
ମୁମ୍ବାଇ: ବଲିଉଡର ସବୁଠାରୁ ଚଞ୍ଚଳ ଏବଂ ଟ୍ୟାଲେଷଣ୍ଟଡ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଦିବ୍ୟା ଭାରତୀ। ମାତ୍ର ୧୯ ବର୍ଷ ବୟସରେ ୫ ଏପ୍ରିଲ ୧୯୯୩ରେ ସେ ଏହି ଦୁନିଆରୁ ବିଦାୟ ନେଇଥିଲେ। ତାଙ୍କର ଆକସ୍ମିକ ମୃତ୍ୟୁ କେବଳ ଚଳଚ୍ଚିତ୍ର ଜଗତକୁ ନୁହେଁ ବରଂ ସମଗ୍ର ଦେଶକୁ ମର୍ମାହତ କରିଥିଲା। ଦିବ୍ୟାଙ୍କ ମାସୁମିୟତ ଏବଂ ସ୍କ୍ରିନ ପ୍ରେଜେନ୍ସକୁ ତାଙ୍କ ପ୍ରଶଂସକ ଏବଂ ସହ-ଅଭିନେତାମାନେ ଏବେ ବି ମନେ ରଖିଛନ୍ତି।
ଶାହରୁଖ ଖାନ, ଯିଏ ତାଙ୍କ ଡେବ୍ୟୁ ଫିଲ୍ମ ‘ଦିୱାନା’ରେ ଦିବ୍ୟାଙ୍କ ସହିତ ନଜର ଆସିଥିଲେ, ସେ ପ୍ରାୟତଃ ତାଙ୍କୁ ସ୍ନେହରେ ମନେ ପକାନ୍ତି। ଏକ ପୁରୁଣା ସାକ୍ଷାତକାରରେ, ଶାହରୁଖ ଦିବ୍ୟାଙ୍କୁ ଜଣେ ‘ଆମେଜିଂ’ ଅଭିନେତ୍ରୀ ବୋଲି କହିଥିଲେ ଏବଂ ସ୍ବୀକାର କରିଥିଲେ ଯେ ସେ ତାଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲେ। ଶାହରୁଖ ନିଜକୁ ଜଣେ ଗମ୍ଭୀର ଏବଂ ଚିନ୍ତାଶୀଳ ଅଭିନେତା ବୋଲି ଭାବୁଥିଲେ, ଦିବ୍ୟା ଜଣେ ମଜାଳିଆ ଏବଂ ଉତ୍ସାହୀ ପ୍ରକାରର ବ୍ୟକ୍ତି ଥିଲେ।
ଏନଡିଟିଭି ସହିତ ଏକ ସାକ୍ଷାତକାରରେ, କିଙ୍ଗ ଖାନ ଦିବ୍ୟାଙ୍କ ସହ ଜଡିତ ଏକ କାହାଣୀ ଶେୟାର କରି କହିଥିଲେ, ‘ଆମେ ସି ରକ ହୋଟେଲ ବାହାରେ ଥିଲୁ। ଦିବ୍ୟା ମୋତେ ଚାହିଁ କହିଲେ, ‘ତୁମେ କେବଳ ଜଣେ ଅଭିନେତା ନୁହଁ, ତୁମେ ଏକ ପ୍ରତିଷ୍ଠାନ ବା ଇନଷ୍ଟିଚ୍ୟୁଶନ।’ ଏହା ମୋ ହୃଦୟକୁ ଛୁଇଁଲା। ସେତେବେଳେ ମୁଁ ଅନୁଭବ କଲି ଯେ ସେ କେତେ ସ୍ବତନ୍ତ୍ର ଥିଲେ।
ଦିବ୍ୟାଙ୍କ ମୃତ୍ୟୁ ଖବର ଶାହରୁଖଙ୍କୁ ଗଭୀର ଆଘାତ ଦେଇଥିଲା। ସେତେବେଳେ ସେ ଦିଲ୍ଲୀରେ ଥିଲେ ଏବଂ ତାଙ୍କର ଗୀତ ‘ଐସି ଦିୱାଙ୍ଗୀ’ ସବୁଠି ଚର୍ଚ୍ଚା ହେଉଥିଲା। ଅଭିନେତା କହିଛନ୍ତି, ‘ସକାଳେ ଉଠିବା ପରେ ଖବର ଆସିଲା ଯେ ଦିବ୍ୟା ଆଉ ନାହାନ୍ତି। ସେ ଝରକାରୁ ପଡ଼ିଯାଇଛନ୍ତି। ଏହା ମୋ ପାଇଁ ଏକ ବଡ଼ ଝଟକା ଥିଲା, କାରଣ ମୁଁ ଭାବୁଥିଲି ଆମକୁ ଏକାଠି ଆହୁରି ଫିଲ୍ମ କରିବାକୁ ପଡିବ।’ ଅଭିନେତ୍ରୀଙ୍କ ମୃତ୍ୟୁରେ କିଙ୍ଗ ଖାନଙ୍କ ସହିତ ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରି ମର୍ମାହତ ହୋଇଥିଲା।