Categories: ଜାତୀୟ

ମନ୍ତ୍ରୀଙ୍କ ସହ ଶାହାଙ୍କ ଆଲୋଚନା

ନୂଆଦିଲ୍ଲୀ, ୧୨।୧୦: ଦେଶର ତାପଜ ବିଦ୍ୟୁତ ପ୍ଲାଣ୍ଟଗୁଡ଼ିକରେ କୋଇଲା ଅଭାବକୁ ନେଇ ବ୍ଲାକ୍‌ଆଉଟ ଆଶଙ୍କା ସୃଷ୍ଟି ହୋଇଥିବାବେଳେ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଅଧ୍ୟକ୍ଷତାରେ କୋଇଲା ଓ ଶକ୍ତିମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶକ୍ତିମନ୍ତ୍ରୀ ଆର୍‌.କେ. ସିଂ, କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ, ଉଭୟ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ, ରାଷ୍ଟ୍ରାୟତ୍ତ କମ୍ପାନୀ ଏନ୍‌ଟିପିସିର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ଘଣ୍ଟାଏ ବ୍ୟାପୀ ବୈଠକରେ ମନ୍ତ୍ରୀମାନେ ପ୍ଲାଣ୍ଟଗୁଡ଼ିକରେ ଗଚ୍ଛିତ କୋଇଲା ପରିମାଣ ଓ ବର୍ତ୍ତମାନର ବିଦ୍ୟୁତ୍‌ ଚାହିଦା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ଲାଣ୍ଟଗୁଡ଼ିକରେ ୭.୨ ନିୟୁତ ଟନ୍‌ କୋଇଲା ଗଚ୍ଛିତ ଅଛି, ଯାହା ୪ ଦିନ ପାଇଁ ଯଥେଷ୍ଟ ବୋଲି କୋଇଲା ମନ୍ତ୍ରଣାଳୟ ରବିବାର କହିଥିଲା। ରାଷ୍ଟ୍ରାୟତ୍ତ କମ୍ପାନୀ କୋଲ୍‌ ଇଣ୍ଡିଆ ପାଖରେ ୪୦ ନିୟୁତ ଟନ୍‌ରୁ ଅଧିକ କୋଇଲା ରହିଛି । ବିଦ୍ୟୁତ୍‌ ସଙ୍କଟ ସୃଷ୍ଟି ହେବା ଆଶଙ୍କା ଠିକ୍‌ ନୁହେଁ ବୋଲି ସରକାର କହିଥିଲେ।
ଭାରତର କେନ୍ଦ୍ରୀୟ ବିଦ୍ୟୁତ୍‌ କର୍ତ୍ତୃପକ୍ଷଙ୍କ ତଥ୍ୟ ଅନୁଯାୟୀ ପାଓ୍ବାର ପ୍ଲାଣ୍ଟଗୁଡ଼ିକରେ ଅଭୂତପୂର୍ବ କୋଇଲା ଅଭାବ ଦେଖାଦେଇଛି, ଯାହା ବିଦ୍ୟୁତ୍‌ ସଙ୍କଟ ସୃଷ୍ଟି କରିବା ସମ୍ଭାବନା ସୃଷ୍ଟି କରିଛି। କୋଇଲା ବ୍ୟବହାର କରୁଥିବା ୧୩୫ ତାପଜ ବିଦ୍ୟୁତ କେନ୍ଦ୍ର ମଧ୍ୟରୁ ଅକ୍ଟୋବର ୫ରେ ୧୦୬ଟିରେ ଗୁରୁତର କୋଇଲା ସଙ୍କଟ ଦେଖାଦେଇଥିଲା। ସେଗୁଡ଼ିକରେ ମାତ୍ର ୬-୭ ଦିନ ପାଇଁ କୋଇଲା ଗଚ୍ଛିତ ଥିଲା। କୋଇଲା ଯୋଗାଣରେ ସମସ୍ୟା ପାଇଁ ଶକ୍ତି ମନ୍ତ୍ରଣାଳୟ ୪ଟି କାରଣକୁ ଦାୟୀ କରିଥିଲା। ତାହା ହେଲା ଅର୍ଥନୀତି ସୁଧୁରୁଥିବାରୁ ବିଦ୍ୟୁତ ଚାହିଦା ଅତ୍ୟଧିକ ବୃଦ୍ଧି, ସେପ୍ଟେମ୍ବରରେ କୋଇଲା ଖଣି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଉତ୍ପାଦନ ଓ ଯୋଗାଣ ବାଧାପ୍ରାପ୍ତ, ଆମଦାନୀ କୋଇଲା ଦାମ୍‌ ବୃଦ୍ଧି ଏବଂ ବର୍ଷାଦିନ ପୂର୍ବରୁ ପର୍ଯ୍ୟାପ୍ତ କୋଇଲା ଗଚ୍ଛିତ ରଖା ନ ଯିବା। ଦିଲ୍ଲୀରେ ବିଦ୍ୟୁତ ସଙ୍କଟ ଦେଖାଦେଇନି ଓ ଖୁବ୍‌ଶୀଘ୍ର କୋଇଲା ଯୋଗାଣ ସ୍ବାଭାବିକ ହେବ ବୋଲି ଶକ୍ତିମନ୍ତ୍ରୀ ରବିବାର ପ୍ରତିଶ୍ରୁତି ଦେଇଥିଲେ।

Share