ନୂଆଦିଲ୍ଲୀ, ୭।୧୦: ଦିଲ୍ଲୀର ଶାହିନବାଗ୍ ମାମଲା ନେଇ ସୁପ୍ରିମକୋର୍ଟ(ଏସ୍ସି) ବୁଧବାର ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସରକାରଙ୍କୁ ବିରୋଧ କରି ସର୍ବସାଧାରଣ ରାସ୍ତାରେ ଧାରଣା ଦେବା ଅନ୍ୟାୟ ଏବଂ ଭୁଲ। ଦୀର୍ଘଦିନ ଧରି ସର୍ବସାଧାରଣ ସ୍ଥଳକୁ ଅବରୋଧ କରିବା ଠିକ୍ ନୁହେଁ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି। ଏହା ଦ୍ୱାରା ସାଧାରଣ ଲୋକଙ୍କ ଅଧିକାରରେ ବାଧା ସୃଷ୍ଟି ହୋଇଥାଏ। ସର୍ବସାଧାରଣ ସ୍ଥଳକୁ ବନ୍ଦ କରି ରଖିବା କୌଣସି ବ୍ୟକ୍ତି ଅବା ସଂଗଠନ ପାଇଁ ଦୋଷାବହ। ସୂଚନାଯୋଗ୍ୟ, ସିଏଏ ବିରୋଧରେ ଶାହିନବାଗରେ ୯୦ରୁ ଅଧିକ ଦିନ ଧରି ଧାରଣା ଜାରି ରହିଥିଲା। ଏହାଯୋଗୁ ଯାତାୟତରେ ଘୋର ଅସୁବିଧା ଦେଖାଦେଇଥିଲା। କରୋନା ମହାମାରୀ ସଂକ୍ରମଣ ଯୋଗୁ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ଲକ୍ ଡାଉନ୍ ଯୋଗୁ ଏଠାରୁ ପରବର୍ତ୍ତୀ ସମୟରେ ଲୋକଙ୍କୁ ହଟାଇ ଦଆଯାଇଥିଲା। ଏଭଳି ଧାରଣାରେ ବସି ରହିବା ଆଇନ ଅନୁସାରେ ଭୁଲ୍ ବୋଲି କୋର୍ଟ କହିଛନ୍ତି।