ହାତ ପତେଇବେ ଅଭିନେତ୍ରୀ ମୀରା

ପୁରୁଣା ଭୁବନେଶ୍ୱର, ୨୩।୧୨(ଡି.ଏନ୍‌.ଏ.): କରୋନା ମହାମାରୀ ପାଇଁ ରାଜ୍ୟର ବିଭିନ୍ନ କଳାକାର ହାତବାନ୍ଧି ବସିଛନ୍ତି। ପ୍ରଭାବିତ ହୋଇଛି ଜୀବିକା। ଓଡ଼ିଆ ଫିଲ୍ମ ଜଗତର ହାସ୍ୟ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ମୀରା ମହାନ୍ତି କେନ୍ଦ୍ର ସରକାର ପକ୍ଷରୁ କଳାକାର ଭତ୍ତା ପାଉଥିଲେ। ମାତ୍ର କୋଭିଡ୍‌ ପାଇଁ ଦୀର୍ଘ ୮ମାସ ହେବ ଭତ୍ତା ମିଳୁ ନାହିଁ। ଫଳରେ ଘର ଚଳାଇବା କଷ୍ଟକର ହୋଇପଡ଼ିଛି। ଆବଶ୍ୟକ ପଡ଼ିଲେ ଘର ଚଳାଇବା ପାଇଁ ହାତ ପତେଇବେ ବୋଲି ସେ କହିଛନ୍ତି।
ମୁତାବକ, ୧୯୯୯ ମସିହା ପୂର୍ବରୁ ମୀରା କଟକର ବାସିନ୍ଦା ଥିଲେ। ସେ କଳାଶ୍ରୀ ଥିଏଟର, ଜନତା ରଙ୍ଗମଞ୍ଚ, ଅନ୍ନପୂର୍ଣ୍ଣା ଥିଏଟର-ଏ, ଏକାମ୍ର ଥିଏଟର ଆଦିରେ ନୃତ୍ୟଶିଳ୍ପୀ, ହାସ୍ୟାଭିନେତ୍ରୀ ଭାବେ ଅଭିନୟ କରିଥିଲେ। ଏଥିସହ ଓଡ଼ିଆ ଫିଲ୍ମ ପ୍ରତିଧ୍ୱନି, ଯାଯାବର, ତ୍ରିନାଥ ମେଳା, ସୁବର୍ଣ୍ଣ ସୀତା ଆଦିରେ ଅଭିନୟ କରି ଦର୍ଶକଙ୍କ ମନକୁ ଜିଣି ପାରିଥିଲେ। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସେ ସମ୍ମାନିତ ହୋଇଛନ୍ତି। ୧୯୯୯ ମସିହା ପରେ ସେ ଭୁବନେଶ୍ୱରର ୫୪ନଂ. ଓ୍ବାଡର୍ର୍ ମାଉସୀମା ଓଭର ବ୍ରିଜ୍‌ ପାର୍ଶ୍ୱରେ ରହୁଛନ୍ତି। ତାଙ୍କ ସହ ବିଧବା ବୋହୂ ଓ ନାତୁଣୀ ରହୁଛନ୍ତି। କିଛିଦିନ ପରେ ସେ କ୍ୟାନସରରେ ପୀଡ଼ିତ ହୋଇଥିଲେ। ସମ୍ପର୍କୀୟ ଏବଂ ସରକାରଙ୍କ ସହଯୋଗରେ ଚିକିତ୍ସା ପରେ ଭଲ ହୋଇଥିଲେ ମଧ୍ୟ ମଧୁମେହରେ ଆକ୍ରାନ୍ତ ହୋଇ ଡାହାଣ ଗୋଡ଼ ଆଙ୍ଗୁଠି ହରେଇଥିଲେ। ଭତ୍ତା ଟଙ୍କାରେ ପରିବାର ଚଳାଇବା ସହ ଔଷଧ ଓ ଚିକିତ୍ସା ଖର୍ଚ୍ଚ ମେଣ୍ଟାଉଥିଲେ। ଭତ୍ତା ବନ୍ଦ ହୋଇଯିବାରୁ ତାଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି। ଆବଶ୍ୟକ ପଡ଼ିଲେ ସେ ହାତ ପତେଇବେ ବୋଲି ସେ କହିଛନ୍ତି। ଅନ୍ୟପଟେ ମୀରାଙ୍କୁ ସହଯୋଗ ପାଇଁ ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି।

Share