Categories: ଖେଳ

ଶକିବ ବିପଦ ସୃଷ୍ଟି କରିପାରନ୍ତି: କୋହଲି

ପୁଣେ, ୧୯।୧୦(ପି.ଟି.): ”ବିଶ୍ୱକପ୍‌ରେ ‘ବଡ଼ ଦଳ’ କେହି ନୁହନ୍ତି। ମେଗା ଇଭେଣ୍ଟଗୁଡ଼ିକରେ ଅଧିକ ସଫଳ ଦଳଗୁଡ଼ିକ ଉପରେ ଫୋକସ ରହୁଥିବାରୁ ବିପର୍ଯ୍ୟୟ ହୋଇ ଯାଇଥାଏ“ ବୋଲି ଭାରତର ତାରକା ବ୍ୟାଟର ବିରାଟ କୋହଲି ପ୍ରକାଶ କରିଛନ୍ତି। ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ୨ଟି ବଡ଼ ବିପର୍ଯ୍ୟୟ ଘଟିବା ପରେ କୋହଲି ଏପରି ମତବ୍ୟକ୍ତ କରିଛନ୍ତି। ଆଫଗାନିସ୍ତାନ ୬୯ ରନରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ହରାଇଥିବାବେଳେ ନେଦରଲାଣ୍ଡ୍ସ ୩୮ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ବିଶ୍ୱକପ୍‌ ଇତିହାସରେ ନେଦରଲାଣ୍ଡ୍ସ ଏହାର ବୃହତ୍‌ ବିଜୟ ହାସଲ କରିଥିଲା। ”ବିଶ୍ୱକପରେ ବଡ଼ ଦଳ ବୋଲି ସେମିତି କିଛି ନାହିଁ। ଯେତେବେଳେ ଆମେ କେବଳ ବଡ଼ ଦଳ ଉପରେ ଫୋକସ ରଖିଥାଉ ସେତେବେଳେ ବିପର୍ଯ୍ୟୟ ଘଟି ଯାଇଥାଏ“ ବୋଲି ଭାରତ-ବାଂଲାଦେଶ ମ୍ୟାଚ ପୂର୍ବରୁ କୋହଲି ପ୍ରକାଶ କରିଛନ୍ତି।
ବିଶ୍ୱକପ୍‌ରେ ବାଂଲାଦେଶ ବିପକ୍ଷରେ ଭାରତର ରେକର୍ଡ ଭଲ ରହିଛି। ଉଭୟ ଦେଶ ମଧ୍ୟରେ ୪ଟି ମ୍ୟାଚ ହୋଇଥିବାବେଳେ ଭାରତ ୩ଟିରେ ବିଜୟଲାଭ କରିଛି। ତେବେ ବାଂଲାଦେଶ ଅଧିନାୟକ ଶକିବ ଅଲ୍‌ ହାସନ ବୋଲିଂରେ ବିପଦ ସୃଷ୍ଟି କରିପାରନ୍ତି ବୋଲି କୋହଲି ପୂର୍ବାନୁମାନ କରୁଛନ୍ତି। ”ଗତ କିଛି ବର୍ଷଧରି ମୁଁ ଶକିବଙ୍କ ବିପକ୍ଷରେ ଖେଳି ଆସୁଛି। ନିଜ ବୋଲିଂ ଉପରେ ତାଙ୍କର ନିୟନ୍ତ୍ରଣ ରହିଥାଏ। ସେ ଜଣେ ଅଭିଜ୍ଞ ବୋଲର। ନୂଆ ବଲ୍‌ରେ ସେ ଚମତ୍କାର ବୋଲିଂ କରିଥାନ୍ତି। “ ବୋଲି କୋହଲି କହିଛନ୍ତି। କୋହଲିଙ୍କ ସହ ଏକମତ ହୋଇଛନ୍ତି ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ”ଶକିବ ଜଣେ ଷ୍ଟ୍ରିଟ୍‌-ସ୍ମାର୍ଟ କ୍ରିକେଟର। ସେ ଦୀର୍ଘବର୍ଷ ଧରି ଗୁରୁଦାୟିତ୍ୱ ବହନ କରି ବାଂଲାଦେଶକୁ ଆଗକୁ ନେଉଛନ୍ତି“ ବୋଲି ହାର୍ଦ୍ଦିକ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଶକିବ କହିଛନ୍ତି ଯେ କୋହଲି ହେଉଛନ୍ତି ଆଧୁନିକ ଯୁଗର ଶ୍ରେଷ୍ଠ ବ୍ୟାଟର। ”ସେ ଜଣେ ସ୍ବତନ୍ତ୍ର ବ୍ୟାଟ୍ସମ୍ୟାନ। ତାଙ୍କୁ ୫ ଥର ଆଉଟ କରିଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେକରୁଛି। ତାଙ୍କ ଉଇକେଟ ନେଲେ ବହୁତ ଖୁସି ମିଳିଥାଏ“ ବୋଲି ଶକିବ ପ୍ରକାଶ କରିଛନ୍ତି।

Share