଇଥିବା ଫିଲ୍ମ ‘ତେରି ବାତୋଁ ମେ ଐସା ଉଲଝା ଜିଆ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଫେବୃଆରୀ ୯ରେ ଏହା ସିନେମାଘରେ ରିଲିଜ ହୋଇଛି। ଏଥିରେ ତାଙ୍କ ନାୟିକା ଭାବେ ନଜର ଆସୁଛନ୍ତି କ୍ରିତି ସେନନ୍‌। ଫିଲ୍ମକୁ ଦର୍ଶକେ ପସନ୍ଦ କରୁଛନ୍ତି। ଏସବୁ ମଧ୍ୟରେ ତାଙ୍କର ୧୭ ବର୍ଷ ପୁରୁଣା ଆଉ ଏକ ଫିଲ୍ମ ପୁଣିଥରେ ରିଲିଜ ହୋଇଥିବା ଜଣାପଡ଼ିଛି। ସେଇଟି ହେଲା ‘ଜବ୍‌ ଉଇ ମେଟ୍‌’।

୨୦୦୭ରେ ରିଲିଜ ହୋଇଥିଲା ଶାହିଦଙ୍କ ଜବ୍‌ ଉଇ ମେଟ୍‌। ଫିଲ୍ମରେ ତାଙ୍କ ସହ କରିନା କପୁର ଖାନ୍‌ ରହିଥିଲେ। ଉଭୟଙ୍କ ଯୋଡ଼ି ବଡ଼ ପରଦାରେ ହିଟ୍‌ ସାବ୍ୟସ୍ତ ହୋଇଥିଲା। ରୋମାନ୍ସ ସାଙ୍ଗକୁ କମେଡି ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଏବେ ଭ୍ୟାଲେଣ୍ଟାଇନ୍‌ ସପ୍ତାହରେ ପୁଣି ଫିଲ୍ମଟିକୁ ରିଲିଜ କରାଯାଇଛି। କରିନା ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି ଏନେଇ ଜଣାଇଛନ୍ତି। ଉକ୍ତ ଭିଡିଓରେ ଫିଲ୍ମର ଅନେକ ଦୃଶ୍ୟ ରହିଛି। ଏହାଛଡ଼ା ଆରମ୍ଭରୁ ‘ଜବ୍‌ ଉଇ ମେଟ୍‌’ ପୁଣିଥରେ ସିନେମାଘରେ ବୋଲି ଲେଖାଯାଇଛି।

କହିରଖୁଛୁ, ଫେବୃଆରୀ ୯ରୁ ୧୫ ମଧ୍ୟରେ ଭ୍ୟାଲେଣ୍ଟାଇନ୍‌ ଫିଲ୍ମ ଫେଷ୍ଟିଭାଲ୍‌ ପାଳନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ପୁରୁଣା ରୋମାଣ୍ଟିକ୍‌ ଫିଲ୍ମକୁ ରିଲିଜ କରାଯାଉଛି। ସେଥିରେ ‘ଜବ୍‌ ଉଇ ମେଟ୍‌’ ରହିଛି। ଏହାଛଡ଼ା ‘ମୋହବତେଁ, ବୀର ଜାରା, ପ୍ୟାର୍‌ କା ପଞ୍ଚନାମା’ର ମଧ୍ୟ ରିଲିଜ ହେବାକୁ ଯାଉଛି।

Share