ଢାକା, ୮।୮: ପ୍ରତିଯୋଗିତାମୂଳକ କ୍ରିକେଟ୍କୁ ପ୍ରତ୍ୟାବର୍ତ୍ତନ କରିବା ଲାଗି ବାଂଲାଦେଶ କ୍ରିକେଟ୍ ଦଳର ଷ୍ଟାର୍ ଅଲ୍ରାଉଣ୍ଡର ଶାକିବ ଅଲ୍ ହାସନ ଆସନ୍ତା ମାସରୁ ଅଭ୍ୟାସ ଆରମ୍ଭ କରିବେ। ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ସମୟରେ ମ୍ୟାଚ୍ ଫିକ୍ସିଂ ଲାଗି ବୁକିଙ୍କ ନିକଟରୁ ଶାକିବଙ୍କୁ ଅଫର୍ ଆସିଥିଲା। ଏହି ଘଟଣାକୁ ଲୁଚାଇ ଥିବାରୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଶାକିବଙ୍କୁ ୨ ବର୍ଷ ଲାଗି ବାସନ୍ଦ କରିଥିଲା। ଏହି ବାମହାତୀ ଅଲ୍ରାଉଣ୍ଡରଙ୍କ ବାସନ୍ଦ ଅବଧି ଅକ୍ଟୋବର ୨୯ରେ ସମାପ୍ତ ହେବ। ଏଥିପୂର୍ବରୁ ଶାକିବ ଆସନ୍ତା ମାସରେ ତାଙ୍କ ଟ୍ରେନିଂ ଆରମ୍ଭ କରିବେ ବୋଲି ଜଣାପଡ଼ିଛି। ଶାକିବଙ୍କ ପରାମର୍ଶଦାତା ନଜମୁଲ୍ ଆବିଦିନ ଏକ ସାକ୍ଷାତ୍କାର ଅବସରରେ କହିଛନ୍ତି, ‘ଶାକିବ ଆସନ୍ତା ମାସରେ ବିକେଏସ୍ପି ଆସିବେ। ଯେଉଁଠାରେ କୋଚ୍ ଓ ଟ୍ରେନର ଉପଲବ୍ଧ ରହିବେ।’ ବାଂଲାଦେଶ ସୀମିତ ଓଭର କ୍ରିକେଟ୍ ଦଳର ଏହି ଅଧିନାୟକ ବର୍ତ୍ତମାନ ପରିବାର ସହ ଆମେରିକାରେ ରହୁଛନ୍ତି। ଅଗଷ୍ଟରେ ସେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ।