Categories: ଖେଳ

ସହିଦ ନଗର ଏକାଦଶ ଚାମ୍ପିୟନ

ଭୁବନେଶ୍ୱର, ୨।୧(କ୍ରୀଡ଼ା ପ୍ରତିନିଧି): ରସୁଲଗଡ଼ ୟୁଥ୍‌ କ୍ଲବ ଆନୁକୂଲ୍ୟରେ ଆୟୋଜିତ ସନ୍ତୋଷ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର ୨୩ତମ ସଂସ୍କରଣରେ ସହିଦ ନଗର ଏକାଦଶ ଚାମ୍ପିୟନ ହୋଇଛି। ସ୍ଥାନୀୟ ଜିଜିପି ହାଇସ୍କୁଲ ପଡ଼ିଆରେ ରବିବାର ଅନୁଷ୍ଠିତ ଫାଇନାଲରେ ସହିଦ ନଗର ଦଳ ୭୩ ରନ୍‌ରେ କଟକର
ମ୍ୟାଜିକ୍‌ ଏକାଦଶକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ସହିଦ ନଗର ଏକାଦଶ ନିର୍ଦ୍ଧାରିତ ୧୫ ଓଭରରେ ୮ ଉଇକେଟ ହରାଇ ୨୩୮ ରନ୍‌ କରିଥିଲା।

ଦଳ ପକ୍ଷରୁ ସୁମନ୍ତ ସେଠୀ ୨୩ ବଲ୍‌ରୁ ସର୍ବାଧିକ ୭୨ ରନ୍‌ କରିଥିଲେ। ବିପକ୍ଷ ଦଳର ସୁନୀଲ ଦଳାଇ ୩ ଓଭରରେ ୩୭ ରନ୍‌ ଦେଇ ୩ଟି ଉଇକେଟ ନେଇଥିଲେ। ୨୩୯ ରନ୍‌ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ମ୍ୟାଜିକ୍‌ ଏକାଦଶ ୧୨ ଓଭରରେ ୧୬୫ ରନ୍‌ କରି ସମସ୍ତ ଉଇକେଟ ହରାଇଥିଲା। କିଶୋର ଦାସ ୨୩ ବଲ୍‌ରୁ ୭୪ ରନ୍‌ର ଦ୍ରୁତ ଇନିଂସ ଖେଳିଥିଲେ ହେଁ ଦଳକୁ ବିଜୟୀ କରାଇପାରି ନ ଥିଲେ। ବିଜୟୀ ଦଳର ବୋଲର ରଞ୍ଜିତ କୁଣ୍ଡୁ ୩ ଓଭରରେ ୩୪ ରନ୍‌ ଦେଇ ସର୍ବାଧିକ ୪ଟି ଉଇକେଟ ନେଇଥିଲେ। ୭୦ ରନ୍‌ ଓ ୨ ଉଇକେଟ ନେଇ ଅଲ୍‌ ରାଉଣ୍ଡ ପ୍ରଦର୍ଶନ କରିଥିବା ଚାମ୍ପିୟନ ଦଳର ନିର୍ମଳ ବେହେରା ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ଓ ପ୍ଲେୟର ଅଫ୍‌ ଦି ଟୁର୍ନାମେଣ୍ଟ ବିବେଚିତ ହୋଇଥିଲେ।

ଭୁବନେଶ୍ୱରର ଏଏମ୍‌ଆଇ ଏକାଦଶ ଶ୍ରେଷ୍ଠ ଶୃଙ୍ଖଳିତ ଦଳ ବିବେଚିତ ହୋଇଥିଲା। ଅମ୍ପାୟର କୈଳାସ ରାଉଳ ଓ ରଜତ ଜଗଦ୍ଦେବ ମ୍ୟାଚ୍‌ ପରିଚାଳନା କରିଥିବାବେଳେ ରେଫରି ଦାୟିତ୍ୱ ସମ୍ପାଦନ କରିଥିଲେ ସମ୍ବିତ୍‌ ପାଇକରାୟ। ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ସୁରେଶ କୁମାର ରାଉତରାୟ, କର୍ପୋରେଟର ସ୍ମୃତିଶିଖା ବରିସଲ, ବୁଦ୍ଧପ୍ରକାଶ ମହାପାତ୍ର, ସଞ୍ଜୟ ପାଇକରାୟ, ପ୍ରକାଶ ରାଉତରାୟ, ଜାପାନ ରାଉତରାୟ, ପ୍ରଦୀପ ବରିସଲ, ଯଜ୍ଞାଶିଷ ମହାପାତ୍ର ପ୍ରମୁଖ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।

Share