ଦକ୍ଷିଣ ଏସିଆ ସେଲିବ୍ରିଟି ତାଲିକାରେ ଶୀର୍ଷରେ ଅଛନ୍ତି ଶାହରୁଖ

ଲଣ୍ଡନ: ବ୍ରିଟେନ୍‌ ପ୍ରସ୍ତୁତ ‘ବିଶ୍ୱର ଶ୍ରେଷ୍ଠ ୫୦ ଦକ୍ଷିଣ ଏସୀୟ ସେଲିବ୍ରିଟି’ ତାଲିକାରେ ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ ଶୀର୍ଷରେ ରହିଛନ୍ତି। ଚଳିତ ବର୍ଷ ୫୮ ବର୍ଷୀୟ କିଙ୍ଗ୍‌ ଖାନଙ୍କ ଦୁଇଟି ଫିଲ୍ମ ‘ପଠାନ’ ଏବଂ ‘ଯବାନ’ ଚଳିତ ବର୍ଷର ଡବଲ୍‌ ବକ୍ସ ଅଫିସ ସଫଳତା ହାସଲ କରିଥିବାବେଳେ ଏବେ ଖ୍ରୀଷ୍ଟମାସ୍‌ରେ ତାଙ୍କର ‘ଡଙ୍କି’ ଫିଲ୍ମ ମୁକ୍ତିଲାଭ ପାଇଁ ପ୍ରସ୍ତୁତ ହେଉଛି। ବ୍ରିଟେନ୍‌ର ସପ୍ତାହିକୀ ଇଷ୍ଟର୍ନ ଆଇ ଉକ୍ତ ବାର୍ଷିକ ତାଲିକା ପ୍ରକାଶ କରିଛି। ଚଳିତ ବର୍ଷ ଶେଷ ସୁଦ୍ଧା ଗୋଟିଏ ବର୍ଷରେ ୩ଟି ବଲିଉଡ୍‌ ବ୍ଲକବଷ୍ଟର ହିଟ୍‌ ଚଳଚ୍ଚିତ୍ର ଦେବାକୁ ଯାଉଛନ୍ତି କିଙ୍ଗ୍‌ ଖାନ୍‌, ଯାହାକି ଆଧୁନିକ ଯୁଗରେ ଜଣେ ବ୍ୟକ୍ତିଙ୍କ ପାଇଁ ଏହା ପ୍ରଥମ ବୋଲି ଇଷ୍ଟର୍ନ ଆଇର ଏଣ୍ଟରଟେନ୍‌ମେଣ୍ଟ ସମ୍ପାଦକ ଆସ୍‌ଜାଦ ନାଜିର କହିଛନ୍ତି।
ଉଭୟ ବଲିଉଡ୍‌ ଏବଂ ହଲିଉଡ୍‌ରେ ପ୍ରଭାବ ପାଇଁ ତାଲିକାର ଦ୍ୱିତୀୟ ସ୍ଥାନରେ ଆଲିଆ ଭଟ୍ଟ ସ୍ଥାନ ପାଇଥିବାବେଳେ ତୃତୀୟ ସ୍ଥାନରେ ପ୍ରିୟଙ୍କା ଚୋପ୍ରା ଜୋନାସ୍‌ ରହିଛନ୍ତି। ଚତୁର୍ଥ ସ୍ଥାନରେ ଶ୍ରେଷ୍ଠ ପଞ୍ଜାବୀ ଗାୟକ ଦିଲଜିତ୍‌ ଦୋସାନଜ୍‌ ରହିଥିବାବେଳେ ପଞ୍ଚମରେ ବ୍ରିଟେନର ଶ୍ରେଷ୍ଠ ଗାୟକ ଚାର୍ଲି ଏକ୍ସସିଏକ୍ସ ରହିଛନ୍ତି। ତାଙ୍କର ଦକ୍ଷିଣ ଏସୀୟ ଐତିହ୍ୟ ରହିଛି।

Share