Categories: ଖେଳ

ଶାଜି ପ୍ରଭାକରନ୍‌ଙ୍କୁ ହଟାଇଲା ଏଆଇଏଫ୍‌ଏଫ୍‌

ନୂଆଦିଲ୍ଲୀ,୯ା୧୧(ପି.ଟି.): ବୁଧବାର ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଏହାର ମହାସଚିବ ଶାଜି ପ୍ରଭାକରନଙ୍କୁ ପଦରୁ ହଟାଇଛି। ଭରସା ଭାଙ୍ଗିଥିବା କାରଣରୁ ଏହି ପଦକ୍ଷେପ ନିଆଯାଇଥିବା ଏଆଇଏଫ୍‌ଏଫ୍‌ ସ୍ପଷ୍ଟ କରିଛି। କିଭଳି ଭାବରେ ପ୍ରଭାକରନ ଭରସା ଭାଙ୍ଗିଛନ୍ତି ତାହାର କୌଣସି କାରଣ ଦର୍ଶାଯାଇ ନ ଥିବା ବେଳେ ନିଯୁକ୍ତିର ୧୪ ମାସରେ ତାଙ୍କୁ ହଟାଇ ଦିଆଯାଇଛି। ଏଆଇଏଫ୍‌ଏଫ୍‌ ପକ୍ଷରୁ ଏକ ବିବୃତି ଜାରି କରାଯିବା ସହିତ ୭ ନଭେମ୍ବରରୁ ତୁରନ୍ତ ପ୍ରଭାକରନଙ୍କୁ ତାଙ୍କ ପଦରୁ ହଟାଯାଉଛି ବୋଲି କୁହାଯାଇଛି। ସଭାପତି କଲ୍ୟାଣ ଚୌବେ ଏହି ବିବୃତିରେ ସ୍ବାକ୍ଷର କରିଛନ୍ତି। ଏଆଇଏଫ୍‌ଏଫ୍‌ର ଉପସମ୍ପାଦକ ଏମ୍‌. ସତ୍ୟନାରାୟଣଙ୍କୁ କାର୍ଯ୍ୟକାରୀ ମହାସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ପ୍ରଭାକରନଙ୍କୁ ସେପ୍ଟେମ୍ବର ୩, ୨୦୨୨ରେ ନିଯୁକ୍ତି ପ୍ରଦାନ କରାଯାଇଥିଲା ଓ ସେପ୍ଟେମ୍ବର ୬ରେ ସେ କାର୍ଯ୍ୟଭାର ଗ୍ରହଣ କରିଥିଲେ।
ଏହି ମାମଲାକୁ ନେଇ ପ୍ରଭାକରନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ଉପ ସଭାପତି ଏନ୍‌. ଏ. ହରିସ୍‌ ଏହାକୁ ନେଇ ପ୍ରତିକ୍ରିୟା ଦେବା ସହ ପ୍ରଭାକରନଙ୍କ କାର୍ଯ୍ୟଶୈଳୀକୁ ନେଇ କାର୍ଯ୍ୟକାରୀ କମିଟିର ସଦସ୍ୟମାନେ ଖୁସି ନ ଥିବା କହିଛନ୍ତି। ସୋସିଆଲ ମିଡିଆ ସାଇଟ୍‌ ଏକ୍ସରେ ପ୍ରଭାକରନ ଏକ ଟୁଇଟ୍‌ କରିବା ସହିତ ଏଆଇଏଫ୍‌ଏଫ୍‌ ମଧ୍ୟରେ ସବୁ କିଛି ଠିକ୍‌ ନ ଥିବା ଉଲ୍ଲେଖ କରିଥିଲେ। ଆମ ନିକଟରେ ଶକ୍ତି ଓ ସାମର୍ଥ୍ୟ ରହିଛି, ଯାହାର ଉପଯୋଗ କରି ଆମେ ଠିକ୍‌ ଦିଗରେ କାର୍ଯ୍ୟ କରିବା ଉଚିତ। ବ୍ୟକ୍ତିଗତ ସ୍ବାର୍ଥ ରହିଲେ ଏପରି ହେବା ସମ୍ଭବ ନୁହେଁ ବୋଲି ସେ ଲେଖିଥିଲେ। ଭାରତକୁ ଗର୍ବିତ କରିବାକୁ ମୁଁ ମୋର ପ୍ରଥମ ଦାୟିତ୍ୱ ଭାବରେ ବିବେଚନା କରିଥାଏ ବୋଲି ସେ ଲେଖିଥିଲେ। ପୂର୍ବରୁ ଦିଲ୍ଲୀ ଫୁଟ୍‌ବଲର ସଭାପତି ଭାବରେ ପ୍ରଭାକରନ କାର୍ଯ୍ୟ କରୁଥିଲେ। ଗୁରୁବାର କାର୍ଯ୍ୟକାରୀ କମିଟି ପକ୍ଷରୁ ଏକ ବୈଠକ ଡକା ଯାଇଥିବା ନେଇ ସୂଚନା ଦେଇଛନ୍ତି ଉପସଭାପତି ଏନ୍‌. ଏ. ହରିସ୍‌। କାର୍ଯ୍ୟକାରୀ ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ମହାସଚିବ ପଦଟି ଏକ ବେତନଭୋଗୀ ପଦବୀ। ସଭାପତି ତାଙ୍କୁ ନିଯୁକ୍ତି ଦେଇଥିବା ବେଳେ ବର୍ତ୍ତମାନ ସଭାପତି ହିଁ ତାଙ୍କୁ ବରଖାସ୍ତ କରିଛନ୍ତି।

 

 

Share